କନକ ବ୍ୟୁରୋ: ବିହାର ରାଜନୀତିରେ ଘଡ଼ିକେ ଘୋଡା ଛୁଟେ । କେତେବେଳେ କେଉଁ ନେତା କି ବୟାନ ଦେଉଛନ୍ତି ତାହାକୁ ନେଇ ଚର୍ଚ୍ଚା ବି ଚାଲେ । ଖାସ କରି ଦିଲ୍ଲୀରେ ବିଜେପି ଜିତିବା ପରେ ଏବେ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଗୋଟିଏ ପଟେ ଇଣ୍ଡି ମେଣ୍ଟ ନିରାଶ ଥିବା ବେଳେ ଏନଡିଏ ଶିବିରରେ କିନ୍ତୁ ଖୁସିର ଲହରୀ । ଏପଟେ ଇଣ୍ଡି ମେଣ୍ଟର ଦୁଇ ନେତା ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଅଧିକ ହେଉଛି । ସ୍ପଷ୍ଟ ହେଉଛି କି ବିଜେପିର ବିଜୟଧାରାରେ ଇଣ୍ଡି ମେଣ୍ଟ ଟେନସନ୍‌ରେ । ହେଲେ କେମିତି ବିଜେପିକୁ ରୋକାଯାଇପାରିବ ସେନେଇ ରାସ୍ତା ବାହାର କରିପାରୁନି ଇଣ୍ଡି ।  ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ତଥା ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ କହିଛନ୍ତି,ଆମ ସାଙ୍ଗରେ ଯାହା ହୋଇଛି ଆଗାମୀ ଦିନରେ ଟିଡିପି ଓ ଜେଡିୟୁ ସହ ମଧ୍ୟ ହୋଇପାରେ । ଯେଉଁପରି ଭାବରେ ବିଜେପି  ନିର୍ବାଚନ ଜିତୁଛି ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ନିର୍ବାଚନ ଜିତିବା ଲାଗି ବିଜେପି ଯେଉଁ ପନ୍ଥା ଆପଣାଉଛି ତାହା ଦେଶର ଅନେକ ରାଜନୈତିକ ଦଳ ଉପରେ ସାଙ୍ଘାତିକ ପ୍ରଭାବ ପକାଉଛି । ଏମିତି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ରାଜନୈତିକ ଦଳର ଭବିଷ୍ୟତ ଗମ୍ଭୀର ହେବ ଏଥିରେ କୌଣସି ସନ୍ଦେହ ନାହିଁ ।

Advertisment

ଦିଲ୍ଲୀ ନିର୍ବାଚନ ପରେ ବିହାରରେ ହଲଚଲ
ଏନଡିଏ ଏଥର ବିଜୟ ହେବ ତ ? 
ଆଦିତ୍ୟଙ୍କ ପୂର୍ବରୁ
ବିଜେପିକୁ ନେଇ ବଡ଼ ବୟାନ ଦେଇଥିଲେ ଲାଲୁ

ଆଦିତ୍ୟଙ୍କ ପୂର୍ବରୁ ବିଜେପିକୁ ନେଇ ବଡ଼ ବୟାନ ଦେଇଥିଲେ ଲାଲୁପ୍ରସାଦ ଯାଦବ। କହିଥିଲେ,ବିହାରରେ କେବେ ହେଲେ ବି ବିଜେପିକୁ ଜିତାଇବାକୁ ଦିଆଯିବ ନାହିଁ । ଦିଲ୍ଲୀରେ ଯାହା ହେଲା ତାହା ପୁରା ଦେଶ ଜାଣିଛି । ବିହାରରେ ସେମିତି କିଛି ହେବ ନାହିଁ ବୋଲି ଲାଲୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଅବଶ୍ୟ ନୀତିଶଙ୍କ ସମ୍ପର୍କରେ କିଛି କହିନଥିଲେ । କିନ୍ତୁ ବିଜେପି ଉପରେ ପ୍ରବଳ ବର୍ଷିଲେ । 

ଏନଡିଏ ପ୍ଲାନ୍‌, ଚିନ୍ତାରେ ଇଣ୍ଡି

ନୀତିଶଙ୍କୁ ନେଇ ଇଣ୍ଡିରେ ଚର୍ଚ୍ଚା । କାରଣ ନେତାଏ କହିଲେଣି ଯଦି ନୀତିଶ କୁମାର ଇଣ୍ଡି ମେଣ୍ଟରେ ରହିଥାଆନ୍ତେ ତାହାଲେ କେନ୍ଦ୍ରରେ ମୋଦୀ କେବେ ବି ସରକାର କରିପାରିନଥାନ୍ତେ । ବର୍ତ୍ତମାନ ସମୟରେ ଚନ୍ଦ୍ରବାବୁ ଓ ନୀତିଶ ଏନଡିଏ ସହ ଦୃଢ ଭାବରେ ଯୋଡ଼ି ହୋଇ ରହିଛନ୍ତି । ଅନେକ ସମୟରେ ପ୍ରେସ୍‌ରେ କହୁଛନ୍ତି ଆମେ ସବୁବେଳେ ଏନଡିଏ ସହ ରହିବୁ । ଏନଡିଏର ରଣନୀତି ଓ ଇଣ୍ଡି ମେଣ୍ଟରେ ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ କି ଦଶା ଭୋଗିଲା ମେଣ୍ଟ ତାହା ପୁରା ଦେଶ ଦେଖିଲା । ହେଲେ ଏବେ ନୀତିଶ କୁମାର ଯେଉଁପରି ଭାବରେ ଏନଡିଏ ସହ ରହିଛନ୍ତି ତାହାକୁ ନେଇ ବିହାର ରାଜନୀତିରେ କଣ ହେବ ଆଗାମୀ ଦିନରେ କହିବା ମୁସ୍କିଲ । 

ଶକ୍ତ ଝଟ୍‌କା ପାଉଛି ଇଣ୍ଡି ମେଣ୍ଟ

ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ ବିଜେପିକୁ କ୍ରମାଗତ ଭାବରେ ସଫଳତା ପାଉଥିବା ବେଳେ ଇଣ୍ଡି ମେଣ୍ଟକୁ ଝଟ୍‌କା ପରେ ଝଟ୍‌କା ଲାଗୁଛି । ବିହାରର ବରିଷ୍ଠ ରାଜନୈତିକ ସମୀକ୍ଷକ ସଂଜୟ କୁମାର କହିଛନ୍ତି, ଆଦିତ୍ୟ ଯେଉଁ ବୟାନ ଦେଇଛନ୍ତି ସେଥିରେ ପ୍ରତିକ୍ରିୟା ଆସିବା ସ୍ବାଭାବିକ କଥା । ହେଲେ ଇଣ୍ଡି ମେଣ୍ଟରେ ଯେମିତି ଭାବରେ ନେତା ତୁ ତୁ ମେଁ ମେଁ ହେଉଛନ୍ତି ଆଗାମୀ ଦିନରେ ମେଣ୍ଟ ହିଁ କ୍ଷତି ସହିବ । ନୀତିଶ ଏନଡିଏ ସହ ରହିବେ ଏଥିରେ କୌଣସି ଦ୍ବିମତ ନାହିଁ । ଏମିତି ଯଦି ହେବ ତାହାଲେ ବିଜେପି ଆହୁରି ଶକ୍ତି ହେବ ଇଣ୍ଡି ଦୁର୍ବଳ ହେବ ଏଥିରେ କୌଣସି ସନ୍ଦେହ ନାହିଁ । ରାହୁଲଙ୍କୁ ଲୋକେ ଗ୍ରହଣ କରୁନାହାନ୍ତି ଏ କଥା ଦିଲ୍ଲୀ ନିର୍ବାଚନରେ ସ୍ପଷ୍ଟ ହୋଇସାରିଛି । ଲାଲୁ ବି ଏନଡିଏ ଉପରେ ବର୍ଷୁଛନ୍ତି, ନୀତିଶଙ୍କ ଉପରେ ନୁହେଁ । ତେଣୁ ଆଗାମୀ ଦିନରେ ସେମିତି କିଛି ହେବ ବୋଲି କୁହାଯାଇନପାରେ । 

ଇଣ୍ଡି ମେଣ୍ଟ ନେତା ବୁଝିବା ପରିସ୍ଥିତିରେ ନାହାନ୍ତି

ସଂଜୟ କୁମାର ଆହୁରି ମଧ୍ୟ କହିଛନ୍ତି, ଲାଲୁ ପୂର୍ବରୁ କହିଛନ୍ତି ନୀତିଶଙ୍କ ଲାଗି ତାଙ୍କ ଦୁଆର ସବୁବେଳେ ଖୋଲା । ହେଲେ ନୀତିଶ ସ୍ପଷ୍ଟ କରିଛନ୍ତି ସେ ଆରଜେଡି ସହ ସାମିଲ ହେବେ ନାହିଁ । କାରଣ ଲୋକସଭାରେ ବିଲ୍‌ ଆଗତ ବେଳେ ନୀତିଶ ଓ ଚନ୍ଦ୍ରବାବୁଙ୍କ ଦଳ ଯେଉଁପରି ଭାବରେ କେନ୍ଦ୍ରକୁ ସମର୍ଥନ ଦେଉଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ସେମାନେ ଏନଡିଏ ସହ ହିଁ ରହିବେ । କିନ୍ତୁ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ତେଣୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ହିଁ ବିହାର ଚିତ୍ର ସ୍ପଷ୍ଟ ହେବ ବୋଲି ସଂଜୟ କହିଛନ୍ତି ।