କନକ ବ୍ଯୁରୋ: ଦିଲ୍ଲୀ ନିର୍ବାଚନରେ ହାରିବା ପରେ ଆକ୍ରମଣାତ୍ମକ ମୁଦ୍ରାରେ ରାହୁଲ ଗାନ୍ଧୀ । ଏଥର ତାଙ୍କ ଟାର୍ଗେଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ପ୍ରଶ୍ନ ପଚାରିଲେ ଚୁପ୍ ରହୁଛନ୍ତି ପ୍ରଧାନମନ୍ତ୍ରୀ । ଆଦାନୀଙ୍କୁ ଘଂଟ ଘଉଡାଇବା ଛଡ଼ା ତାଙ୍କର କୌଣସି ଚାରା ନାହିଁ । ଆମେରିକାରେ ଆଦାନୀଙ୍କୁ ନେଇ ମୋଦୀଙ୍କୁ ପ୍ରଶ୍ନ କରାଗଲେ ସେ କାହିଁକି ଏଡ଼ାଇ ଦେଉଛନ୍ତି ସେନେଇ ବି ବର୍ଷିଛନ୍ତି ରାହୁଲ । ଖାଲି ଏତିକି ନୁହେଁ ବରଂ ଆଦାନୀଙ୍କୁ ନେଇ ମୋଦୀ ଯେଉଁ ଉତ୍ତର ରଖିଛନ୍ତି ତାହାକୁ ନେଇ ରାହୁଲ ପ୍ରଶ୍ନ କରିବା ସହିତ ବିରୋଧୀମାନେ ବି ସ୍ବର ଏକାଠି କରିଛନ୍ତି ।
ରାହୁଲଙ୍କ ଟାର୍ଗେଟ୍ରେ ମୋଦୀ
କହିଲେ, ସତ ପଚାରିଲେ ଉତ୍ତର ଦେଉନାହାନ୍ତି
ଆଦାନୀଙ୍କୁ ଘଂଟା ଘଉଡ଼ାଉଛନ୍ତି ମୋଦୀ
ଦେଶରେ ପ୍ରଶ୍ନ କଲେ ଚୁପ
ବିଦେଶରେ ପ୍ରଶ୍ନ କଲେ ନିଜସ୍ବ ମାମଲା
ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଅନେକ ଦ୍ବିପାକ୍ଷିକ ଆଲୋଚନା ବି ହେଉଛି । କିନ୍ତୁ ରାହୁଲ ମୋଦୀଙ୍କୁ ପ୍ରଶ୍ନ କରି ଘାଇଲା କରିଥିବା ନେଇ ଦେଖିବାକୁ ମିଳୁଛି । ରାହୁଲ ସିଧାସିଧା କହିଛନ୍ତି, ଆଦାନୀଙ୍କ ଭଷ୍ଟ୍ରାଚାର ସମ୍ପର୍କରେ ମୋଦୀ ସବୁବେଳେ ଚୁପ୍ । ଯେଉଁ ସମୟରେ ମୋଦୀଙ୍କୁ ଦେଶ ଭିତରେ ଆଦାନୀଙ୍କୁ ନେଇ ପ୍ରଶ୍ନ କରନ୍ତି ସେବେ ପିଏମ୍ ଚୁପ୍ ରୁହନ୍ତି । ସମାନ ପ୍ରଶ୍ନ ବିଦେଶରେ ପଚରାଗଲେ ନିଜସ୍ବ ମାମଲା କୁହନ୍ତି । ଆଦାନୀଙ୍କ ଲାଗି ଟଙ୍କା ସଂଚୟ କରିବା ମୋଦୀଙ୍କର କଣ ରାଷ୍ଟ୍ର ନିର୍ମାଣ କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଯେଉଁମାନେ ଦେଶର ସମ୍ପତ୍ତି ନଷ୍ଟ ଲୁଟ୍ କରିଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ହେଉଛି ହେଲେ କାହିଁକି ମୋଦୀ ସରକାର ଆଦାନୀ ପ୍ରସଙ୍ଗରେ ଚୁପ୍ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।
ଉତ୍ତର ରଖିଥିଲେ ମୋଦୀ
ଆମେରିକାରେ ସାମ୍ବାଦିକମାନେ ମୋଦୀଙ୍କୁ ପ୍ରଶ୍ନ କରିଥିଲେ କି, ଆପଣ-ଟ୍ରମ୍ପଙ୍କ ସାକ୍ଷାତକାର ସମୟରେ ଆଦାନୀ ସମ୍ପର୍କରେ କିଛି ଆଲୋଚନା ହୋଇଛି କି ? ଉତ୍ତର ରଖି ମୋଦୀ କହିଥିଲେ ବ୍ୟକ୍ତିଗତ ମାମଲାରେ ଆମର କୌଣସି ଆଲୋଚନା ହୋଇନାହିଁ । ଆମର ସଂସ୍କୃତି ବସୁଧୈବ କୁଟୁମ୍ବକମ୍ । ଆମେ ପୁରା ବିଶ୍ବକୁ ନିଜର ପରିବାର ଭାବୁ । ପ୍ରତି ଭାରତୀୟ ମୋର ନିଜର । ମୁଁ ଏଠାରେ ସ୍ପଷ୍ଟ ଭାବରେ କହିବାକୁ ଚାହେଁ କି, ଦୁଇ ଦେଶର ନେତା କେବେ ଲୋକଙ୍କ ବ୍ୟକ୍ତିଗତ ସମ୍ପର୍କରେ କଥା ହୁଅନ୍ତି ନାହିଁ କି ଚର୍ଚ୍ଚା କରନ୍ତି ନାହିଁ ।
ଏମିତି ପୋଷ୍ଟ କଲା କଂଗ୍ରେସ
ଆଦାନୀଙ୍କୁ ନେଇ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରାଯାଇଛି । ଯେଉଁଥିରେ କୁହାଯାଇଛି କି, ଆମେରିକାର ସାମ୍ୱାଦିକମାନେ ଆଦାନୀଙ୍କ ଭ୍ରଷ୍ଟାଚାର ସମ୍ପର୍କରେ ମୋଦୀଙ୍କୁ ପ୍ରଶ୍ନ ପଚାରିଥିଲେ । ମୋଦୀ ଏହାକୁ ବ୍ୟକ୍ତିଗତ କଥା କହି ଅନ୍ୟ ପ୍ରସଙ୍ଗରେ କହିଥିଲେ । ପିଏମଙ୍କ ଚେହେରା ମଳିନ ପଡ଼ିଯାଇଥିଲା । ଆଦାନୀଙ୍କୁ ନେଇ ଶ୍ରୀଲଙ୍କା, ବାଂଲାଦେଶ ପରି ଅନେକ ଦେଶରେ ଛାନଭିନ ଚାଲିଛି । ଆମେରିକାରେ ତ ଭ୍ରଷ୍ଟାଚାର ମାମଲାରେ ୱାରେଣ୍ଟ ମଧ୍ୟ ଜାରି ହୋଇଛି । କିନ୍ତୁ ଏହାପରେ ବି ମୋଦୀ କହୁଛନ୍ତି ଏହା ବ୍ୟକ୍ତିଗତ କଥା । ମୋଟ୍ ଉପରେ ଆଦାନୀ ପ୍ରସଙ୍ଗରେ ଗୃହରେ ଝଡ଼ ସୃଷ୍ଟି ହୋଇସାରିଛି । କଂଗ୍ରେସ ଏନେଇ ସରକାରଙ୍କୁ ଟାର୍ଗେଟ୍ ବି କରିଛି । ଏମିତି ସ୍ଥିତିରେ ମୋଦୀ ଆଦାନୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।