କନକ ବ୍ୟୁରୋ: ବାରବାଟୀରେ ପୁଣି ବର୍ଷିବ ଚୌକାଛକା । ଆଇପିଏଲ୍‌ ମ୍ୟାଚ୍‌ର ମଜା ଉଠାଇବେ କ୍ରିକେଟ ପ୍ରଶଂସକ । ସନ୍‌ରାଇଜର୍ସ ହାଇଦ୍ରାବାଦର ହୋମ୍‌ ଗ୍ରାଉଣ୍ଡ୍ ହୋଇପାରେ ବାରୀବାଟୀ କ୍ରିକେଟ ଷ୍ଟାଡିୟମ । କାରଣ ଏବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଷ୍ଟାଡିୟମ ବଦଳାଇବାକୁ ଚିନ୍ତା କରୁଥିବା ନେଇ ରିପୋର୍ଟ ଆସିଛି । ଏଭଳି ସ୍ଥିତିରେ ବାରବାଟୀକୁ ତାର ହୋମ୍‌ଗ୍ରାଉଣ୍ଡ୍‌ କରିପାରେ । କାରଣ ଅତୀତରେ ଡେକାନ୍‌ ଚାର୍ଜର୍ସ ଓ କୋଲକାତା ନାଇଟରାଇଡର୍ସର ହୋମ୍‌ ଗ୍ରାଉଣ୍ଡ ରହିଥିଲା ବାରବାଟୀ । ଏବେ ପୁଣି ସେଭଳି ଏକ ସୁଯୋଗ ମିଳିପାରେ । 

Advertisment

ହୋମ୍‌ଗ୍ରାଉଣ୍ଡ ଛାଡ଼ିପାରେ ସନ୍‌ରାଇଜର୍ସ ହାଇଦ୍ରାବାଦ । ଚଳିତ ସିଜିନ୍‌ରେ ବାକି ଥିବା ମ୍ୟାଚ୍‌ ଅନ୍ୟ କୌଣସି ଗ୍ରାଉଣ୍ଡ୍‌ରେ ଖେଳିପାରେ । ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମକୁ ନିଜର ଘରୋଇ ମୈଦାନ ଭାବରେ ବ୍ୟବହାର କରୁଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ଏକ ରିପୋର୍ଟ ମୁତାବକ ୨୦୧୬ ସିଜିନ୍‌ର ଏହି ଚାମ୍ପିୟନ ଦଳକୁ ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଏ ଜଗନ ମୋହନ ରାଓ, ଟିକେଟ୍ ପାଇଁ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ SRHର ଜେନେରାଲ୍‌ ମ୍ୟାନେଜର ଶ୍ରୀନାଥ ଟିବି ହାଇଦ୍ରାବାଦ କ୍ରିକେଟ ସଂଘର କୋଷାଧ୍ୟକ୍ଷ ସିଜେ ଶ୍ରୀନିବାସ ରାଓଙ୍କୁ ଏକ ଚିଠି କରିଛନ୍ତି । ଟିକେଟ୍‌ ପାଇଁ ଏଭଳି ଧମକଚମକକୁ ବରଦାସ୍ତ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । 

ପ୍ରତି ଆଇପିଏଲ୍‌ ସିଜିନ୍‌ରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ବାବଦରେ ଭଡ଼ା ଦେଇଥାଏ ସନ୍‌ରାଇଜର୍ସ ହାଇଦ୍ରାବାଦ । ଏହି ସମୟରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ଦେଖାରଖା ଦାୟିତ୍ୱ ନେଇଥାଏ ସନ୍‌ରାଇଜର୍ସ ହାଇଦ୍ରାବାଦ । କିନ୍ତୁ ଗତ ମ୍ୟାଚ୍‌ରେ HCAକୁ ୨୦ଟି ଅତିରିକ୍ତ ଟିକେଟ୍‌ ଯୋଗାଇଦିଆଯିବା ସତ୍ତ୍ୱେ ଷ୍ଟାଡିୟମର F3 Boxରେ ତାଲା ପକାଇ ଦିଆଯାଇଥିଲା । ଟିକେଟ ପାଇଁ ବାରମ୍ବାର HCA ସଭାପତି ବ୍ଲାକ୍‌ମେଲ୍‌ କରୁଥିବା ରିପୋର୍ଟ ଆସିଛି । ଏଭଳି ସ୍ଥିତିରେ ବାରବାଟୀ ଷ୍ଟାଡିୟମ ଉପରେ ଭରସା କରିପାରେ ସନ୍‌ରାଇଜର୍ସ ହାଇଦ୍ରାବାଦ । କାରଣ ତେଲେଙ୍ଗାନାର ପଡ଼ୋଶୀ ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଛତିଶଗଡ଼, ମହାରାଷ୍ଟ୍ର ଓ କର୍ଣ୍ଣାଟକ । କିନ୍ତୁ ଅନ୍ୟ ରାଜ୍ୟ ଅପେକ୍ଷା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ଅଧିକ ସୁବିଧା ରହିଛି । ଏହି ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା ମଧ୍ୟ ଅଧିକ । ଏଣୁ ବାରବାଟୀ ଷ୍ଟାଡିୟମକୁ ସନ୍‌ରାଇଜର୍ସ ହାଇଦ୍ରାବାଦ ହୋମ୍‌ଗ୍ରାଉଣ୍ଡ୍ କରିପାରେ । 

ଗତ ୨୦୧୦ରେ ବାରବାଟୀ ଡେକାନ ଚାର୍ଜର୍ସର ହୋମ ଗ୍ରାଉଣ୍ଡ ରହିଥିଲା । ଏଠାରେ ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା । ଏହାପରେ ୨୦୧୪ରେ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟ ହୋମ୍‌ଗ୍ରାଉଣ୍ଡ ରହିଥିଲା । ସେହି ବର୍ଷ ହିଁ ଏଠାରେ କିଙ୍ଗ୍‌ସ୍‌ ଇଲେଭେନ୍‌ ପଞ୍ଜାବ ମଧ୍ୟ ଏହି ଷ୍ଟାଡିୟମକୁ ହୋମ୍‌ଗ୍ରାଉଣ୍ଡ୍ ଭାବରେ ବ୍ୟବହାର କରିଥିଲା । ଏବେ ସନ୍‌ରାଇଜର୍ସ ହାଇଦ୍ରାବାଦର ଷ୍ଟାଡିୟମ ବଦଳାଇବା ଚର୍ଚ୍ଚା ଭିତରେ ପୁଣି କଟକ ବାରବାଟୀକୁ ସୁଯୋଗ ମିଳିପାରେ । କିନ୍ତୁ ଷ୍ଟାଡିୟମ ବଦଳାଇବାକୁ ନେଇ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଏଯାଏଁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।