କନକ ବ୍ୟୁରୋ: ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ କୌଣସି ଯୋଜନା ନାହିଁ । ଏନେଇ ରାଜ୍ୟ ସରକାର କୌଣସି ଯୋଜନା କରି ନଥିବା ବିଧାନସଭାରେ କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ବାରବାଟୀ ଷ୍ଟାଡିୟମ ନେଇ ବିଧାନସଭାରେ ପ୍ରଶ୍ନ କରଥିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ଷ୍ଟାଡିୟମର ନବୀକରଣ ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ । ତେବେ ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ବାରବାଟୀ ଷ୍ଟାଡିଅମ ଓସିଏ ଅଧିନରେ ଆସୁଛି। ତେବେ ଏହାର ନବୀକରଣ ନେଇ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ । ତେବେ ଗତ ସରକାର ସମୟରେ ବାରବାଟୀ ଷ୍ଟାଡିଅମର ନବୀକରଣ ପାଇଁ ୬୦୦ କୋଟିର ବନ୍ଦୋବସ୍ତ କରାଯାଇଥିଲା। ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।  

Advertisment

ସେପଟେ, କଟକ ବାରବାଟୀ ଷ୍ଟାଡିୟମ୍‌ ନିକଟରେ ନିର୍ମିତ ଅତ୍ୟାଧୁନିକ ଫୁଡକୋର୍ଟ ଉଦଘାଟନ ହୋଇପାରିଲା ନାହିଁ । ଫୁଡ୍ କୋର୍ଟରେ ଦୋକାନ ଘର ଆବଣ୍ଟନ ପାଇଁ ହିତାଧିକାରୀ ଚୟନକୁ ନେଇ ଦ୍ବନ୍ଦ୍ବ ଦେଖାଦେବା ଯୋଗୁ ଉଦଘାଟନ ଅଟକି ରହିଛି । ସେପଟେ ମେୟର କହିଛନ୍ତି, ଖୁବଶୀଘ୍ର ଉଦଘାଟନ ହେବ। କଟକ ମହାନଗର ନିଗମ ଦ୍ବାରା ବାରବାଟୀ ଷ୍ଟାଡିୟମ୍‌ ନିକଟରେ ନିର୍ମିତ ସହରର ପ୍ରଥମ ଅତ୍ୟାଧୁନିକ ଫୁଡ୍ କୋର୍ଟ ବର୍ଷେ ହେଲା ଉଦ୍‌ଘାଟନ ଅପେକ୍ଷାରେ ଅଛି ।  କେତେଥର ଉଦ୍‌ଘାଟନ ଯୋଜନା ହେଉଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ୍‌ କରାଯାଉଛି । ଫୁଡ୍ କୋର୍ଟରେ ଦୋକାନ ଘର ଆବଣ୍ଟନ ପାଇଁ ହିତାଧିକାରୀ ଚୟନ ଚୂଡ଼ାନ୍ତ ହୋଇପାରୁନାହିଁ । 

୬ କୋଟି ଟଙ୍କାରେ ନିର୍ମିତ ଏହି ଫୁଡ୍ କୋର୍ଟ କେବେ ଖୋଲିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ୨୦୨୩ରେ ସରକାରୀ ଅନୁବନ୍ଧିତ ଠିକାସଂସ୍ଥା ଇପିଆଇଏଲ୍‌ ଦ୍ବାରା  ବାରବାଟୀ ଷ୍ଟାଡିୟମ୍ ସମ୍ମୁଖ ପଡ଼ିଆରେ ଫୁଡ୍ କୋର୍ଟ ନିର୍ମାଣ ହୋଇଥିଲା। ଏଥିରେ ୪୦ଟି ଦୋକାନ ଓ ଆକର୍ଷଣୀୟ ପରିବେଶ ରହିଛି । ସନ୍ଧ୍ୟାରେ ଏଠାରେ ଭିଡ଼ ଜମେ। ଲୋକ  ଦହିବରା ଆଳୁଦମ୍  ଓ ଫାଷ୍ଟଫୁଡ୍ ଖାଇଥାନ୍ତି।  ଏଥିପାଇଁ ନିର୍ମିତ ଫୁଡ୍ କୋର୍ଟ ଉଦଘାଟନ ହେଲେ ଲୋକଙ୍କୁ ଆକର୍ଷିତ କରିବ। ତେବେ କିଛି କାମ ବାକି ଅଛି , ଖୁବଶୀଘ୍ର କାର୍ଯ୍ୟକ୍ଷମ ହୋବ ବୋଲି ମେୟର କହିଛନ୍ତି । ଏପଟେ ବାରବାଟୀର ନବୀକରଣ ପାଇଁ ଏବେ କୌଣସି ଯୋଜନା ନାହିଁ ବୋଲି ବିଧାନସଭାରେ ମନ୍ତ୍ରୀ କହିବା ପରେ ବାରବାଟୀର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି ।