କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆକୁ ସଫଳତା ଏବଂ ବିଫଳତା ଉଭୟର ଚଳନ୍ତା ପ୍ଲାଟଫର୍ମ ବୋଲି କୁହାଯାଏ । ଏଇଠି କିଏ କେତେବେଳେ ରଙ୍କରୁ ରାଜା ଏବଂ ରାଜାରୁ ରଙ୍କ ହୋଇଯିବେ କେହି ଜାଣିପାରିବେ ନାହିଁ । ସୋସିଆଲ୍ ମିଡିଆରେ ରିଲ୍ ଭାଇରାଲ୍ ହୋଇଗଲେ ଉକ୍ତ ବ୍ୟକ୍ତିଙ୍କର ଭାଗ୍ୟ ପରିବର୍ତ୍ତନ ହେଲା ବୋଲି ଜାଣ । ଏହାର ଜ୍ବଳନ୍ତ ଉଦାହରଣ ମହାକୁମ୍ଭର ମୋନାଲିସା, ଭିକାରୀରୁ ଗାୟିକା ହୋଇଥିବା ରାନୁ ମଣ୍ଡଳ ଏମିତି ଅନେକ। ତେବେ ୨୦୨୧ ରେ ଠିକ୍ ଏମିତି ହିଁ ଗୋଟିଏ ଗୀତ ଭାଇରାଲ୍ ହୋଇଥିଲା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତଙ୍କ ପାଟିରୁ ବାହାରି ଆସୁଥିଲା ‘କଚ୍ଚା ବାଦାମ’ ଗୀତ । ଗୀତଟି ସୋସିଆଲ୍ ମିଡିଆ ଟ୍ରେଣ୍ଡରେ ସାମିଲ୍ ହେଲା । ଯୁବପିଢ଼ି ରିଲ୍ ଉପରେ ରିଲ୍ କଲେ ଯାହା ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ୟୁଟ୍ୟୁବରେ ଛାଇଗଲା । କିନ୍ତୁ ଯେତେବେଳେ ସମସ୍ତେ ଜାଣିଲେ ଯେ ଏହି ଭାଇରାଲ୍ ଗୀତଟି ଜଣେ ବାଦାମ ବିକାଳୀ ଗାଇଛନ୍ତି ତା’ପରେ ଗୀତ ସହ ଗାୟକଙ୍କ ଚର୍ଚ୍ଚା ବି ବଢ଼ିଲା । ଗଳିକୁ ଗଳି ବୁଲି ବାଦାମ ବିକୁଥିବା ଭୁବନ ବାଦ୍ୟକରଙ୍କ ଜୀବନ ରାତାରାତି ବଦଳିଗଲା କେବଳ ଏହି ଗୋଟିଏ ଗୀତ ପାଇଁ । ଭୁବନ ଇଣ୍ଟରନେଟ୍ ସେନସେସନ୍ ପାଲଟିଗଲେ , ଚାରିଆଡୁ ସମ୍ମାନ ପାଇଲେ , ଟଙ୍କା ବି ପାଇଲେ । ବର୍ତ୍ତମାନ ‘କଚ୍ଚା ବାଦାମ’ ଭାଇରାଲ୍ ହେବାର ୪ ବର୍ଷ ବିତିଗଲାଣି । ଭୁବନ ବାଦ୍ୟକର ମଧ୍ୟ ଏହାରି ଭିତରେ ଖୁବ୍ ଲୋକପ୍ରିୟ ହେଲେଣି । ତାଙ୍କର ଭାଇରାଲ୍ ଗୀତଟି ଏବେ ଅନେକ ରିମିକ୍ସର ସଂସ୍କରଣ ସୃଷ୍ଟି କରିଛି । ଅଭିଷେକ କୁମାର ଏବଂ ଉର୍ଫି ଜାଭେଦଙ୍କ ପରି ଲୋକପ୍ରିୟ ଟିଭି ତାରକା ମଧ୍ୟ ଏହାର ମ୍ୟୁଜିକ୍ ଭିଡିଓରେ ନାଚୁଥିବାର ନଜର ଆସିଛନ୍ତି ।
ତେବେ ଖାଲି ଭୁବନଙ୍କ ଭାଗ୍ୟ ନୁହେଁ ଏହି ଗୀତର ରିଲ୍ ଅଞ୍ଜଳି ଆରୋରାଙ୍କ ଭାଗ୍ୟ ମଧ୍ୟ ବଦଳାଇ ଦେଇଥିଲା । ଅଞ୍ଜଳି ଏବେ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି । ନିକଟରେ YouTuber ନିଶୁ ତିୱାରୀ କଚ୍ଚା ବାଦାମ ଗାୟକଙ୍କୁ ଭେଟିଥିଲେ, ଯେଉଁଠାରେ ଭୁବନ ନିଶୁଙ୍କୁ ନିଜ ଘର ବୁଲାଇ ଦେଖାଇଥିଲେ । ପୂର୍ବରୁ ଛୋଟ କୁଡ଼ିଆରେ ରହୁଥିବା ଭୁବନ ଏବେ ଛାତ ଘରର ମାଲିକ । କେବେ ସେ ବାଦାମ ବିକି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ସେ ଜଣେ ଗାୟକ । ତେବେ ସାକ୍ଷାତକାର ବେଳେ ଭୁବନ କହିଥିଲେ ଯେ ସେ କେମିତି ‘କଚ୍ଚା ବାଦାମ’ ଗୀତ ପ୍ରସ୍ତୁତ କରିଥିଲେ । ଭୁବନ କହିଥିଲେ ,ଯେତେବେଳେ ସେ ବାଦାମ ବିକୁଥିଲେ ଲୋକମାନେ ତାଙ୍କର ଜିନିଷପତ୍ର ଚୋରି କରୁଥିଲେ ଆଉ ତା’କୁ ଆଧାର କରି ସେ ଏହି ଗୀତର ରଚନା କରିଥିଲେ । ଦିନେ ବାଦାମ ବିକୁଥିବା ବେଳେ ତାଙ୍କ ଗୀତକୁ ରେକର୍ଡ କରି ଗାଁର ଜଣେ ଯୁବକ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଦେଲେ । ଆଉ ତା’ପରେ ବଦଳି ଯାଇଥିଲା ବାଦାମ ବିକାଳୀଙ୍କ ଭାଗ୍ୟ । ଏହି ଗୀତ ପାଇଁ ତାଙ୍କୁ ମୁମ୍ବାଇରୁ ଡାକରା ଆସିଲା ଏବଂ ୬୦,୦୦୦ ରୁ ୭୦ ,୦୦୦ ହଜାର ଟଙ୍କା ମିଳିଥିଲା । ଲୋକପ୍ରିୟ ହେବା ପରେ ସେ ସରକାରଙ୍କଠାରୁ ମଧ୍ୟ ଆର୍ଥିକ ସହାୟତା ପାଇଥିଲେ । ତେବେ ମୁମ୍ବାଇରେ ଭୁବନଙ୍କୁ ବଡ଼ ସ୍ବପ୍ନ ଦେଖାଇ ଗୀତ ରେକର୍ଡ କରାଯାଇଥିଲା ଏବଂ ତାଙ୍କଠାରୁ ଏକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିଲା ଯାହା ପରେ ସେ "କଚ୍ଚା ବାଦାମ" ଗୀତର କପିରାଇଟ୍ ହରାଇଥିଲେ । ବର୍ତ୍ତମାନ ସମୟରେ ଗୀତଟି YouTube ସମେତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ 500 ମିଲିୟନରୁ ଅଧିକ ଥର ଦେଖାଯାଇଛି । କିନ୍ତୁ ବାସ୍ତବରେ ଭୁବନଙ୍କ ପ୍ରତିଭାର ଲାଭ ଅନ୍ୟ କେହି ଉଠାଉଛନ୍ତି ।