କନକ ବ୍ୟୁରୋ : ୧୯୭୫ ମସିହାରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ସିନେମା ‘ଶୋଲେ’ ଦର୍ଶକଙ୍କ ମନରେ ଏମିତି ଛାପ ଛାଡ଼ିଲା ଯେ ଏହାକୁ କଲ୍ଟ କ୍ଲାସିକ୍ ହେବାକୁ ବହୁତ ସମୟ ଲାଗିଲା ନାହିଁ । ଦମଦାର୍ ଡାଏଲଗ୍ , ଜୟ-ବିରୁ ଦୋସ୍ତି , ଆଉ ଏକ ସୁନ୍ଦର କାହାଣୀର ପ୍ଲଟ୍ ସିନେପ୍ରେମୀଙ୍କୁ ଏମିତି ବାନ୍ଧିଲା ଯେ ଯାହା ପାଟିରୁ ଶୁଣ ଶୋଲେର ଡାଏଲଗ୍ ବାହାରିଲା । ଫିଲ୍ମରେ କେବଳ ମୁଖ୍ୟ ଚରିତ୍ର ନୁହେଁ ଗୌଣ ଚରିତ୍ର ମଧ୍ୟ ଲୋକଙ୍କୁ ଆକର୍ଷିତ କରିଥିଲା । ସିନେମାରେ ହାସ୍ୟ ଅଭିନେତା ରୂପେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ ଗୋବର୍ଦ୍ଧନ ଅସରାନି । ଯିଏ ଜେଲର୍ ଭୂମିକାରେ ନଜର ଆସିଥିଲେ ଏବଂ ତାଙ୍କର ସୁପରହିଟ୍ ଡାଏଲଗ୍ ଥିଲା ‘‘ହମ୍ ଅଙ୍ଗ୍ରେଞ୍ଜୋ କେ ଜମାନେକେ ଜେଲର୍ ହେଁ’’। ଜଣେ କମିକ୍ କ୍ୟାରେକ୍ଟର ଯାହାଙ୍କ ମୁଖରେ ଅଭିନେତାଙ୍କ ପ୍ରତି ଟିକେ ଭୟ କିନ୍ତୁ ଜେଲରର ରୁବାବ୍ ତାଙ୍କୁ ଫିଲ୍ମରେ ଜୀବନ ଦେଲା ଭଳି କାମ କରିଥିଲା । ତେବେ ସେତେବେଳେ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରିଥିବା ଏହି ଅଭନେତା ଆଉ ଏ ଦୁନିଆରେ ନାହାନ୍ତି ।
/filters:format(webp)/kanak/media/media_files/2025/10/22/comedy-hero-2025-10-22-09-28-51.jpg)
ସିନେମା ପରଦାରେ କେତେବେଳେ ହସାଇ ତ ଆଉ କେତେବେଳେ ଦର୍ଶକଙ୍କୁ କନ୍ଦାଇ ମନୋରଞ୍ଜନର ପରିଭାଷାକୁ ପରିମାର୍ଜିତ କରିଥିବା ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ ଅଭିନେତା ଗୋବର୍ଦ୍ଧନ ଅସରାନି । ଦଶନ୍ଧି ଧରି ନିଜର ଦମଦାର୍ କମେଡି ଏବଂ ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଅସରାନିଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଛି । ଅଭିନେତାଙ୍କ ମୃତ୍ୟୁର ସୂଚନା ତାଙ୍କ ମ୍ୟାନେଜର୍ ଦେଇଛନ୍ତି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏଭଳି ଜଣେ ଅଭିନେତାଙ୍କ ପରଲୋକ ବଲିଉଡରେ ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟାଇଛି କହିଲେ କିଛି ଭୁଲ୍ ହେବନି ।
ଗୋବର୍ଦ୍ଧନ ଅସରାନିଙ୍କ ନାଁ ଶୁଣିଲାମାତ୍ରେ ତାଙ୍କର କିଛି ଅଭୁଲା ଭୂମିକା ଆଖି ଆଗକୁ ଚାଲିଆସେ । ଯେଉଁଥିରେ ସବୁଠାରୁ ଆଗରେ ରହିଛି ସିନେମା ଶୋଲେ । ଯାହା ବଲିଉଡ୍ ଇତିହାସରେ ଏକ ନୂଆ ଫର୍ଦ୍ଦ ସୃଷ୍ଟି କରିଥିଲା । ଅସରାନିଙ୍କ ଏହି ଗୌଣ ଭୂମିକା ତାଙ୍କୁ ବଡ଼ ପରଦାରେ ଏପରି ଜୀବନ୍ତ କରିଦେଲା ଯେ ଆଜିବି ସିନେମାର ନାୟକ ଏବଂ ଖଳନାୟକଙ୍କ ଅପେକ୍ଷା ହାସ୍ୟ ଅଭିନେତାଙ୍କୁ ଲୋକ ଅଧିକ ମନେ ରଖିଛନ୍ତି । ଜୟପୁରରେ ଜନ୍ମିତ ଅସରାନିଙ୍କ ହିରୋ ହେବା ନିଶା ତାଙ୍କୁ ମାୟାନଗରୀରୁ ମୁମ୍ବାଇକୁ ଟାଣି ଆଣିଥିଲା । ଆରମ୍ଭ ସେତେଟା ସହଜ ନଥିଲା ତଥାପି ସେ ହାର୍ ମାନିନଥିଲେ । ପୁନେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ରେ ତାଲିମ ନେବା ପରେ ୧୯୬୭ ରେ "ହରେ କାଞ୍ଚ କି ଚୁଡିୟାଁ" ଫିଲ୍ମରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ "ଗୁଡ୍ଡି" ଏବଂ "ବାୱାର୍ଚି" ଭଳି ଚଳଚ୍ଚିତ୍ରରେ ତାଙ୍କୁ ଛୋଟ ଛୋଟ ରୋଲ୍ ମିଳିଥିଲା କିନ୍ତୁ ଏଥିରେ ମଧ୍ୟ ସେ ପ୍ରଭାବଶାଳୀ ଭୂମିକା ନିଭାଇଥିଲେ । ଖାଲି ହିନ୍ଦୀ ନୁହେଁ ପଞ୍ଜାବୀ , ଗୁଜୁରାଟୀ ଚଳଚ୍ଚିତ୍ରରେ ମଧ୍ୟ ସେ ନିଜର ଜଲୱା ଦେଖାଇଛନ୍ତି । ଖାଲି ଅଭିନେତା ନୁହେଁ ନିର୍ଦ୍ଦେଶକ ଭୂମିକାରେ ମଧ୍ୟ ସେ ଭାଗ୍ୟ ପରୀକ୍ଷା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ । କ୍ୟାରିୟରରେ ୩୦୦ ରୁ ଅଧିକ ସିନେମାରେ ଅଭିନୟ କରି ହାସ୍ୟରସକୁ ଏକ ନୂଆ ଦିଗ ଦେଖାଇଥିବା ଅସରାନିଙ୍କ ହସ ସିନେପ୍ରେମୀଙ୍କ ମନରେ ଯୁଗ ଯୁଗ ଧରି ରହିଥିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।