କନକ ବ୍ୟୁରୋ: ଅଯୋଧ୍ୟାର ବଦଲା ପୁରା ହେଲା ମିଲ୍କକୀପୁରରେ । ସିଏ ପୁଣି ୬୦ ହଜାରରୁ ଅଧିକ ଭୋଟ୍ରେ । କଥାଟା ଶୁଣିବା ପରେ ଭଲରେ ବୁଝାପଡୁନଥିବ । କିନ୍ତୁ ଘଟଣା ପଛରେ ଥିବା କାହାଣୀ ଜାଣିଲେ ଆପଣ ବି ତାଜୁବ ହେବେ । କାରଣ ପୂର୍ବଥର ନିର୍ବାଚନରେ ଚନ୍ଦ୍ରଭାନୁ ପାଶୱାନ ହାରିଯାଇଥିଲେ । ଏହାରି ଭିତରେ ଆସି ପହଞ୍ଚିଥିଲା ଉପନିର୍ବାଚନ । ବିଜେପିରୁ ପ୍ରାର୍ଥୀ ହେଲେ ଚନ୍ଦ୍ରଭାନୁ । ଖାଲି ପ୍ରାର୍ଥୀ ହେଲେ ତାହା ନୁହେଁ ବରଂ ବିଜୟ ବି ହେଲେ । ସପାର ପ୍ରାର୍ଥୀଙ୍କଠାରୁ ବିଜୟ ହେବା ପରେ ଏନେଇ ଅଖିଳେଶ କହିଛନ୍ତି ଆମେ ପରାଜୟକୁ ସ୍ବୀକାର କରୁଛୁ ହେଲେ ବିଜେପି ଓ ପୋଲିସ ପ୍ରଶାସନ ଯେଉଁପରି ଭାବରେ ରାଜନୈତିକ ଖେଳ ଖେଳୁଛନ୍ତି ତାହା ଗଣତନ୍ତ୍ର ଲାଗି ବଡ଼ ବିପଦ ।
ଚନ୍ଦ୍ରଭାନୁଙ୍କୁ କାହିଁକି ପ୍ରାର୍ଥୀ କଲା ବିଜେପି ?
ଉପନିର୍ବାଚନ ଘୋଷଣା ହେବା ପରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ବିଜେପି ଭାବିଚିନ୍ତି ପ୍ରାର୍ଥୀ ବି ଦେଇଥିଲା । ଅବଶ୍ୟ ଏଥର ପୁରୁଣା ଚେହେରାଙ୍କ ବଦଳରେ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିଥିଲା ବିଜେପି । ସେପଟେ ଏହି ଚର୍ଚ୍ଚିତ ଆସନରୁ ସପା ସାଂସଦ ଅୱାଧେଶଙ୍କ ପୁଅ ଅଜିତ ପ୍ରସାଦଙ୍କୁ ପ୍ରାର୍ଥୀ କରିଥିଲେ । କିନ୍ତୁ ଲୋକଙ୍କ ବିଶ୍ବାସ ଜିତିବାରେ ସେ ସଫଳ ହୋଇନଥିଲେ । ଏପଟେ ଚନ୍ଦ୍ରଭାନୁ ପେଶାରେ ଜଣେ ଆଇନଜୀବୀ । ପୂର୍ବରୁ ଦୁଇଦୁଇଥର ପଂଚାୟତ ସମିତିରେ ସେ ସଦସ୍ୟ ହୋଇଛନ୍ତି । ଖାଲି ସେ କାହିଁକି ବରଂ ତାଙ୍କ ପତ୍ନୀ ଜିଲ୍ଲାସ୍ତରରେ ପଂଚାୟତ ସମିତିର ସଦସ୍ୟ ଅଛନ୍ତି ।ଆଉ ଏବେ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ସୂଚନା ଅନୁସାରେ , ମସିହା ୧୯୮୬ରେ ଚନ୍ଦ୍ରଭାନୁଙ୍କ ସପରିବାର ଶାଢୀ ବ୍ୟବସାୟ କରୁଥିଲେ । ଶାଢୀ ତିଆରି କରିବା ପରେ ଗୁଜୁରାଟ୍ରେ ଯାଇ ବେପାର ବି କରୁଥିଲେ । ବେପାର ସହ ଧୀରେ ଧୀରେ ରାଜନୀତିରେ ସକ୍ରିୟ ହେଲେ । ଖାସ କରି ଗତ ଦୁଇବର୍ଷ ହେଲା ମଲ୍ଲିକୀପୁର ଆସନରେ ସେ ବେଶ ସକ୍ରିୟ ଥିଲେ । ଲୋକଙ୍କ ସହ କଥାବାର୍ତ୍ତା ହେବା ସହିତ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ନେଇ କାମ ବି କରୁଥିଲେ । ସ୍ପଷ୍ଟ ଜଣାପଡୁଥିଲା କି ସେ ବିଧାନସଭା ପ୍ରାର୍ଥୀ ଲାଗି ଇଚ୍ଛୁକ ଅଛନ୍ତି । ଯାହା ଏବେ ସତପ୍ରମାଣିତ ହୋଇଛି ।
ଡର୍ଜେନରୁ ଅଧିକ ଥିଲେ ଆଶାୟୀ
ବାଜିମାରିନେଲେ ଚନ୍ଦ୍ରଭାନୁ
ପୁରା ଦେଶରେ ଏବେ ବିଜେପି ରାଜ୍ । ଅର୍ଥାତ୍ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପି ସରକାର କରୁଛି । ତେଣୁ ଏମିତି ସ୍ଥିତିରେ ଶାସକ ଦଳରୁ ପ୍ରାର୍ଥୀ ହେବା ଏକାଧିକ ଆଶାୟୀ ରହିବା ସ୍ବାଭାବିକ କଥା । କିନ୍ତୁ ଏହାପରେ ବି ଚନ୍ଦ୍ରଭାନୁଙ୍କ ନାଁରେ ମୋହର ମାରିଥିଲା ବିଜେପି । ପ୍ରାର୍ଥୀ ଘୋଷଣା ହେବା ପରେ ଜୋରଦାର ପ୍ରଚାର ବି ଆରମ୍ଭ କରିଥିଲେ ଆଉ ବିଜୟ ହୋଇଥିଲେ । ଚନ୍ଦ୍ରଭାନୁଙ୍କ ଲାଗି ଖୋଦ ଯୋଗୀ ଆଦିତ୍ୟନାଥଙ୍କ ସହ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଜୋରଦାର ପ୍ରଚାର କରିଥିଲେ, ସେପଟେ ସପା ପକ୍ଷରୁ ଅଖିଳେଶଙ୍କ ସହ ଅନେକ ନେତା ବି ଜୋରଦାର ପ୍ରଚାର କରିଥିଲେ । କୁହାଯାଉଛି କି, ଲୋକସଭା ନିର୍ବାଚନରେ ବିଜେପି ଅଯୋଧ୍ୟା ଆସନରୁ ହାରିଯାଇଥିଲା । ତେଣୁ ଏହି ଆସନ ଉପରେ ବିଜେପିର ଫୋକସ୍ ଥିଲା । ଆଉ ନେତୃତ୍ବ ରଖିଥିବା ଆଶାକୁ ନିରାଶ କରିନାହାନ୍ତି ଚନ୍ଦ୍ରଭାନୁ। ବରଂ ବିଜୟର ଧ୍ବଜା ଉଡ଼ାଇବାରେ ସେ ସଫଳ ହୋଇଛନ୍ତି ।
ଏଥର ଉପନିର୍ବାଚନରେ ଚନ୍ଦ୍ରଭାନୁ ମୋଟ୍ ୩ ଲକ୍ଷ ୫୮ ହଜାର ଭୋଟ୍ ପାଇଛନ୍ତି । କୁହାଯାଉଛି କି, ଏହି ଆସନରେ ଅଧିକାଂଶ ଭୋଟର ଅନୁସୂଚିତ ଜନଜାତି ସଂପ୍ରଦାୟର । ତେଣୁ ସେମାନେ ଏଥର ବିଜେପି ଉପରେ ଭରସା କରିଥିବା ଚର୍ଚ୍ଚା ହେଉଛି ।