କନକ ବ୍ୟୁରୋ :ବାରବାଟୀ ଷ୍ଟାଡିୟମରେ ଟି-୨୦ ମୁକାବିଲାରେ ଟିମ୍ ଇଣ୍ଡିଆ ଏମିତି ପ୍ରଦର୍ଶନ କରିଛି ଯେ ଦକ୍ଷିଣ ଆଫ୍ରିକା ବିଜୟ କଥା ଚିନ୍ତା ବି କରିପାରିଲାନି । ମ୍ୟାଚର ଆରମ୍ଭ ଭାରତ ପାଇଁ ଏତେଟା ଭଲ ହୋଇନଥିଲା । ପ୍ରଥମ ଓଭରରୁ ଭାରତର ୱିକେଟ ପତନ ଘଟିଥିଲା । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୁମରା-ଅର୍ଶଦୀପଙ୍କ ଘାତକ ବୋଲିଂରେ ଦକ୍ଷିଣ ଆଫ୍ରିକା ଦଳ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଯାଇଥିଲା । ଅନେକ ରୋମାଞ୍ଚକର ମୁହୂର୍ତ୍ତରେ ଭରପୂର ଥିଲା ଏହି ମୁକାବିଲା । ତେବେ ଭାରତର ବିଜୟ ପଛରେ ରହିଥିଲା ୫ ପ୍ରମୁଖ କାରଣ । ଆଜି ଆମେ ଆପଣଙ୍କୁ ସେହି ଟପ୍-୫ ବଡ଼ ମୁହୂର୍ତ୍ତ ବିଷୟରେ କହିବୁ, ଯାହା ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା ।
ଅଧିକ ପଢ଼ନ୍ତୁ : celebration in Barabati: ବାରବାଟୀ ଟି-୨୦ରେ ଭାରତର ବଡ଼ ବିଜୟ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ପାଳି
ଭାରତର ପାଳି ଆରମ୍ଭ ବେଶ୍ ନୈରାଶ୍ୟଜନକ ରହିଥିଲା । ୭୮ ରନ୍ ହେବା ବେଳକୁ ଟପ୍ ଅର୍ଡର ବ୍ୟାଟରମାନେ ପାଭିଲିୟନ ଫେରି ସାରିଥିଲେ ଏବଂ ଦଳ ବଡ଼ ଅଡୁଆରେ ପଡ଼ିଥିଲା । ଠିକ୍ ସେହି ସମୟରେ ପଡ଼ିଆକୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କଟକର ପିଚରେ ଦେଖାଇଥିଲେ ନିଜର ଜଲୱା । ହାର୍ଦ୍ଦିକ ମାତ୍ର ୨୮ ବଲ୍ ଖେଳି ୫୯ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ୧୭୫ ରନର ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଥିଲା । କେବଳ ସେତିକି ନୁହେଁ, ବୋଲିଂରେ ମଧ୍ୟ ଗୋଟିଏ ୱିକେଟ୍ ନେଇ ହାର୍ଦ୍ଦିକ ନିଜର ଅଲରାଉଣ୍ଡ ଦକ୍ଷତା ଦେଖାଇଥିଲେ । ଏହି ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ : ବାରବାଟୀରେ କାହା ପଲ୍ଲା ଭାରି? ଭାରତ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ
ପାୱାର ପ୍ଲେ’ରେ ଅର୍ଶଦୀପ ସିଂ
୧୭୬ ରନ୍ ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ବେଶ୍ ଭଲ ନଥିଲା । ଅର୍ଶଦୀପ ସିଂହ ଇନିଂସର ଦ୍ୱିତୀୟ ବଲରେ ହିଁ କ୍ୱିଣ୍ଟନ୍ ଡିକକଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନର ରାସ୍ତା ଦେଖାଇ ଦେଇଥିଲେ । ଏହାପରେ ପରବର୍ତ୍ତୀ ଓଭରରେ ସେ ଟ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ମଧ୍ୟ ଆଉଟ୍ କରିଥିଲେ । ଏହି ଦୁଇଟି ପ୍ରାରମ୍ଭିକ ଝଟକା ବିପକ୍ଷ ଦଳର ଇନିଂସକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା ଏବଂ ଦଳ ଆଉ ମ୍ୟାଚକୁ ଫେରି ପାରିନଥିଲା ।
ଅଧିକ ପଢ଼ନ୍ତୁ : ବାରବାଟୀକୁ ଫେରିବ IPL ମ୍ୟାଚ୍ ! ଷ୍ଟାଡିୟମ ବଦଳାଇବ କି ସନ୍ରାଇଜର୍ସ ହାଇଦ୍ରାବାଦ ?
ବୁମରାଙ୍କ ଡବଲ ଷ୍ଟ୍ରାଇକ୍
ଯେକୌଣସି ବ୍ୟାଟରଙ୍କ ପାଇଁ ବୁମରାଙ୍କୁ ସାମ୍ନା କରିବା ସହଜ ନୁହେଁ । ସେ ଇନିଂସର ୧୧ତମ ଓଭରରେ ମାତ୍ର ଚାରୋଟି ବଲ୍ ବ୍ୟବଧାନରେ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ । ଦେୱାଲ୍ଡ ବ୍ରେଭିସ୍ ଏବଂ କେଶବ ମହାରାଜଙ୍କୁ ପାଭିଲିୟନ ପଠାଇଥିଲେ । ବ୍ରେଭିସ୍ ବୁମରାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ୧୦୦ତମ ଶିକାର ପାଲଟିଥିଲେ । ଅର୍ଶଦୀପଙ୍କ ପରେ ବୁମରା ଏହି ଫର୍ମାଟରେ ୱିକେଟର ଶତକ ପୂରଣ କରିବାରେ ଦ୍ୱିତୀୟ ଭାରତୀୟ ହୋଇପାରିଛନ୍ତି ।
ଅଧିକ ପଢ଼ନ୍ତୁ : ବାରବାଟୀରେ ହେବ ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍; ପୂର୍ବ ତ୍ରୁଟି ସୁଧାରିବ ତ ଓସିଏ ?
ଅକ୍ଷରଙ୍କ ବଲ୍ ବୁଝିପାରିଲେନି ବ୍ୟାଟର
ବାରବାଟୀରେ ଅକ୍ଷର ପଟେଲ ଦକ୍ଷିଣ ଆଫ୍ରିକାର ମିଡିଲ ଅର୍ଡର ବ୍ୟାଟିଂକୁ ନିୟନ୍ତ୍ରଣରେ ରଖିଥିଲେ । ସେ ମାତ୍ର ୭ ରନ୍ ବ୍ୟୟ କରି ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ଏଥିମଧ୍ୟରେ ଅଧିନାୟକ ଏଡେନ ମାର୍କରମଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ସାମିଲ ଥିଲା । ତାଙ୍କର ଶାଣିତ ବୋଲିଂ ରନ୍ ଗତି ଉପରେ ରୋକ୍ ଲଗାଇ ଦେଇଥିଲା ଏବଂ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଭାରତ ସପକ୍ଷକୁ ଢଳି ଯାଇଥିଲା ।
ଅଧିକ ପଢ଼ନ୍ତୁ : ବାରବାଟୀ ଷ୍ଟାଡ଼ିୟମ୍ର ନବୀକରଣ ଏବେ ହେବାର ନାହିଁ !
କମାଲ କଲେ ବରୁଣ ଚକ୍ରବର୍ତ୍ତୀ
ବରୁଣ ଚକ୍ରବର୍ତ୍ତୀ ମଝି ଓଭରଗୁଡ଼ିକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଅକ୍ତିଆର କରି ପ୍ରୋଟିଆଜଙ୍କ ଶେଷ ଆଶାକୁ ମଧ୍ୟ ଧୂଳିସାତ୍ କରିଦେଇଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୭୪ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଅନ୍ତର୍ଜାତୀୟ ଟି-୨୦ରେ ଏହା ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର । ଏହା ପୂର୍ବରୁ ଦଳର ସର୍ବନିମ୍ନ ସ୍କୋର ୮୭ ରନ୍ ରହିଥିଲା, ଯାହା ୨୦୨୨ ମସିହାରେ ଭାରତ ବିପକ୍ଷରେ ହିଁ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ୫ କାରଣ ଯୋଗୁଁ ହିଁ ଭାରତ ସିରିଜ୍ରେ ୧-୦ରେ ଆଗୁଆ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/cc-2025-12-10-22-51-27.jpg)