କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଛି । ଅବଶ୍ୟ ଏକଜିଟ୍ ପୋଲ ରିପୋର୍ଟ ଆସିବା ପରେ ଦିଲ୍ଲୀରେ ଏଥର ବିଜେପି ସରକାର ଆସିବ ବୋଲି ଗୋଟିଏ ପ୍ରକାର ଚିତ୍ର ସ୍ପଷ୍ଟ ହୋଇଥିଲା । କିନ୍ତୁ ଆଜି ଭୋଟ୍ ଗଣନା ହେବା ପରେ ଧୀରେ ଧୀରେ ବିଜେପି କ୍ଲିନ୍ ସ୍ବିପ୍ କରୁଥିବା ଜଣାପଡ଼ିଲା । ଆଖି ସାମ୍ନାରେ ପରାଜୟ ହେଉଥିବା ଦେଖି ଆପ୍ ନେତା ଓ କର୍ମୀ ନିରାଶ ହେଉଥିବା ବେଳେ ବିଜେପି ନେତା ଓ କର୍ମୀ ଖୁସିରେ ନାଚୁଛନ୍ତି । ସେପଟେ ନେତାଏ କହୁଛନ୍ତି କଂଗ୍ରେସ ସହ ମିଶିକି ଲଢିଥିଲେ ଏମିତି ହୋଇନଥାଆନ୍ତା । କିନ୍ତୁ ଏବେ ଭାବିଲେ କିଛି ଲାଭ ହେବ ନାହିଁ ବୋଲି ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଲେଖିଛନ୍ତି । ତେବେ ସତରେ କଣ କଂଗ୍ରେସ ସହ ଆପ୍ ମିଶି ଲଢିଥିଲେ ବିଜେପିର ଦିଲ୍ଲୀ ଦଖଲ ଯୋଜନା ପଣ୍ଡ ହୋଇଥାଆନ୍ତା ?
ଆପ୍ ହାରିବା ପରେ ବୁଦ୍ଧି ପଶିଲା !
କଂଗ୍ରେସ ସହ ଲଢିଥିଲେ…
ଏହି ଭୁଲ ଲାଗି ହରିୟାଣାରେ ହାରିଥିଲେ
ଦିଲ୍ଲୀରେ ବି ସମାନ ଦଶା ଭୋଗିଲା ଦଳ
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଆପ୍ ଅଲଗା ଅଲଗା ହୋଇ ନିର୍ବାଚନ ଲଢିଥିଲେ । ଯାହାର ପରିଣାମ ସମସ୍ତେ ଦେଖିଲେ । କଂଗ୍ରେସ ଓ ଆପ୍ ପରାଜୟ ସ୍ବୀକାର କରିବା ସହ ବିଜେପିର ବାଜିମାତ ହୋଇଥିଲା । ପରେ ପରେ ଦିଲ୍ଲୀରେ ଆପ୍ ଓ କଂଗ୍ରେସ ଉଭୟ ଉଭୟଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଖାଲି ବର୍ଷିଥିଲେ ତାହା ନୁହେଁ ବରଂ ଆକ୍ଷେପ ଓ ପ୍ରତିଆକ୍ଷେପର ରାଜନୀତି କରିଥିଲେ । ଏହାର ପୁରା ଫାଇଦା ନେଇଥିଲେ ବିଜେପି । ପାଖାପାଖି ୫୦ ସିଟ୍ରେ ବିଜେପି ବାଜିମାତ୍ କରିବାକୁ ଯାଉଛି ।
ଅଲଗା ହେଲେ କଂଗ୍ରେସ୍ ଓ ଆପ୍
ଫାଇଦା ହେଲା ନା କ୍ଷତି ହେଲା ?
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ତ୍ରିମୁଖୀ ଲଢେଇ ହୋଇଥିଲା । ବିଜେପି-କଂଗ୍ରେସ-ଆପ୍ ମଧ୍ୟରେ କଡ଼ା ଟକ୍କର ବି ହୋଇଥିଲା । ଭୋଟ୍ ବିଭାଜିତ ହେଲା । ହରିୟାଣାରେ ଯେଉଁ ଭୁଲ ନେତାଏ କରିଥିଲେ ଦିଲ୍ଲୀରେ ଦୋହରାଇଲେ । କୁହାଯାଉଛି କି, ଯଦି ଦୁଇ ଦଳ ମିଶିକି ନିର୍ବାଚନ ଲଢିଥାଆନ୍ତା ତାହାଲେ ଏ ଦଶା ଭୋଗିବାକୁ ପଡ଼ିନଥାଆନ୍ତା । ମୋଟ୍ ଉପରେ ଅଲଗା ଅଲଗା ହୋଇ ନିର୍ବାଚନ ଲଢିବା ଉଭୟ କଂଗ୍ରେସ ଓ ଆପ୍ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି ।
ହରିୟାଣାରୁ ଆରମ୍ଭ ହେଲା ହାରିବା ପ୍ରକ୍ରିୟା
ସୂଚନା ଅନୁସାରେ, ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ସହ ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ପ୍ରୟାସ କରିଥିଲା କଂଗ୍ରେସ । କିନ୍ତୁ ଦିଲ୍ଲୀ ପରେ ପରେ ପଂଜାବରେ ଆପ୍ ସରକାର ଆସିବା ପରେ କେଜ୍ରିୱାଲ ମେଣ୍ଟ ଲାଗି ସଫା ସଫା ମନାକରିଦେଇଥିଲେ । ଯାହାଦ୍ବାରା ଉଭୟ ଦଳ ନିର୍ବାଚନରେ ପରାଜୟର ସ୍ବାଦ ଚାଖିଲେ । ନେତାଏ ଜାଣିଥିଲେ କି, ଆପ୍ କଂଗ୍ରେସ ସହ ମେଣ୍ଟ ନକଲେ କଂଗ୍ରେସର ହିଁ ବେଶୀ କ୍ଷତି ହେବ । ଯାହା ସତ ପ୍ରମାଣିତ ବି ହେଲା । ଏବେ ପୁଣି ଥରେ ଦିଲ୍ଲୀରେ ମେଣ୍ଟ ନକରି ଲଢିବାର ଫଳ ଭୋଗିଲେ ଉଭୟ ଦଳ ।
ହରିୟାଣାରେ କଣ ହୋଇଥିଲା ?
ହରିୟାଣାରେ ବିଜେପିର ବିଜୟ ଏତେ ସହଜ ନଥିଲା । କାରଣ ସେଠାରେ ଏମିତି ଅନେକ ପ୍ରସଙ୍ଗ ଥିଲା ଯାହା ବିଜେପିର ବିଜୟ ରାସ୍ତାରେ କଣ୍ଟା ହୋଇ ରହିଥିଲା । ଶେଷରେ କଂଗ୍ରେସ ଓ ଆପ୍ ଅଲଗା ହେବା ପରେ ବିଜେପିକୁ ହିଁ ଅଧିକ ଫାଇଦା ଯାଇଥିଲା । ନିର୍ବାଚନ ଫଳ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ୪୮ ସିଟ୍ରେ ବିଜେପିର ବିଜୟ ହୋଇଥିଲା । କଂଗ୍ରେସ୍ ୩୭ ସିଟ୍ରେ ବିଜୟ ହୋଇଥିଲା । ଅନ୍ୟ ୫ ଆସନରେ ସ୍ବାଧୀନ ଓ ଅନ୍ୟ ଦଳ ବିଜୟ ଲାଭ କରିଥିଲେ । ହରିୟାଣା ନିର୍ବାଚନରେ ବିଜେପି ୩୯. ୯୪ ପ୍ରତିଶତ ଭୋଟ୍ ପାଇଥିବା ବେଳେ କଂଗ୍ରେସ ଖାତାରେ ପଡ଼ିଥିଲା ୩୯.୦୯ ପ୍ରତିଶତ । ଠିକ୍ ଏହି ସମୟରେ ଆପ୍ ଗୋଟିଏ ଆସନରେ ବିଜୟଲାଭ କରିଥିବା ବେଳେ ଭୋଟ୍ ପ୍ରତିଶତ ଥିଲା ୧.୭୯ ପ୍ରତିଶତ । ତେଣୁ କୁହାଯାଇପାରେ ଯଦି ଆପ୍ ଓ କଂଗ୍ରେସ ଏକାଠି ହୋଇ ନିର୍ବାଚନ ଲଢିଥିଲେ ବିଜେପି ଅପେକ୍ଷା ଅଧିକ ଭୋଟ୍ ପ୍ରତିଶତ ପାଇଥାଆନ୍ତେ । ତେବେ ଦିଲ୍ଲୀରେ କଂଗ୍ରେସ ଓ ଆପ୍କୁ କେତେ ପ୍ରତିଶତ ଭୋଟ୍ ମିଳିଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ମିଳିପାରିନାହିଁ ।