କନକ ବ୍ୟୁରୋ: ବାରବାଟୀକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌। ଟି-୨୦ ମ୍ୟାଚ୍ ହେବା ନେଇ ଖବର ମିଳିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଇଂଲଣ୍ଡ ସହ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍‌ ଲିଭିବା ଘଟଣାର ଯେମିତି ପୁନରାବୃତ୍ତି ନହୁଏ, ସେନେଇ ଓସିଏ ଯତ୍ନବାନ ହେବାକୁ କ୍ରୀଡ଼ାବିତ୍ ପରାମର୍ଶ ଦେଇଛନ୍ତି । 
 
ଆସନ୍ତା ଡିସେମ୍ୱର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏହି ଖବର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଆଣିଦେଇଛି । ଗତ ଜାନୁଆରି ମାସରେ ଭାରତ- ଇଂଲଣ୍ଡ ଦିନିକିଆ ହାଇସ୍କୋରିଂ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିଲା । ଏହାପରେ ଆସନ୍ତା ଡିସେମ୍ୱର ମାସରେ ଆଉ ଏକ ମ୍ୟାଚ୍‌ ହେବାନେଇ କ୍ରୀଡ଼ାପ୍ରେମୀଙ୍କ ଖୁସିକୁ ଦୁଇଗୁଣ କରିଛି । ତେବେ ଗତ ମ୍ୟାଚରେ ଲାଇଟ୍ ଲିଭିବା ଭଳି ତ୍ରୃଟିର ଯେମିତି ପୁନରାବୃତ୍ତି ନହୁଏ, ସେଥିପ୍ରତି ଓସିଏ ଦୃଷ୍ଟି ଦେବା ଦରକାର ବୋଲି କ୍ରୀଡ଼ାପ୍ରେମୀ କହିଛନ୍ତି । 
 
ବାରବାଟୀକୁ ମ୍ୟାଚ୍ ମିଳିବା ଖୁସିର କଥା, କିନ୍ତୁ ଓସିଏ ପାଇଁ ଅନେକ ଚ୍ୟାଲେଞ୍ଜ୍ ରହିଛି
- ଲାଇଟ୍ ଲିଭିବା ଭଳି ସ୍ଥିତି ନଉପୁଜିବା ନେଇ କି ପଦକ୍ଷେପ ନେଇଛି ଓସିଏ? 
- ସାଧାରଣ ଦର୍ଶକ ଟିକେଟ ନପାଇ ନିରାଶ ହେଉଛନ୍ତି, ଏନେଇ କ’ଣ ପଦକ୍ଷେପ ନେବ ଓସିଏ?
- ଟିକେଟ କଳାବଜାରୀକୁ କେମିତି ରୋକିବ ଓସିଏ ? 
- ବାରବାଟୀ ବୁଢ଼ୀ ହେଲାଣି ବୋଲି ସମ୍ପାଦକ କହିଥିଲେ, ମରାମତି ନେଇ କ’ଣ ପଦକ୍ଷେପ ନିଆଗଲା?
- ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ରାଜ୍ୟ ଅଗ୍ନିଶମ ବିଭାଗର ଚିଠି ଉପରେ କି ପଦକ୍ଷେପ ନିଆଯାଇଛି?
ଏସବୁ ଦିଗପ୍ରତି ଓସିଏ ଧ୍ୟାନ ଦେବା ଦରକାର ବୋଲି ପୂର୍ବତନ କ୍ରିକେଟର କହିଛନ୍ତି । ବାରବାଟୀକୁ ମ୍ୟାଚ୍ ମିଳିଲା ଖୁସିର କଥା, ଏବେ ଦେଖିବା କଥା ଆୟୋଜନକୁ ତ୍ରୁଟିଶୂନ୍ୟ କରିବା ନେଇ ଓସିଏ କି ପଦକ୍ଷେପ ନେଉଛି ।