କନକ ବ୍ୟୁରୋ : ବିହାର ରାଜନୀତିରେ ଏକ ନୂଆ ନାଁ ଦ୍ରୁତ ଗତିରେ ଚର୍ଚ୍ଚାର ବିଷୟ ପାଲଟିଛି : ଦିବ୍ୟା ଗୌତମ । ଯାହାଙ୍କ ସରଳତା, ଆତ୍ମବିଶ୍ୱାସ ଏବଂ ପରିବର୍ତ୍ତନର ଇଚ୍ଛା ହିଁ ହେଉଛି ତାଙ୍କର ପ୍ରକୃତ ପରିଚୟ । ପାଠପଢ଼ାରେ ସର୍ବଦା ଆଗୁଆ ଥିବା ଦିବ୍ୟା ଏବେ ରାଜନୀତି ମଇଦାନରେ ପ୍ରବେଶ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଦିବ୍ୟା କେବଳ ରାଜନୀତିରେ ସୀମିତ ନୁହଁନ୍ତି; ଚଳଚ୍ଚିତ୍ର ଜଗତ ସହିତ ମଧ୍ୟ ତାଙ୍କର ସମ୍ପର୍କ ଅଛି । ବଲିଉଡ୍ ଜଗତର ଜଣେ ଜଣାଶୁଣା କଳାକାର ଯେ ନିଜ ଜୀବନ୍ତ ଅଭିନୟ ମାଧ୍ୟମରେ ଟେଲି ପରଦାରୁ ସିଧା ସିନେମା ଦୁନିଆକୁ ପ୍ରବେଶ କରିଥିଲେ । କିନ୍ତୁ ବିଧିର ବିଧାନ ଦେଖନ୍ତୁ ସଫଳତାର ଶୀର୍ଷରେ ପହଞ୍ଚୁ ପହଞ୍ଚୁ ଜୀବନ ତାଙ୍କ ହାତ ଛାଡ଼ିଦେଲା । ବଲିଉଡର ସେହି କଳାକାର ଯାହାଙ୍କ ମୃତ୍ୟୁରେ ସାରା ଦେଶ କାନ୍ଦିଥିଲା ସେ ଆଉ କେହି ନୁହଁନ୍ତି ବିହାରର ପୁଅ ସୁଶାନ୍ତ ସିଂ ରାଜପୁତ୍ । ଯାହାଙ୍କ ନାଁ ଏବେ ବି ଶୁଣିଲେ ସିନେପ୍ରେମୀଙ୍କ ଆଖିରେ ଲୁହ ଆସିଯାଏ । ତେବେ ସୁଶାନ୍ତଙ୍କ ସହ ଦିବ୍ୟାଙ୍କ କ’ଣ ସଂପର୍କ ଥିଲା ଆସନ୍ତୁ ଜାଣିବା । 

Advertisment

ଦିବ୍ୟା ଗୌତମଙ୍କ ଯାତ୍ରା କୌଣସି ସିନେମାଠାରୁ କମ୍ ନୁହେଁ । ପାଟନା ବିଶ୍ୱବିଦ୍ୟାଳୟରୁ Mass Communication ରେ ସ୍ନାତକୋତ୍ତର ସମାପ୍ତ କରିବା ପରେ କଲେଜରେ ସହାୟକ ପ୍ରଫେସର ଭାବରେ ପାଠପଢ଼ା ଆରମ୍ଭ କରିଥିଲେ । ତା'ପରେ ସେ BPSC ପାସ୍ କରି ସରକାରୀ ଚାକିରି ପାଇଥିଲେ । କିନ୍ତୁ ଦିବ୍ୟାଙ୍କୁ ଚାକିରି ଅପେକ୍ଷା ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବା ଅଧିକ ପସନ୍ଦ ଥିଲା । ତେଣୁ ସରକାରୀ ପଦବୀ ଛାଡ଼ି ଏହି ଚିନ୍ତାଧାରା ସହିତ ଦିବ୍ୟା ଏକ ରାଜନୈତିକ ଯାତ୍ରା ଆରମ୍ଭ କଲେ । ବର୍ତ୍ତମାନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପାଟନାର ଦୀଘା ନିର୍ବାଚନମଣ୍ଡଳୀରୁ ଦିବ୍ୟା ଗୌତମଙ୍କୁ ପ୍ରାର୍ଥୀ କରିଛି । ପାର୍ଟି ବିହାର ରାଜନୀତିରେ ଏପରି ଏକ ନୂଆ ମୁହଁ ଆଣିବାକୁ ଚାହୁଛି ଯିଏ କଥା ଅପେକ୍ଷା କାମରେ ଅଧିକ ବିଶ୍ୱାସ କରେ । ତେବେ ଦିବ୍ୟାଙ୍କୁ ଦଳର ନୂତନ ଯୁଗର ନେତା ବୋଲି କୁହାଯାଉଛି କାରଣ ସେ ସୋସିଆଲ ମିଡିଆର ଭାଷା ଏବଂ ଗାଁ ମାଟିର କଥା ଦୁଇଟି ଯାକ ବୁଝନ୍ତି । ମହିଳା ଅଧିକାର, ଶିକ୍ଷା ଏବଂ ବେକାରି ତାଙ୍କର ମୁଖ୍ୟ ପ୍ରସଙ୍ଗ ଏବଂ ଏହା ତାଙ୍କୁ ଅନ୍ୟ ପ୍ରାର୍ଥୀଙ୍କଠାରୁ ଭିନ୍ନ କରିବ ବୋଲି ବିଶ୍ବାସ ରହିଛି । 

ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିବ୍ୟା ହେଉଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଭଉଣୀ । ସେ ସୁଶାନ୍ତଙ୍କ ପରି ତାଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି । ସେ କୁହନ୍ତି, "ସୁଶାନ୍ତ ସବୁବେଳେ କହୁଥିଲେ ଯେ ଯେକୌଣସି ପରିସ୍ଥିତି ହେଉ ନା କାହିଁକି ସ୍ୱପ୍ନକୁ ସବୁବେଳେ ଜୀବନ୍ତ ରଖ... ଏବଂ ହୁଏତ ମୁଁ ତାହା ହିଁ କରୁଛି ।" ଆଜି ଯେତେବେଳେ ବିହାରର ରାସ୍ତାରେ ପୋଷ୍ଟର ଲଗାଯାଉଛି, ଲୋକମାନେ କେବଳ ପ୍ରାର୍ଥୀ ନୁହେଁ, ଦିବ୍ୟାଙ୍କ କାହାଣୀ ଦେଖୁଛନ୍ତି ।