କନକ ବ୍ଯୁରୋ: ଦିଲ୍ଲୀରେ ନିର୍ବାଚନ ହାରିବା ପରେ କଂଗ୍ରେସକୁ ଘେରିଛନ୍ତି ଇଣ୍ଡି ମେଣ୍ଟରେ ଥିବା ଅନେକ ରାଜନୈତିକ ଦଳ । ପ୍ରଥମତଃ ମମତା ରାହୁଲଙ୍କୁ ନିଶାନା କରିଥିଲେ । ଇଣ୍ଡିର ନେତୃତ୍ବକୁ ନେଇ ପ୍ରଶ୍ନ ବି କରିଥିଲେ । ଏବେ ପୁଣି ଥରେ କେଜ୍ରିୱାଲ ମଧ୍ୟ କଂଗ୍ରେସ ଉପରେ ବର୍ଷିଛନ୍ତି । ଖାଲି ବର୍ଷିଛନ୍ତି ତାହା ନୁହେଁ ବରଂ ରାହୁଲଙ୍କ ଉପରେ ଲୋକଙ୍କର ବିଶ୍ବାସ ନାହିଁ ବୋଲି ପରୋକ୍ଷରେ କହିଛନ୍ତି । ଅବଶ୍ୟ ଏହାପ୍ରଥମ ନୁହେଁ କି କେଜ୍ରିୱାଲ କଂଗ୍ରେସଟୁ ଟାର୍ଗେଟ୍‌ କରିଥିଲେ । ପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବି କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ କେଜ୍ରିୱାଲ । କହିଥିଲେ, କଂଗ୍ରେସକୁ ଲୋକେ ବିଶ୍ବାସ କରିବେ ନାହିଁ । ଆପ୍‌ ହିଁ ଏଥର ସରକାର କରିବ । ଖାଲି ଏତିକି ନୁହେଁ ବରଂ ରାହୁଲଙ୍କୁ ସେ ସିଧାସିଧା ସମାଲୋଚନା କରିଥିଲେ । ରାହୁଲ ବି ଆପ୍‌ ଓ କେଜ୍ରିୱାଲଙ୍କ ବିରୋଧରେ ବିଷୋଦଗାର କରିଥିଲେ । ଯାହାକୁ ନେଇ ସରଗରମ ହୋଇଥିଲା ଦିଲ୍ଲୀ ରାଜନୀତି । ଏବେ ପୁଣି ଥରେ ରାହୁଲଙ୍କୁ ନେଇ କେଜ୍ରିୱାଲ ପ୍ରଶ୍ନ କରିଥିବାରୁ ଚର୍ଚ୍ଚା ବଢିଛି । 

Advertisment

କେଜ୍ରିୱାଲଙ୍କ ଟାର୍ଗେଟ୍‌ରେ କଂଗ୍ରେସ
ମମତାଙ୍କ ସ୍ବର ସହ ମିଳାଇଲେ ସ୍ବର
ଚନ୍ଦ୍ରବାବୁ ଓ ନୀତିଶଙ୍କୁ ବୁଝାଇବାକୁ
ଆପ୍ରାଣ ଉଦ୍ୟମ କରିଥିଲେ କେଜ୍ରିୱାଲ

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ବିହାର ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାକୁ କେଜ୍ରିୱାଲ ଚେଷ୍ଟା କରିବା ସହିତ ଆଗାମୀ ଦିନରେ ବିଜେପିରେ ସେମାନେ ରହିବେ କି କି ଅସୁବିଧା ହୋଇପାରେ ସେନେଇ ବି ପରିକଳ୍ପନା କରିଥିଲେ । ହେଲେ ଏଇ ଦୁଇ ନେତା କେଜ୍ରିୱାଲଙ୍କ କଥାରେ ଆସିନଥିଲେ । ଆପ୍‌ ମୁଖ୍ୟ ଦୁଇ ଦଳର ନେତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କି, ଆଗାମୀ ଦିନରେ ସେମାନେ ସମସ୍ୟାରେ ପଡ଼ିପାରନ୍ତି । ତେଣୁ ବିଜେପିରେ ନମିଶିଲେ ସେମାନଙ୍କ ଲାଗି ଭଲ । ହେଲେ ଏହାକୁ ଉଭୟ ନେତା ପ୍ରତ୍ୟାଖ୍ୟାନ କରିବା ପରେ କେଜ୍ରିୱାଲଙ୍କ ଚିନ୍ତା ବଢିଥିଲା । ପରେ ପରେ ଦିଲ୍ଲୀରେ ହାରିବା ପରେ ଏବେ ଟେନସନ୍‌ ଡବଲ । 

ରାହୁଲ ଓ କେଜ୍ରିୱାଲଙ୍କୁ ଭେଟିଥିଲେ ଆଦିତ୍ୟ

ଦେଶରେ ବିଜେପିର ବିଜୟ, ଇଣ୍ଡି ମେଣ୍ଟର ଦୁର୍ଦ୍ଦଶାକୁ ନେଇ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଦିଲ୍ଲୀରେ କେଜ୍ରିୱାଲ ଓ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ । ଦୀର୍ଘ ସମୟ ଧରି ଆଲୋଚନା ବି କରିଥିଲେ । କିନ୍ତୁ ଆଦିତ୍ୟଙ୍କ ବୟାନରୁ ସ୍ପଷ୍ଟ ହୋଇଥିଲା କି ସେ କଂଗ୍ରେସ ଉପରେ ବର୍ଷିଥିଲେ । ଅବଶ୍ୟ ଠାକରେ କହିଥିଲେ, ରାଜନୀତି ରାଜନୀତି ରାସ୍ତାରେ ଯାଉ, କିନ୍ତୁ ବ୍ୟକ୍ତିଗତ ସମ୍ପର୍କ ଭଲ ଥାଉ । କୁହାଯାଉଛି କି, କଂଗ୍ରେସ ଚକ୍ରାନ୍ତରେ ଘାଇଲା ହୋଇଛନ୍ତି ଆଦିତ୍ୟ ଠିକ୍‌ କେଜ୍ରିୱାଲଙ୍କ ପରି । କାରଣ ମହାରାଷ୍ଟ୍ର ନିର୍ବାଚନ ବେଳେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ କେହି ସ୍ବୀକାର କଲେ ନାହିଁ । ସେପଟେ, ଶରଦ ପାୱାର ବି ମହାରାଷ୍ଟ୍ରରେ ଏମିତି ରଣନୀତି ଆପଣାଉଛନ୍ତି ଯାହାଦ୍ବାରା ଚିନ୍ତାରେ ଅନେକ ଅଛନ୍ତି । ଏମିତି ସ୍ଥିତିରେ ମମତାଙ୍କ ସ୍ବର ସହ ଉଦ୍ଧବଙ୍କ ପୁଅ ଆଦିତ୍ୟଙ୍କ ସ୍ବର ଏବେ ମିଶିଛି । ତେଣୁ ସମସ୍ତେ ଏବେ କଂଗ୍ରେସର ନେତୃତ୍ବ ଉପରେ ପ୍ରଶ୍ନ କରୁଛନ୍ତି । 

ମୋଟ୍‌ ଉପରେ ଇଣ୍ଡି ମେଣ୍ଟକୁ ନେଇ ପୁରା ଦେଶରେ ଏବେ ଚର୍ଚ୍ଚା ଚାଲିଛି । କାରଣ ଯେଉଁପରି ଭାବରେ ମେଣ୍ଟର ନେତୃତ୍ବ ସଂକଟରେ ରହିଛି ସେମିତି ଲାଗି ରହିଲେ ଆଗାମୀ ଦିନରେ କେବେ ବି କ୍ଷମତାକୁ ଫେରିପାରିବନି ଇଣ୍ଡି ମେଣ୍ଟ । ଆଗାମୀ ଦିନରେ ଏନେଇ ମେଣ୍ଟର ସଦସ୍ୟ କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।