କନକ ବ୍ୟୁରୋ : ମନୋରଞ୍ଜନ ଜଗତରେ ଯଦି ବିବାଦୀୟ ସୋ’ କୁ ତାଲିକା କରାଯାଏ ତେବେ ଏହି ତାଲିକାରେ ପ୍ରଥମରେ ରହିବ ସୋ’ ବିଗ୍ ବସ୍ । ଚଳିତବର୍ଷ ଏହି ସୋ’ର ୧୯ ତମ ସିଜନ୍ ଚାଲିଥିବାବେଳେ ଚର୍ଚ୍ଚାରେ ରହିଛନ୍ତି ପ୍ରତିଯୋଗୀ ତାନ୍ୟା ମିତ୍ତଲ । ଦୁବାଇରେ ମିଠା ଖାଇବା,ଆଗ୍ରାରେ କଫି ପିଇବା,୧୫୦ ଅଙ୍ଗରକ୍ଷୀଙ୍କୁ ସାଙ୍ଗରେ ନେଇ ଚାଲିବା,୧ ଏକର ଘରେ ଶାଢ଼ି ରଖିବା ଭଳି କଥା କହି ସେ ସୋ’ ସମେତ ସୋସିଆଲ୍ ମିଡିଆରେ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି । କେହି କେହି ତାଙ୍କୁ ମିଛେଇ କହୁଥିବା ବେଳେ ଆଉ କେହି ତାଙ୍କୁ ଦିବାସ୍ବପ୍ନ ରାଇଜର ନାୟିକା ବୋଲି କହୁଛନ୍ତି । ତେବେ ପ୍ରତିଥର କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସୁଥିବା ତାନ୍ୟାଙ୍କର ଏବେ ବଢ଼ିଛି ଅଡୁଆ । ତାନ୍ୟାଙ୍କ ବିରୋଧରେ ମୁମ୍ବାଇର ଇଣ୍ଟରନେଟ୍ ମିଡିଆ ଇନଫ୍ଲୁଏନ୍ସର ଫୈଜାନ ଅନସାରୀ ଗ୍ୱାଲିଅରର ଏସଏସପିଙ୍କ ଅଫିସରେ ପହଞ୍ଚି ଅଭିଯୋଗ କରିଛନ୍ତି । ଫୈଜାନ ତାନ୍ୟାଙ୍କ ଉପରେ ଆର୍ଥିକ ଠକେଇ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ଏଫଆଇଆର ପଞ୍ଜୀକୃତ ହୋଇନଥିଲେ ମଧ୍ୟ ପୁଲିସ ଅଭିଯୋଗପତ୍ର ଗ୍ରହଣ କରିଛି । 

Advertisment

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମୁମ୍ବାଇର ଫୈଜାନ ଗ୍ୱାଲିଅରରେ ପହଞ୍ଚି ଏସଏସପି କାର୍ଯ୍ୟାଳୟରେ ଜନଶୁଣାଣି ସମୟରେ ଲିଖିତ ଅଭିଯୋଗ କରିଥିଲେ । ଫୈଜାନ ଅଭିଯୋଗ କରିଥିଲେ ଯେ ଗ୍ୱାଲିଅରର ବାସିନ୍ଦା ତାନ୍ୟା ମିତ୍ତଲ ବିଗ୍ ବସର ସବୁଠାରୁ ବିବାଦୀୟ ପ୍ରତିଯୋଗୀ । ସେ ନିଜର ଧନୀ ହେବାର ମିଥ୍ୟା କାହାଣୀ ଶୁଣାଇଥିଲେ । ଯେତେବେଳେ ସତ କଥା ସାମ୍ନାକୁ ଆସିଲା ସେ ପରିହାସର ପାତ୍ର ହୋଇଥିଲେ । ଫୈଜାନ ଜଣେ ଯୁବକଙ୍କ ନାଁ ନେଇ କହିଛନ୍ତି ଯେ ସେ ତାନ୍ୟାଙ୍କ ବନ୍ଧୁ ଏବଂ ତାଙ୍କଠାରୁ ଟଙ୍କା ପାଇଁ ଠକେଇ କରିଛନ୍ତି । ତେବେ ଏହି ମାମଲାରେ ତାନ୍ୟାଙ୍କ ବିରୋଧରେ କୋର୍ଟକୁ ଯିବାକୁ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି ଫୈଜାନ । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ତାନ୍ୟାଙ୍କ ପରିବାର ପକ୍ଷରୁ କେହି ପ୍ରତିକ୍ରିୟା ଦେଇନାହାନ୍ତି ।  

ସୂଚନାଯୋଗ୍ୟ ଯେ ବିଗବସ୍ ପ୍ରତିଯୋଗୀ ତାନ୍ୟା ମିତ୍ତଲ ଗ୍ୱାଲିଅରର ସିଟି ସେଣ୍ଟର ଅଞ୍ଚଳର ବାସିନ୍ଦା । ସେ ବିଗ୍ ବସ୍-୧୯ର ଜଣେ ପ୍ରତିଯୋଗୀ । ସୋ’ରେ ନିଜ ଘର ଏବଂ କାରକୁ ନେଇ ସେ କିଛି ଏପରି କାହାଣୀ କହିଥିଲେ, ଯାହା ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା । ଏହା ପରଠାରୁ ସେ ସୋସିଆଲ୍ ମିଡିଆରେ ଲଗାତାର ଟ୍ରୋଲ୍ ହେଉଛନ୍ତି ।