କନକ ବ୍ୟୁରୋ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ?  କେଜ୍ରିୱାଲ କଣ ଏବେ ବି ଦିଲ୍ଲୀର ସିଏମ କି ?  ଏମିତି ପ୍ରଶ୍ନ ଶୁଣି ଆପଣ ଭାବୁଥିବେ କି ପୁରା ଦେଶ ଜାଣିଲା ଦିଲ୍ଲୀ ନିର୍ବାଚନରେ ଆପ୍‌ ହାରିଲା, ବିଜେପି ଜିତିଲା । ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍‌ ମୁଖ୍ୟ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ଆତିଶୀ ଦାୟିତ୍ବ ନେଇଥିଲେ । ଏହାପରେ ବି ଆମେ କେମିତି କହୁଛୁ ଦିଲ୍ଲୀର ସିଏମ ଏବେ ବି କେଜ୍ରିୱାଲ ଅଛନ୍ତି । ଆମେ କହୁନୁ ବରଂ ସୋସିଆଲ ମିଡିଆରେ ହୋଇଥିବା କିଛି ପୋଷ୍ଟକୁ ନେଇ ଏବେ ଏମିତି କିଛି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । 

Advertisment

ଚର୍ଚ୍ଚା ବଢାଇଲା ସୋସିଆଲ ମିଡିଆ ପୋଷ୍ଟ
ଏକ୍ସ ଆକାଉଣ୍ଟରେ ଲେଖା ଅଛି ଦିଲ୍ଲୀ ସିଏମ୍‌ କେଜ୍ରିୱାଲ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦେଖିବାକୁ ମିଳିଛି କି କେଜ୍ରିୱାଲ ଏବେ ବି ଦିଲ୍ଲୀ ସିଏମ । ସିଏ ପୁଣି ଏକ୍ସ ଆକାଉଣ୍ଟରେ ଭ୍ୟାରିଫାଏଡ଼୍‌ ରହିଛି । ଭାଇରାଲ ହେବା ପରେ ବିଜେପି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛି । କହିଛି, କିଛିଦିନ ପୂର୍ବରୁ ଦିଲ୍ଲୀ ସିଏମଓ  ନାଁରେ ଏ ଆକାଉଣ୍ଟ ଚାଲୁଥିଲା । ହେଲେ ଦିଲ୍ଲୀ ନିର୍ବାଚନରେ ଆପ୍‌ ହାରିବା ପରେ କେଜ୍ରିୱାଲ ଏହି ଆକାଉଣ୍ଟ ହ୍ୟାକ୍‌ କରି ନେଇଥିବା ଅଭିଯୋଗ ହୋଇଛି । ଘଟଣା ଅଧିକ ଭାଇରାଲ ହେବା ପରେ ସଙ୍ଗେ ସଙ୍ଗେ ଆକାଉଣ୍ଟ ଡିଲିଟ୍‌ ହୋଇଯାଇଛି । ଯାହା ସନ୍ଦେହକୁ ଆହୁରି ଘନିଭୂତ କରିଛି । 

ଦିଲ୍ଲୀ ବିଜେପିର ବଡ଼ ଅଭିଯୋଗ

ଦିଲ୍ଲୀ ବିଜେପିର ଅଭିଯୋଗ ଅନୁସାରେ, କେଜ୍ରିୱାଲ ଦିଲ୍ଲୀ ସିଏମଓର ଟ୍ବିଟର ଆକାଉଣ୍ଟ ହାଇଜାକ୍‌ କରିବା ପରେ ସେଠାରେ ନିଜ ନାଁ ଲେଖିଦେଇଛନ୍ତି । ଯେହେକୁ ଏହା ଏକ ସରକାରୀ ଅଫିସ୍‌ର ଟ୍ବିଟର ଆକାଉଣ୍ଟ ତେଣୁ ସହଜରେ ଯେକୌଣସି ବ୍ୟକ୍ତି ହାଇଜାକ୍‌ କରିନେଇ ନିଜ ନାଁରେ କରିଦେଇପାରିବେ । ଏହାସହ ନେତା ଅଭିଯୋଗ କରିଛନ୍ତି, ଥରେ ଚିନ୍ତା କରନ୍ତୁ କେଜ୍ରିୱାଲ ଯଦି ସରକାରୀ ଆକାଉଣ୍ଟର ଏମିତି ଅବସ୍ଥା କରିପାରିନ୍ତି ତାହାଲେ ତାଙ୍କ ଶାସନ ବେଳେ ରାଜସ୍ବର ହାଲ କେମିତି କରିଥିବେ । 

ଆକ୍ସନ ପାଇଁ ତେଜିଲା ଦାବି

ସିଏଓର ଆକାଉଣ୍ଟ ହ୍ୟାକ୍‌ ପରେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବ । ଏନେଇ ଉପରାଜ୍ୟପାଳଙ୍କ ପାଖରେ ବି ସେ ଫେରାଦ ହୋଇଛନ୍ତି । କହିଛନ୍ତି, କେଜ୍ରିୱାଲ ସରକାରୀ ଆକାଉଣ୍ଟକୁ ହ୍ୟାକ୍‌ କରିଥିବାରୁ ଦିଲ୍ଲୀର ଆଇଟି ବିଭାଗ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଡିଜିଟାଲ ଲୁଟ୍‌କୁ ରୋକିବାର ଆବଶ୍ୟକତା ରହିଛି । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କେମିତି ଏମିତି କରିପାରିଲେ ସେନେଇ ଉତ୍ତର ମାଗିବାର ଆବଶ୍ୟକତା ରହିଛି । ଆମ ଦଳ ପକ୍ଷରୁ ଏନେଇ ଉପରାଜ୍ୟପାଳଙ୍କୁ ସାକ୍ଷାତ କରାଯିବ ଏବଂ ଆକ୍ସନ ଲାଗି ନିବେଦନ ବି କରାଯିବ । 

୨୦୨୦ରେ ଖୋଲାଯାଇଥିଲା ଆକାଉଣ୍ଟ

ସୂଚନା ଅନୁସାରେ, କରୋନା ସମୟରେ ୨୦୨୦ ମସିହାରେ ଦିଲ୍ଲୀର ସିଏମଓ ଟ୍ବିଟର ଆକାଉଣ୍ଟ ଖୋଲାଯାଇଥିଲା । ଉଦ୍ଦେଶ୍ୟ ଥିଲା, ଲୋକଙ୍କ ସମସ୍ୟାର ସମାଧାନ କରିବା । ଆକାଉଣ୍ଟ ଖୋଲାଯିବା ପରେ ସରକାରଙ୍କୁ ଟ୍ୟାଗ୍‌ କରି ଲୋକମାନେ ନିଜ ଅଭିଯୋଗ କରୁଥିଲେ । ସରକାର ଏନେଇ ଦୃଷ୍ଟି ଦେବା ସହିତ ସମସ୍ୟା ବି ପ୍ରଥମେ ପ୍ରଥମେ ସମାଧାନ କରୁଥିଲେ । ଏମିତିକି କରୋନା କାଳରେ ପଜିଟିଭ୍‌ ରିପୋର୍ଟ ସେଠାରେ ପୋଷ୍ଟ ହେଉଥିଲା । ହେଲେ କେଜ୍ରିୱାଲ ଯେଉଁପରି ଭାବରେ ଆକାଉଣ୍ଟ ହ୍ୟାକ୍‌ କରିଥିବା ନେଇ ଅଭିଯୋଗ ପରେ ପୁରା ଦେଶରେ ଚର୍ଚ୍ଚା ଜୋର । କୁହାଯାଉଛି କି, ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଏହି ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଶେଷ ପୋଷ୍ଟ ଆତିଶୀଙ୍କ ଏକ ସ୍କୁଲ ପରିଦର୍ଶନର ଥିଲା । ହେଲେ ହ୍ୟାକ୍‌ କରିବା ପରେ ଏବେ କି ଆକ୍ସନ ହେଉଛି ତାହାକୁ ଅପେକ୍ଷା ।