କନକ ବ୍ୟୁରୋ: ଚାଲିଛି ବିଜେଟ୍ ଅଧିବେଶନ । ନିଇତି ସରଗରମ ହେଉଛି ଗୃହ । କେମିତି ଦେଶର ଶାସନ ଚାଲିଛି ସେନେଇ କାଉଣ୍ଟର କରୁଛନ୍ତି ବିରୋଧୀ । ଆଉ ଗୃହରେ ପ୍ରତିଉତ୍ତର ରଖୁଛନ୍ତି ଶାସକ ଦଳର ସଦସ୍ୟ । ଏମିତି ସ୍ଥିତିରେ ରାଜ୍ୟସଭାରେ ଯେବେ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନାଁ ଧରିଲେ ସାଙ୍ଗେ ସାଙ୍ଗେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ପ୍ରଶ୍ନ କରିଥିଲେ, ସରକାର କେବେ ଜନଗଣନା କରିବେ । କହୁ କହୁ ୪ ବର୍ଷ ବିତିଗଲାଣି । ଜନଗଣନା ହେଉନଥିବା କାରଣରୁ ଲୋକମାନେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାର ଫାଇଦା ନେଇ ପାରୁନାହାନ୍ତି । ଖାଲି ଏତିକି ନୁହେଁ ବରଂ ବର୍ତ୍ତମାନ ବି ଦେଶର ୧୪ କୋଟି ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନରୁ ବଂଚିତ ଅଛନ୍ତି । ଏହାସହ ସୋନିଆ ଅଭିଯୋଗ ଆଣିଛନ୍ତି, ଦେଶ ସ୍ବାଧୀନ ହେବା ପରେ ପ୍ରଥମଥର ଲାଗି ୪ ବର୍ଷ ହେଲାଣି ଜନଗଣନା ବିଳମ୍ବ ହେଉଛି । ତେଣୁ ଡେରି ନକରି ତୁରନ୍ତ ଜନଗଣନା କରନ୍ତୁ କେନ୍ଦ୍ର ସରକାର ।
ସୋନିଆଙ୍କ ବଡ଼ ଦାବି
ଦେଶରେ ଏବେ ବି…
୧୪ କୋଟି ହିତାଧିକାରୀ ପାଇନାହାନ୍ତି ରାସନ କାର୍ଡ
୨୦୧୩ରେ ଐତିହାସିକ ନିଷ୍ପତ୍ତି ନେଇଥିବା ଉପା ସରକାର
ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ
ରାଜ୍ୟସଭାରେ ସରକାରଙ୍କୁ ଘେରିବାକୁ ସୋନିଆ କହିଥିଲେ, ଉପା ସରକାର ସମୟରେ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ୨୦୧୩ ମସିହାରେ ଦେଶରେ ଖାଦ୍ୟ ସୁରକ୍ଷା ଆଇନ ତିଆରି କରାଯାଇଥିଲା । ଦେଶର ୧୪୦ କୋଟି ଜନତାଙ୍କ ଲାଗି ଏହି ଫାଇଦା ହୋଇଥିଲା । ଖାଲି ଏତିକି ନୁହେଁ ବରଂ କରୋନା କାଳରେ କୋଟି କୋଟି ଲୋକଙ୍କୁ ଅନେକ ସାହାଯ୍ୟ କରିଥିଲା ।
କେବେ ହେବ ଜନଗଣନା ?
ରାଜ୍ୟସଭାରେ ଜନଗଣନା ସମ୍ପର୍କରେ ସୋନିଆ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗ୍ରାମୀଣ ଅଂଚଳରେ ୭୫ ପ୍ରତିଶତ ଓ ସହରାଞ୍ଚଳରେ ୫୦ ପ୍ରତିଶତ ହିତାଧିକାରୀ ଖାଦ୍ୟଶସ୍ୟ ପାଇବାକୁ ଯୋଗ୍ୟ । ହେଲେ ୨୦୧୧ ଜନଗଣନା ଅନୁସାରେ ହିଁ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଛି । କିନ୍ତୁ ଅତି ଦୁଃଖର ସହ କହିବାକୁ ପଡ଼ୁଛି ୪ ବର୍ଷ ହେଲାଣି ଜନଗଣନା ହୋଇପାରିଲା ନାହିଁ । ସରକାର କହିଥିଲେ ୨୦୧୧ରେ ଜନଗଣନା ହେବ ହେଲେ ଏଯାଏଁ ହେଲା ନାହିଁ ।
ମୌଳିକ ଅଧିକାର ଜନଗଣନା
ନିର୍ଦ୍ଧାରିତ ସମୟରେ ଜନଗଣନା ହେଲେ ଲୋକମାନେ ସରକାରଙ୍କ ସବୁ ଯୋଜନାର ଲାଭ ପାଇପାରିବେ । କିନ୍ତୁ କାହିଁକି ଏଯାଏଁ ଜନଗଣନା ହେଲାନାହିଁ ସେନେଇ ସରକାର ସ୍ପଷ୍ଟ କରିବା ଦରକାର । ଯେହେତୁ ଜନଗଣନା ହୋଇପାରୁନାହିଁ ତେଣୁ ଜନତା ମୌଳିକ ସୁବିଧା ବଞ୍ଚିତ ହେଉଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ।
ସୋନିଆଙ୍କ ବୟାନ, ଏମିତି କହିଲେ ଅଧ୍ୟକ୍ଷ
ଲୋକସଭାରେ ତ ଶାସକ-ବିରୋଧୀ ତୁ ତୁ ମେଁ ମେଁ ହେଉଛନ୍ତି ତାହା ଅନେକ ସମୟରେ ଦେଖିବାକୁ ମିଳୁଛି । ହେଲେ ରାଜ୍ୟସଭାରେ ବି ସମାନ ସ୍ଥିତି ଦେଖିବାକୁ ମିଳୁଛି । ଅର୍ଥାତ୍ ରାଜ୍ୟସଭାରେ ବି ଅନେକ ସମୟରେ ହଟ୍ଟଗୋଳ ହେଉଛି । ଯାହାକୁ ନେଇ ଅଧ୍ୟକ୍ଷ କହିଛନ୍ତି, ଆମେ ଜନତାଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇନାହାନ୍ତି ବରଂ ପରୋକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ତେଣୁ ଯେଉଁ ସଦସ୍ୟ ଏଠାରେ ବକ୍ତବ୍ୟ ରଖୁଛନ୍ତି ଆମକୁ ଧୈର୍ଯ୍ୟର ସହ ଶୁଣିବାକୁ ପଡ଼ିବ । ଅଯଥାରେ ହୋହାଲ୍ଲା କରି ସମୟ ନଷ୍ଟ ନକରନ୍ତୁ…ଅଧ୍ୟକ୍ଷ ଏମିତି କାହିଁକି କହିଲେ ତାହାକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି । ମୋଟ୍ ଉପରେ ସୋନିଆଙ୍କ ଜନଗଣନା ପ୍ରଶ୍ନ ଉପରେ ସରକାରୀ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ରଖାଯାଇନଥିବା ସୂଚନା ମିଳିଛି ।