କନକ ବ୍ୟୁରୋ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ହାରିବା ପରେ ଟେନସନ୍ରେ କଂଗ୍ରେସ ନେତା । ଦଳକୁ କେମିତି ଫର୍ମକୁ ଆଣିବେ ସେନେଇ ବରିଷ୍ଠ ନେତା ମାନସମନ୍ଥନ କରୁଥିବା ଚର୍ଚ୍ଚା ହେଉଛି । କାହିଁକି ଦଳ ହାରିଲା, ଏଇଥିଲାଗି ଦାୟୀ କିଏ ସେନେଇ ଚର୍ଚ୍ଚା ଚାଲିଛି । ଏତିକି ନୁହେଁ ବରଂ ଆଗାମୀ ଦିନରେ ନେତୃତ୍ବ ପରିବର୍ତ୍ତନ ପାଇଁ କସରସ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ବି ହେଉଛି । ହେଲେ କାହାକୁ ପରିବର୍ତ୍ତନ କରାଯିବ, କିଏ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହାପରେ ବି ନେତା ବଦଳିବା ସୁନିଶ୍ଚିତ ବୋଲି କୁହାଯାଉଛି ।
ଦିଲ୍ଲୀରେ ହାରିବା ପରେ କଂଗ୍ରେସର ହଲଚଲ
ବଡ଼ ଧରଣର ଅଦଳବଦଳ କରିବାକୁ ସଜବାଜ
ହରିୟାଣା,ମହାରାଷ୍ଟ୍ର ଓ ଦିଲ୍ଲୀ
ସବୁଠି ହାରିଲା ହାତ
ଗୋଟିଏ ନୁହେଁ ବରଂ ଲାଗାତର ୩-୩ ଟି ରାଜ୍ୟରେ କଂଗ୍ରେସର ପରାଜୟ ହେଲା । ମୋଦୀ ଲହରକୁ ଅଟକାଇବାକୁ ଦଳ ଚେଷ୍ଟା ତ କରିଥିଲା କିନ୍ତୁ ଚିତପଟ୍ଟାଙ୍ଗ ମାରିଲା । କୁହାଯାଉଛି ଦଳର ଏମିତି ଅବସ୍ଥା ପରେ ଶୀର୍ଷସ୍ତରର ନେତା ଘନଘନ ବୈଠକ କରୁଛନ୍ତି । ଆତ୍ମସମୀକ୍ଷା ବି କରୁଛନ୍ତି । କୁହାଯାଉଛି ଏଇ ମାସ ଶେଷ ସୁଦ୍ଧା କଂଗ୍ରେସ ନୂଆ ରୂପ ପାଇବ । ଅର୍ଥାତ୍ ଅନେକ ନେତା ବଦଳିବେ, ନୂଆ ନେତା ଦାୟିତ୍ବରେ ରହିବେ । ମିଳିଥିବା ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ପରେ ଦଳରେ ବ୍ୟାପକ ପରିବର୍ତ୍ତନ ହେବାରେ ଥିଲା । କିନ୍ତୁ ରାଜ୍ୟର ନିର୍ବାଚନ ଆସିଯାଇଥିବାରୁ ପରିବର୍ତ୍ତନ ହେଲା ନାହିଁ । ହେଲେ ଏବେ ୩ ରାଜ୍ୟରେ କଂଗ୍ରେସ ହାରିବା ପରେ ନେତୃତ୍ବ ଟେନସନ୍ରେ ।
ସାଙ୍ଗଠନିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବ
ନୂଆ ନେତାଙ୍କୁ ନୂଆ ଦାୟିତ୍ବ ମିଳିବ
୨୦୧୪ରୁ କ୍ରମାଗତ ଭାବରେ ହାରିବାରେ ଲାଗିଛି ଦଳ । ବିଜେପିକୁ ଯେତେ ପ୍ରକାର ଚେଷ୍ଟା କରି ଅଟକାଇବାକୁ ଚେଷ୍ଟା କଲେ ବି କଂଗ୍ରେସ ଏଥିରେ ସଫଳ ହୋଇନାହିଁ । ତେଣୁ ଏଥର ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି ଦିଲ୍ଲୀ ନେତା । ତେଣୁ ତୁରନ୍ତ ସାଙ୍ଗଠନିକ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କେବଳ ଜାତୀୟ ସ୍ତରରେ ଏହି ପରିବର୍ତ୍ତନ ହେବ ତାହା ନୁହେଁ ବରଂ ରାଜ୍ୟ ସ୍ତରରେ ବି ପରିବର୍ତ୍ତନ ହେବ ବୋଲି ସଙ୍କେତ ମିଳିଛି ।
ରାହୁଲ-ଖଡଗେଙ୍କ ୱାନ ଟୁ ୱାନ ମିଟିଂ
କ୍ଷମତା ପଳାଇବା ଭୟରେ ଅନେକ ନେତା
ଦିଲ୍ଲୀରେ କଂଗ୍ରେସର ଶୀର୍ଷ ନେତା ୱାନ ଟୁ ୱାନ ମିଟିଂ କରୁଛନ୍ତି । କେମିତି ଦଳର ସ୍ଥିତି ସୁଧୁରିବ ସେନେଇ ବି ଆଲୋଚନା ହେଉଛି । କୁହାଯାଉଛି କି, ଖୁବଶୀଘ୍ର ନେତାଙ୍କୁ ପରିବର୍ତ୍ତନ କରାଯିବା ନେଇ ରାହୁଲ ଗ୍ରାନସିଗ୍ନାଲ ଦେବେ । ବାସ୍ ଏହାପରେ ଆରମ୍ଭ ହୋଇଯିବ ପରିବର୍ତ୍ତନର ପର୍ବ । ଏମିତିକି ବର୍ତ୍ତମାନ ସମୟରେ ବଡ଼ ଦାୟିତ୍ବରେ ଥିବା ବେଣୁଗୋପାଳଙ୍କଠୁ ମଧ୍ୟ କ୍ଷମତା ହସ୍ତାନ୍ତର ହୋଇପାରେ ।
କେଉଁଠି କେଉଁଠି ହେବ ପରିବର୍ତ୍ତନ
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୧୨ରୁ ଅଧିକ ନୂଆ ନେତାଙ୍କୁ ମହାସଚିବ ନିଯୁକ୍ତି କରାଯିବ । ବର୍ତ୍ତମାନ ସମୟରେ ଯେଉଁମାନେ ମହାସଚିବ ଦାୟିତ୍ବରେ ଅଛନ୍ତି ସେମାନଙ୍କୁ ବି ପରିବର୍ତ୍ତନ କରାଯାଇପାରେ । ଏହାସହ ଆଗାମୀ ଦିନରେ ଯେଉଁ ରାଜ୍ୟରେ ନିର୍ବାଚନ ହେବ ତାହାକୁ ଫୋକସରେ ରଖାଯିବ । ପାଖାପାଖି ୮ ରାଜ୍ୟରେ ସଭାପତି ବି ବଦଳିବେ । ଖାସ୍ କରି ଆସାମ ଓ କର୍ଣ୍ଣାଟକରେ ବି ସଭାପତି ବଦଳାଇବା ନେଇ ଚିନ୍ତା କରାଯାଉଛି ।
ପ୍ରିୟଙ୍କାକୁ ମିଳିବ ବଡ଼ ଦାୟିତ୍ବ
ୱାୟନାଡ ସାଂସଦ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ବଡ଼ ଦାୟିତ୍ବ ଦେବା ଲାଗି ଚର୍ଚ୍ଚା ହେଉଛି । କୁହାଯାଉଛି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ତାଙ୍କୁ ପ୍ରଚାରର ଦାୟିତ୍ବ ମିଳିବ । ଯେମିତି ହେଲେ ବି ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ କଂଗ୍ରେସ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି । ତେଣୁ ଏବେଠୁ ଦଳରେ ବ୍ୟାପକ ପରିବର୍ତ୍ତନ କରାଯାଉଛି ।
ବେଣୁଗୋପାଳଙ୍କୁ ମିଳିବ କି ଦାୟିତ୍ବ ?
କଂଗ୍ରେସର ଜଣାଶୁଣା ନେତା ବେଣୁଗୋପାଳ । ହେଲେ ଏବେ ତାଙ୍କ ପଦ ବଦଳାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ କିଛିଦିନ ପୂର୍ବରୁ ତାଙ୍କୁ ନୂଆ ଦାୟିତ୍ବ ମିଳିଥିବାରୁ ତାଙ୍କ ପଦ ରହିବ କି ଯିବ ସେନେଇ ବି ଚର୍ଚ୍ଚା ହେଉଛି । କିନ୍ତୁ ସୂତ୍ର କହୁଛି, ତାଙ୍କ ସ୍ଥାନରେ ଦଳ ରଣଦୀପ ସୂର୍ଯ୍ୟେୱାଲାଙ୍କୁ ଦାୟିତ୍ବ ମିଳିପାରେ । ହେଲେ ଦଳ ପକ୍ଷରୁ ଏନେଇ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିନ୍ତୁ ପରିବର୍ତ୍ତନ ହେବ ସେଥିରେ କୌଣସି ସନ୍ଦେହ ନାହିଁ ।