କନକ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିକୁ ପୁଣି ଜୋରଦାର ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଥମିବାରେ ନା ନେଉନି । କଂଗ୍ରେସ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଜିତିବା ପରେ କୁହାଯାଉଥିଲା କି ଅଢେଇ ବର୍ଷ ପାଇଁ ପ୍ରଥମେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବେ ପରବର୍ତ୍ତୀ ସମୟରେ ଶିବକୁମାର ଅଢେଇ ବର୍ଷ ଲାଗି ସିଏମ ହେବେ । ଏହାରି ଭିତରେ ଅଢେଇ ବର୍ଷ ହୋଇସାରିଛି ସତ ହେଲେ ମୁଖ୍ୟମନ୍ତ୍ରୀ ବଦଳିନାହାନ୍ତି । କୁହାଯାଉଛି, ଏହି କାରଣ ଲାଗି ଉଭୟ ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହେଉଛି ।
ସିଦ୍ଦରମୈୟାଙ୍କୁ ନେଇ ବଡ଼ ବୟାନ ଦେଲେ ଶିବକୁମାର
କର୍ଣ୍ଣାଟକ ରାଜନୀତିରେ ବଢିଲା ଚର୍ଚ୍ଚା
ଶିବକୁମାର ଓ ସିଦ୍ଦରମୈୟାଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧରେ ବଡ଼ ବୟାନ ରଖିଛନ୍ତି ଶିବକୁମାର । କହିଛନ୍ତି, ରାଜ୍ୟ କଂଗ୍ରେସର ସିଦ୍ଦରମୈୟା ଏମିତି ଜଣେ ନେତା ଯାହାଙ୍କ ନାଁରେ କୌଣସି ବିବାଦ ନାହିଁ । ଅର୍ଥାତ୍ ନିର୍ବାବିଦୀୟ ନେତା । ହେଲେ ତାଙ୍କ ନାଁ ନେଇ ଯିଏ ଭୁଲ କରିବ ତାହା ଆଦୌ ଗ୍ରହଣୀୟ ନୁହେଁ । ଗୋଟିଏ ପଟେ କଂଗ୍ରେସର ଗୋଟିଏ ଗୋଷ୍ଠୀ କହୁଛନ୍ତି ସିଦ୍ଦରମୈୟା ହିଁ ମୁଖ୍ୟମନ୍ତ୍ରୀ ରୁହନ୍ତୁ । ଏମିତି ବୟାନ ପରେ ଶିବକୁମାର ଏମିତି ବୟାନ ରଖିଛନ୍ତି । ଦଳର ବରିଷ୍ଠ ନେତା କହିଛନ୍ତି, ବର୍ତ୍ତମାନ ସମୟରେ ରାଜ୍ୟ ରାଜନୀତିର ପାଣିପାଗ ଦେଖିବାକୁ ଗଲେ ସିଦ୍ଦରମୈୟା ହିଁ ମୁଖ୍ୟମନ୍ତ୍ରୀ ରୁହନ୍ତୁ । ଆଗାମୀ ଦିନରେ ପୁଣି ଥରେ କଂଗ୍ରେସ କର୍ଣ୍ଣାଟକରେ ସରକାର କରିବାକୁ ହେଲେ ସିଦ୍ଦରମୈୟାଙ୍କ ନେତୃତ୍ବ ନିହାତି ଆବଶ୍ୟକ । ଏପଟେ ଶିବକୁମାର ପ୍ରତିକ୍ରିୟା ରଖି କହିଛନ୍ତି, ସିଦ୍ଦରମୈୟା ଆମର ନେତା । ପ୍ରତି ନିର୍ବାଚନର ସେ ନେତୃତ୍ବ ନିଅନ୍ତୁ । ଏଥିରେ କୌଣସି ଦ୍ବିମତ ନାହିଁ ।
ଏହାସହ ଶିବକୁମାର କହିଛନ୍ତି, ଜିଲ୍ଲା ପଂଚାୟତ, ବିଧାନସଭା ଓ ଲୋକସଭାରେ ତାଙ୍କ ନେତୃତ୍ବ ଆବଶ୍ୟକତା ରହିଛି । ହେଲେ ଉଭୟ ନେତାଙ୍କ ମଧ୍ୟରେ ସମ୍ପର୍କ କେମିତି ତାହା ସମସ୍ତେ ଜାଣନ୍ତି । ସିଏମ ଚୌକି ଲାଗି ଉଭୟ ନେତାଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଥିବା ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ବି ହୁଏ । ଏହାରି ଭିତରେ ଶିବକୁମାର ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଦଳ ସିଦ୍ଦରମୈୟାଙ୍କୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ କରିଛି । ତେଣୁ ତାଙ୍କ ନାଁର କେହି ଦୁରୁପଯୋଗ କରିବାର କୌଣସି ଆବଶ୍ୟକତା ନାହିଁ । ପ୍ରତ୍ୟେକ କର୍ମୀଙ୍କର ସେ ନେତା । ତାଙ୍କ ନାଁରେ ବର୍ତ୍ତମାନ ସୁଦ୍ଧା କୌଣସି ବିବାଦ ଆସିନାହିଁ । ଏବେ ରାଜ୍ୟର କେମିତି ବିକାଶ ହେବ ସେନେଇ ସେ କାମ କରୁଛନ୍ତି । ତେଣୁ ମୋର ଗଣମାଧ୍ୟମକୁ ଅନୁରୋଧ ତାଙ୍କୁ ନେଇ କୌଣସି ମିଥ୍ୟା ଖବର ପ୍ରକାଶିତ ନହେଉ । ଦଳ ଶୃଙ୍ଖଳିତ ଭାବରେ ଚାଲୁଛି । ପ୍ରତ୍ୟେକ କାମ ଉପରେ ଦଳ ନଜର ରଖିଛି । ଆମେ ଏକ ଅଛୁ, ଏକ ରହିବୁ ବୋଲି ଶିବକୁମାର କହିଛନ୍ତି ।
ମୋଟ୍ ଉପରେ ସିଏମ ଚୌକି ଆଶାରେ ଅଛନ୍ତି ଶିବକୁମାର । ତେଣୁ ଏମିତି ପ୍ରସଙ୍ଗରେ ସେ କାହିଁକି ଏମିତି ବୟାନ ଦେଲେ ତାହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ସିଏମ ସିଦ୍ଦରମୈୟା ରହୁଛନ୍ତି କି ଶିବକୁମାର ହେଉଛନ୍ତି ତାହା ସମୟ କହିବ ।