କନକ ବ୍ୟୁରୋ: ଡାକ୍ତରୀ ପାଠ ପଢିବାକୁ ଯେଉଁମାନେ ସ୍ବପ୍ନ ଦେଖୁଛନ୍ତି ସେମାନେ ଖୁସି ହୋଇଯାଆନ୍ତୁ । କାରଣ ଗତକାଲିର ବଜେଟ୍‌ ଉପରେ ଯଦି ଅନୁଶୀଳନ କରିବେ ତାହାଲେ ସ୍ପଷ୍ଟ ଭାବରେ ଜାଣିପାରିବେ କି ମେଡ଼ିକାଲ ପିଲାଙ୍କ ଲାଗି ସରକାର କେତେ ମାତ୍ରାରେ ଫୋକସ କରିଛନ୍ତି । କାରଣ ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ୍‌ ଖୋଲିବାଠୁ ଆରମ୍ଭ କରି ମେଡିକାଲ ସିଟ୍‌ ସଂଖ୍ୟା ବଢାଇବା ଲାଗି ବଜେଟ୍‌ରେ ବିଶେଷ ବରାଦ କରାଯାଇଛି । ତେଣୁ ଯେଉଁମାନେ ମେଡ଼ିକାଲ ବିଭାଗରେ ପାଠ ପଢିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଖୁସି ଖବର । 

Advertisment

ଡାକ୍ତର ସ୍ବପ୍ନ ପୂରଣ କରିବ ବଜେଟ୍‌
ପେଡି ଖୋଲିଲା, ଡାକ୍ତର ହେବାର ସ୍ବପ୍ବ ବଢିଲା

ସଂସଦରେ ଉପସ୍ଥାପିତ ହେଲା ୨୫-୨୬ ବର୍ଷ ଲାଗି ଆର୍ଥିକ ବଜେଟ୍‌ । ବଜେଟ୍‌ ପୂର୍ବରୁ କି ଘୋଷଣା କରିବେ କେନ୍ଦ୍ର ସରକାର ସେନେଇ ଆଲୋଚନା ବି ହେଲା । ଖାସ କରି ବଜେଟ୍‌ରେ ମଧ୍ୟବିତ୍ତଙ୍କ ଲାଗି ବଡ଼ ଘୋଷଣା ହେବ ବୋଲି କୁହାଯାଉଥିଲା, ମୋଦି ବି ଏଥର ମଧ୍ୟବିତ୍ତକୁ ଖୁସି କରିଦେଇଛନ୍ତି । ଖାଲି ମଧ୍ୟବିତ୍ତ ଖୁସି ତାହା ନୁହେଁ ବରଂ ଡାକ୍ତରୀ ପାଠ ପଢିବା ଲାଗି ଯେଉଁମାନେ ଅପେକ୍ଷା କରିଛନ୍ତି ସେମାନେ ବି ଭାରି ଖୁସି । କାରଣ ଏମବିବିଏସ୍‌ ସିଟ୍‌ ବଢିବା ନେଇ ଘୋଷଣା ହୋଇଛି । ନିର୍ମଳା କହିଛନ୍ତି, ଆଗାମୀ ୫ ବର୍ଷ ଭିତରେ ଦେଶରେ ମୋଟ୍‌ ୭୫ ହଜାର ସିଟ୍‌ ସଂଖ୍ୟା ବଢିବ । ହେଲେ ୧୨ ମାସ ଭିତରେ ୧୦ ହଜାର ସଂଖ୍ୟା ବଢିବ ଏମବିବିଏସ୍‌ରେ । ତେଣୁ ଯେଉଁ ଯୁବବର୍ଗମାନେ ଡାକ୍ତର ହେବା ଲାଗି ସ୍ବପ୍ନ ଦେଖୁଛନ୍ତି ସେମାନଙ୍କ ସ୍ବପ୍ନ ପୂରଣ ହେବ ବୋଲି କୁହାଯାଉଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ବର୍ତ୍ତମାନ ଦେଶରେ ୧ ଲକ୍ଷ ୧୨ ହଜାର ୧୧୨ ସିଟ୍‌ ରହିଛି । ଯାହା ଆଗାମୀ ଦିନରେ ଆହୁରି ୭୫ ହଜାର ବଢିବ ।

ଅର୍ଥମନ୍ତ୍ରୀଙ୍କ ମେଡ଼ିକାଲ ପାଠ୍ୟକ୍ରମକୁ ନେଇ ହୋଇଥିବା ଘୋଷଣାରେ ପିଲା ବି ବେଶ ଖୁସି ଅଛନ୍ତି । ଛାତ୍ରମାନେ କହିଛନ୍ତି, ପୂର୍ବରୁ ଏତେ ମାତ୍ରାରେ ସିଟ୍‌ ଘୋଷଣା କେବେ ହୋଇନଥିଲା । ତେଣୁ ବଜେଟ୍‌ ଘୋଷଣା ହେବା ପରେ ଆମେମାନେ ଅଧିକ ଖୁସି ଅଛୁ । ଏହାସହ କଲେଜ୍‌ରେ ସିଟ୍‌ ବଢାଇବା ପରେ କିଛି ଶିକ୍ଷାନୁଷ୍ଠାନକୁ ନେଇ ଯେଉଁ ଗଣ୍ଡଗୋଳ ଦେଖିବାକୁ ମିଳୁଛି ତାହା ବି ଆଉ ହେବନି ବୋଲି କୁହାଯାଇଛି । କଥାହେଲା ଅନେକ ମେଡ଼ିକାଲ ପଢିବା ଲାଗି ଇଚ୍ଛା କରୁଥିଲେ ମଧ୍ୟ ସିଟ୍‌ କମ ସଂଖ୍ୟାରେ ଥିବାରୁ ପିଲାମାନେ ପାଠ ପଢାରୁ ବଂଚିତ ହେଉଥିଲେ । ତେଣୁ ଏବେ ସେମିତି ହେବନି ବୋଲି ପିଲାମାନେ ଆଶା ରଖିଛନ୍ତି । 

ଖୁସି ହୋଇଗଲେ ଘରୋଇ କୋଚିଂ ସେଣ୍ଟର

ସରକାର ବଜେଟ୍‌ରେ ଘୋଷଣା କରିଛନ୍ତି କି, ଆଗାମୀ ଦିନରେ ସିଟ୍‌ ବଢିବ ମେଡ଼ିକାଲ କଲେଜ୍‌ରେ । ତେଣୁ ମେଡ଼ିକାଲ ପାଇଁ ଯେଉଁ ସଂସ୍ଥା କୋଚିଂ ସେଣ୍ଟର ଖୋଲିଛନ୍ତି ସେମାନେ ବି ଖୁସି । କାରଣ କୋଚିଂ ନେବା ଲାଗି ଅଧିକ ପିଲାମାନେ ଆସିବେ । ତେଣୁ କୋଚିଂ ସେଣ୍ଟରର ରୋଜଗାର ବି ଅଧିକ ହେବ ।

ମୋଟ୍‌ ଉପରେ ବଜେଟ୍‌ ୨୫-୨୬କୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା । କାରଣ ଅନେକ କ୍ଷେତ୍ରରେ କୋଟି କୋଟି ଟଙ୍କା ନିବେଶ କରିବାକୁ ଯାଉଛନ୍ତି ମୋଦି ସରକାର । ଏମିତି ହେଲେ ଆଗାମୀ ଦିନରେ ଭାରତର ଅର୍ଥନୀତି ଖୀପ୍ର ଗତିରେ ଦୌଡ଼ିବ ବୋଲି କୁହାଯାଉଛି । ଏବେ ସମୟ କହିବ ଘୋଷଣା ଅନୁସାରେ କେବେ ସିଟ୍‌ ପୂରଣ ହେଉଛି, କେବେ ପିଲାମାନେ ପାଠ ପଢିବାର ସୁଯୋଗ ପାଉଛନ୍ତି ।