କନକ ବ୍ୟୁରୋ : ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୫ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ରିୟାଲିଟି ସୋ’ କୌନ ବନେଗା କରୋଡପତି ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି । ସୋ’ରେ କେହି ଅଧିକ ଟଙ୍କା ଜିତିଲେ ହେଉ କି କୌଣସି ତାରକା ଆସିଲେ ସବୁବେଳେ ଚର୍ଚ୍ଚାର ଶିରୋନାମାରେ ଆସିଥା’ନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କୁ ନେଇ ଚର୍ଚ୍ଚା । ଏହି କୁନି ପିଲାଟି କୌନ ବନେଗା କରୋଡପତିରେ ଭାଗ ନେଇଥିଲେ ମଧ୍ୟ ଜିତି ପାରିନଥିଲେ । ତଥାପି ତାଙ୍କ ନାଁ ଏବେ ଚର୍ଚ୍ଚାରେ । 

Advertisment

ଗୁଜୁରାଟ ଗାନ୍ଧୀନଗରର ପଞ୍ଚମ ଶ୍ରେଣୀର ଛାତ୍ର ଇଶିତ ଭଟ୍ଟ କୌନ ବନେଗା କରୋଡପତିକୁ ଆସିଥିଲେ । କିନ୍ତୁ ତାଙ୍କ ଆଚରଣ ପାଇଁ ସୋସିଆଲ ମିଡିଆରେ ସେ ଟ୍ରୋଲିଂର ସମ୍ମୁଖୀନ ହେଉଛନ୍ତି । ଅମିତାଭ ବଚ୍ଚନଙ୍କ ଦ୍ୱାରା ଆୟୋଜିତ ଶୋ’ରେ ତାଙ୍କର ଓଭର୍ କନ୍ଫିଡେନ୍ସ ଏବଂ ବ୍ୟବହାର ଦର୍ଶକଙ୍କୁ ଭଲ ଲାଗିନଥିଲା । ବିଗ୍ ବିଙ୍କ ପ୍ରତି ତାଙ୍କର ଆଚରଣ ମଧ୍ୟ ଦର୍ଶକଙ୍କୁ କ୍ରୋଧିତ କରିଛି । ସୋସିଆଲ ମିଡିଆରେ ତାଙ୍କ ସଂସ୍କାର ,ଲାଳନପାଳନକୁ ନେଇ ପ୍ରଶ୍ନ ଉଠାଯାଉଛି । ଏହି ସମୟରେ ଅମିତାଭ ବଚ୍ଚନଙ୍କ ସଦ୍ୟତମ ଟ୍ୱିଟ୍ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ବଲିଉଡର ସୁପରଷ୍ଟାର୍ କହିଛନ୍ତି ଯେ "କହିବାକୁ କିଛି ନାହିଁ । ମୁଁ ଆଶ୍ଚର୍ଯ୍ୟ !" ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଶଂସକମାନେ KBC ରେ ଆସିଥିବା ପିଲାଟିର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ କମେଣ୍ଟ୍ ଦେଇ ୟୁଜର୍ କହିଛନ୍ତି ଯେ "କହିବାକୁ କିଛି ନାହିଁ, କେବଳ ଦୁଇଟି ଚାପୁଡ଼ା।" ଆଉ କିଏ କହିଛନ୍ତି "ସେହି ପିଲାଟି ଦୁଷ୍ଟ ଥିଲା, ସାର୍ । ଆପଣ ତାକୁ ଦୁଇଥର ଚାପୁଡ଼ା ମାରିବାର ଥିଲା ।" 

କେବିସିର ଏହି ଏପିସୋଡରେ ପଞ୍ଚମ ଶ୍ରେଣୀର ଛାତ୍ର ଇଶିତ ହଟ୍ ସିଟ୍‌ରେ ବସିବା ମାତ୍ରେ ଅଧିକ ଉତ୍ସାହିତ ଦେଖାଯାଉଛନ୍ତି , ଏହା ସାଧାରଣ କଥା । କିନ୍ତୁ ସେ ଯେତେବେଳେ ବିଗ୍ ବି ସହ କଥାବାର୍ତ୍ତା କରୁଛନ୍ତି ତାଙ୍କର ବ୍ୟବହାରରେ ସେତେଟା ଶାଳୀନତା ନଜର ଆସୁନାହିଁ । ଅମିତାଭଙ୍କ ପ୍ରଶ୍ନ ଥିଲା ଯେ ଆପଣଙ୍କୁ ହଟ୍ ସିଟରେ ବସି କେମିତି ଲାଗୁଛି ଆଉ ଏହାର ଉତ୍ତରରେ ସେ କହିଥିଲେ ଯେ "ମୁଁ ବହୁତ ଉତ୍ସାହିତ ସାର୍ , କିନ୍ତୁ ସିଧା ପ୍ରସଙ୍ଗକୁ ଯିବା । ମୁଁ ନିୟମ ଜାଣେ, ମୋତେ ବୁଝାନ୍ତୁ ନାହିଁ।" ବିଗ୍ ବି ଏହାକୁ ଅଣଦେଖା କରି ହସିଖେଳି ଖେଳ ଆଗକୁ ବଢ଼ାନ୍ତି । ଯେଉଁଥିରେ ପ୍ରଥମ ଚାରୋଟି ପ୍ରଶ୍ନର ଉତ୍ତର ଓଭର୍ କନ୍ଫିଡେନ୍ସରେ ଅପ୍ସନ୍ ନଦେଖି ଇଶିତ ଦେଉଛନ୍ତି କିନ୍ତୁ ପଞ୍ଚମ ପ୍ରଶ୍ନ ତାଙ୍କୁ ହରାଇ ଦେଉଛି । ଜିତ-ହାର ତ ଜୀବନରେ ଲାଗିଥିବ କିନ୍ତୁ ପିଲାଟିର ବ୍ୟବହାର ଖାଲି ଶତାବ୍ଦୀର ମହାନାୟକଙ୍କୁ ହିଁ ନୁହେଁ ଦର୍ଶକଙ୍କୁ ମଧ୍ୟ ବ୍ୟଥିତ କରିଥିଲା । ତେବେ ପିଲାଟିର ଏଭଳି ବ୍ୟବହାର ପରେ ମଧ୍ୟ ଅମିତାଭ୍ ତାଙ୍କ ସହ ଫଟୋ ଉଠାଇ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଥିଲେ ।