କନକ ବ୍ୟୁରୋ : ଆପଣଙ୍କୁ ମୋମୋଜ୍ ଖାଇବାକୁ କେମିତି ଲାଗେ ? ସହରର ଗଳିକନ୍ଦି , ରାସ୍ତାଘାଟ , ବଡ଼ ବଡ଼ ସପିଂ ମଲ୍ , ସିନେମା ହଲ୍ ଆଗରେ ଛୋଟିଆ ଷ୍ଟଲ୍ ପକାଇ ମୋମୋଜ୍ ବିକ୍ରି କରୁଥିବା ବେପାରୀଙ୍କ ଠାରୁ ଆପଣ କେବେ ନା କେବେ ମୋମୋଜ୍ କିଣି ଖାଇଥିବେ ନିଶ୍ଚୟ । କିନ୍ତୁ ଏହି ଖାଦ୍ୟପଦାର୍ଥକୁ ପ୍ରସ୍ତୁତ କଲାବେଳେ କେତେ ସ୍ବଚ୍ଛତାର ଧ୍ୟାନ ଦିଆଯାଏ କେବେ ପରଖିବାକୁ ଚେଷ୍ଟା କରିଛନ୍ତି କି ? ନିକଟରେ ମଟନ୍ ନାଁରେ ଗୋମାଂସ ବିକ୍ରି କରୁଥିବା ଏକ ହୋଟେଲ୍ ବେଶ୍ ଚର୍ଚ୍ଚାରେ ରହିଥିଲା । ଯେଉଁ ଗ୍ରାହକମାନେ ଉକ୍ତ ହୋଟେଲରେ ମଟନ୍ ଖାଇଥିଲେ ସେମାନେ ଲଣ୍ଡା ହୋଇ ମହୋଦଧିରେ ସ୍ନାନ କରି ପାପ ପାଇଁ ପ୍ରାୟଶ୍ଚିତ କଲେ । ପୁଲିସ୍ ହୋଟେଲକୁ ସିଲ୍ କଲା ଏବଂ ମାଲିକଙ୍କୁ ଗିରଫ କଲା । ଘଟଣାଟି କିଛି ଦିନ ତଳର ହୋଇଥିବା ବେଳେ ବର୍ତ୍ତମାନ ଏମିତି ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କୁ ମୋମୋଜ୍ ନାମକ ଖାଦ୍ୟ ପଦାର୍ଥଟି ଆଉ ଖାଇବାକୁ ଇଚ୍ଛା ହେବନି ।   

Advertisment
Momo
Momo Photograph: (google)

ଘଟଣାଟି ହେଉଛି ପଞ୍ଜାବ ମୋହାଲୀର । ଏଠାରେ ନଗର ନିଗମର ମେଡିକାଲ୍ ଟିମ୍ ମାଂସ ଦୋକାନରେ ଚଢ଼ାଉ କରି ପାଖାପାଖି ୬୦ କିଲୋ ଦୁର୍ଗନ୍ଧଯୁକ୍ତ ଫ୍ରୋଜନ୍ ଚିକେନ୍ ଜବତ କରିଥିଲେ । ପୋକ ସାଲୁବାଲୁ ଚିକେନକୁ ମାଟି ତଳେ ପୋତି ଟିମ୍ ଏସବୁ ଦୋକାନର ଚାଲାଣ ମଧ୍ୟ ସିଲ୍ କରିଥିଲା । ତେବେ ବର୍ତ୍ତମାନ ଯେଉଁ ଖବର ଶୁଣିବାକୁ ମିଳୁଛି ତାହା ଶୁଣିଲେ ବୋଧହୁଏ ଆପଣ ମୋମୋଜ୍ ଖାଇବାକୁ ଆଉ ଇଚ୍ଛାପ୍ରକାଶ କରିବେନି । ମୋମୋଜ୍ ପ୍ରସ୍ତୁତ କରୁଥିବା ଏହି ଫ୍ୟାକ୍ଟ୍ରିରେ ଯାଞ୍ଚ୍ କରିବା ସମୟରେ ଫ୍ରିଜରୁ କୁକୁରର ମୁଣ୍ଡ ଭଳି ଦେଖାଯାଉଥିବା ଏକ ଖପୁରୀ ମିଳିଥିବାର ଖବର ସାମ୍ନାକୁ ଆସିଲା । ଘଟଣାକୁ ନେଇ ବର୍ତ୍ତମାନ ପୁଲିସ୍ ପ୍ରଶାସନ ଜୋରସୋରରେ ଯାଞ୍ଚ୍ ପ୍ରକ୍ରିୟାରେ ଲାଗିଛି । ମୋମୋଜ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ତିଆରି କରୁଥିବା ଫ୍ୟାକ୍ଟ୍ରି ଉପରେ କଡ଼ାକଡ଼ି ଭାବେ ଯାଞ୍ଚ୍ କାମ ଜାରି ରହିଛି । ଖାଦ୍ୟରେ କୁକୁର ମାଂସର ବ୍ୟବହାର କରାଯାଉଥିଲା ନା ନାହିଁ ଜାଣିବା ପାଇଁ ପଚି ଯାଇଥିବା ମାଂସକୁ ପଶୁ ଚିକିତ୍ସା ବିଭାଗକୁ ପଠାଇ ଦିଆଯାଇଛି । ଏହାସହ ମୋମୋଜ୍ , ସ୍ପ୍ରିଙ୍ଗ୍ ରୋଲ୍ ଏବଂ ଚଟଣୀର ନମୁନାକୁ ମଧ୍ୟ ଯାଞ୍ଚ୍ ପାଇଁ ପଠାଇ ଦିଆଯାଇଛି ।

dog
dog Photograph: (google)

ଫ୍ୟାକ୍ଟ୍ରିରେ କଟା ମାଂସ ସହ କ୍ରସର୍ ମେସିନ୍ ମଧ୍ୟ ମିଳିଥିଲା । ରବିବାର ଏହି ଘଟଣାକୁ ନେଇ ପ୍ରଶାସନକୁ ଖବର ଦିଆଯାଇଥିଲା । ତା’ପରେ ପ୍ରଶାସନ ଯାଞ୍ଚକୁ ଗମ୍ଭୀରତାର ସହ ନେଇ ପ୍ରତିଟି ଫ୍ୟାକ୍ଟ୍ରିକୁ ତନ୍ନତନ୍ନ କରି ଦେଖିଥିଲେ ଯେଉଁଠାରୁ ସଢ଼ା ପରିବା , ଅସ୍ବାସ୍ଥ୍ୟକର ଫାଷ୍ଟ୍ ଫୁଡ୍ , ପଚିଯାଇଥିବା ଖାଦ୍ୟ ଦେଖିବାକୁ ମିଳିଥିଲା ।