କନକ ବ୍ୟୁରୋ: ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ । ହେଲେ ଏବେଠୁ ସରଗରମ ହେଲାଣି ବିହାର ରାଜନୀତି । ଗୋଟିଏ ପଟେ ନୀତିଶ ମୁଖ୍ୟମନ୍ତ୍ରୀ ଥିବା ବେଳେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛନ୍ତି । ଏପଟେ ଲାଲୁ ବି ରାଜନୈତିକ ଗୋଟି ଚଳାଇ କ୍ଷମତା ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନକୁ ହାତରେ ଆହୁରି ୮ ମାସ ପାଖାପାଖି ସମୟ ରହିଛି କିନ୍ତୁ ଏବେଠୁ ନେତାଏ ବୟାନବାଜି ଦେବା ଆରମ୍ଭ କରିଦେଲେଣି । ଖାସ କରି ଏନଡିଏ ଏଥର ଫର୍ମକୁ ଫେରିବ ବୋଲି କୁହାଯାଉଛି । ଯଦି ଏମିତି ହୁଏ ତାହାଲେ ଲାଲୁଙ୍କ ସ୍ବପ୍ନ ପୂରଣ ହେବ ନାହିଁ । ଏପଟେ ବିହାରର ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ବିହାରକୁ ଲାଲୁଙ୍କର କୌଣସି ଆବଶ୍ୟକତା ନାହିଁ । ଡେପୁଟି ସିଏମଙ୍କ ଏମିତି ବୟାନ ପରେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ।
ବିଜେପିକୁ କଟାକ୍ଷ କରୁଥିଲେ ଲାଲୁ
ବୋଲ୍ଡ କରିଦେଲେ ଉପ-ମୁଖ୍ୟମନ୍ତ୍ରୀ
ବିହାର ନିର୍ବାଚନକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ ନୀତିଶ କୁମାର ପୁଣି ଥରେ ସିଏମ ପଦରେ ବସନ୍ତୁ ଏନେଇ ଚାହୁଁନି ଆରଜେଡି । କିନ୍ତୁ ଏନଡିଏ ସହ ମିଶି ପୁଣି ଥରେ ବିହାରରେ ସରକାର କରିବାକୁ ନୀତିଶ ସଜବାଜ ହେଲେଣି । ସେପଟେ ଏନଡିଏ ଓ ନୀତିଶଙ୍କୁ ଟାର୍ଗେଟ୍ କରିଛନ୍ତି ଲାଲୁ । କହିଛନ୍ତି ବିହାରର ବିକାଶ ଏମାନେ କରିପାରିବେ ନାହିଁ । ଏମାନଙ୍କୁ ତଡ଼ିବାର ସମୟ ଆସିଯାଇଛି ବୋଲି କହିବାକୁ ପଛାଇ ନାହାନ୍ତି ଲାଲୁ । ଲାଲୁଙ୍କ ଏମିତି ଟିପ୍ପଣୀ ପରେ ରାଗିପାଚି ଲାଲ୍ ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା । ପ୍ରତିକ୍ରିୟା ରଖି କହିଛନ୍ତି, ଲାଲୁ କାହାକୁ ବିଦା କରିବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ଲାଲୁ ବିହାର ଲାଗି ଜରୁରୀ ନୁହେଁ । ତେଣୁ ସେ ନିଜ ରାସ୍ତା ନିଜେ ଦେଖନ୍ତୁ । ଏମିତି ବୟାନ ଦେବା ପରେ ବିରୋଧୀ ଶିବିରରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଲାଲୁ ବିହାରୀଙ୍କୁ ଗାଳି ଦେଇଛନ୍ତି । ରାଜ୍ୟକୁ ବର୍ବାଦ କରିଛନ୍ତି । ଏମିତି ସ୍ଥିତିରେ ତାଙ୍କୁ ଜନତା ଉଚିତ୍ ଜବାବ ଦେବେ । ଏମିତି ନେତା ବିହାରର ବିକାଶ କଣ କରିବେ ବରଂ ବିନାଶ କରିଦେବେ ବୋଲି କହିଛନ୍ତି ବିଜୟ ସିହ୍ନା ।
ଲାଲୁ କହିଲେ ବିଜେପିକୁ ଜିତିବାକୁ ଦେବୁନି
ଏପଟେ ଲାଲୁ ବି କଡ଼ା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିହାରରେ ଏଥର ବିଜେପିକୁ କେବେ ବି ଜିତିବାକୁ ଦେବୁ ନାହିଁ । ଦିଲ୍ଲୀରେ ବିଜୟ ହେବା ପରେ ସେମାନେ ଭାବୁଛନ୍ତି ପ୍ରତି ରାଜ୍ୟରେ ବିଜୟ ହେବେ । କିନ୍ତୁ ଦିଲ୍ଲୀ ନିର୍ବାଚନର ସମ୍ପର୍କ ଏ ରାଜ୍ୟ ସହ ନାହିଁ । ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ କିନ୍ତୁ ସ୍ବପ୍ନ କେବେ ବି ଏଠାରେ ବାସ୍ତବରୂପ ନେବ ନାହିଁ । ସେମାନେ ବି ଭଲରେ ଜାଣନ୍ତି କେମିତି ଓ କେଉଁ ପରିସ୍ଥିତିରେ ସେମାନେ ନିର୍ବାଚିତ ହେଉଛନ୍ତି ।
ସେପଟେ ଲାଲୁଙ୍କ ବୟାନକୁ ନେଇ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିହାର ରାଜନୀତିରେ ଲାଲୁଙ୍କ ପତିଆର ସରିସାରିଛି । ସେମାନଙ୍କୁ ଜନତା ବିଶ୍ବାସ କରିନାହାନ୍ତି କି କରିବେ ନାହିଁ । ପରିବାରବାଦ ରାଜନୀତି ପରିସମାପ୍ତି ହୋଇସାରିଛି ଏଥିରେ କୌଣସି ସନ୍ଦେହ ନାହିଁ । ମୋଟ୍ ଉପରେ ବିହାର ରାଜନୀତିକୁ ନେଇ ଏବେ ଦେଶରେ ଚର୍ଚ୍ଚା ।