କନକ ବ୍ଯୁରୋ: ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ମାଟି କାମୁଡ଼ିଲା ଆପ୍‌ । ୨୭ ବର୍ଷର ବନବାସ ସାରି ରାଜଗାଦି ହାତେଇଲା ବିଜେପି । ୧୧ ବର୍ଷର ସରକାରକୁ କାହିଁକି ଜନତା ଆଉ ବିଶ୍ବାସକୁ ନେଲେ ନାହିଁ ସେନେଇ ଦଳ ଆତ୍ମସମୀକ୍ଷା କରୁଥିବା ବେଳେ ଏହା ପଛରେ କଂଗ୍ରେସର ହାତ ଥିବା କୁହାଯାଉଛି । ରାହୁଲ ଏମିତି ଗୋଟି ଚଳାଇଲେ କି କେଜ୍ରିୱାଲ ଚିତ୍‌ପଟାଙ୍ଗ ମାରିଲେ । ପୂର୍ବ ନିର୍ବାଚନରେ ଦିଲ୍ଲୀରେ ଖାତା ଖୋଲିପାରିନଥିଲା କଂଗ୍ରେସ, ଏଥର ବି ସମଦଶା ହୋଇଛି । ଅର୍ଥାତ୍‌ ୭୦ ବିଧାନସଭା ଆସନରୁ ଗୋଟିଏ ବି ବିଧାନସଭାରେ ବିଜୟ ହୋଇନି କଂଗ୍ରେସ । କିନ୍ତୁ କଂଗ୍ରେସ ଭୋଟ୍‌ ପ୍ରତିଶତ ଏଥର ବଢିଛି ।

Advertisment

ଆପ୍‌କୁ ପାନେ ଦେବାକୁ ମାଷ୍ଟର ପ୍ଲାନ୍‌ କରିଥିଲେ ରାହୁଲ
ରାହୁଲଙ୍କ ସାମ୍ନାରେ ହାର ମାନିଲେ କେଜ୍ରିୱାଲ
ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖୁଥିଲେ, ମାଟି କାମୁଡ଼ିଲେ
ମିଶିକି ଲଢିଥିଲେ ଏମିତି ହୋଇନଥାନ୍ତା
ଗୋଟିଏ ଭୁଲ ଲାଗି ଦୁଇ ଦଳ ହାରିଲେ

ଚର୍ଚ୍ଚା ଅନୁସାରେ, ଦିଲ୍ଲୀରେ ଯଦି ଏଥର କଂଗ୍ରେସ ଓ ଆପ୍‌ ମିଳିତ ଭାବରେ ନିର୍ବାଚନ ଲଢିଥାଆନ୍ତା ତାହାଲେ ଏହି ଦଶା ଭୋଗିନଥାନ୍ତା । ଯେହେତୁ କଂଗ୍ରେସ ଓ ଆପ୍‌ ପରସ୍ପର ବିରୋଧରେ ବିଷୋଦଗାର କଲେ ଏବଂ ସମାଲୋଚନା କଲେ ତେଣୁ ଉଭୟ ଦଳକୁ ଲୋକେ ବିଶ୍ବାସକୁ ନେଲେ ନାହିଁ । ଯାହାର ଫଳ ସ୍ପଷ୍ଟ ଭାଗରେ ଦେଖାଗଲା । 

୧୩ ସିଟ୍‌ରେ ଖେଳ ଖେଳିଲା କଂଗ୍ରେସ୍‌
ବୁଝିପାରିଲାନି ଆପ୍‌

ଦିଲ୍ଲୀ ବିଧାନସଭାର ୧୩ ରୁ ୧୪ ସିଟ୍‌ରେ କଂଗ୍ରେସ ଏମିତି ଖେଳ ଖେଳିଲା ଯେ କେଜ୍ରିୱାଲ ବୁଝିପାରିଲେ ନାହିଁ । ଅବଶ୍ୟ କଂଗ୍ରେସ ଗୋଟିଏ ବି ସିଟ୍‌ରେ ବିଜୟ ହୋଇନି କିନ୍ତୁ ଆପ୍‌ ଜିତିବାକୁ ଥିବା ରାସ୍ତାରେ କଣ୍ଟା ସାଜିଛି । ଖାସ କରି କେଜ୍ରିୱାଲ ଯେଉଁ ସିଟ୍‌ରୁ ହାରିଛନ୍ତି ତାହାକୁ ଯଦି ଦେଖିବେ ହାର-ଜିତ୍‌ ଭୋଟ ଭିତରେ କଂଗ୍ରେସର ଭୋଟ ପ୍ରତିଶତ ସେଠାରେ ଅଧିକ ରହିଛି । ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସୌରଭ ଭରଦ୍ବାଜ, ସୋମନାଥ ଭାରତୀଙ୍କ ସମେତ ୧୪ ବଡ଼ ନେତା ଯେଉଁ ସବୁ ଆସନରେ ନିର୍ବାଚନ ଲଢୁଥିଲେ ସେହି ଆସନର ଯଦି ଭୋଟ୍‌ ଦେଖିବେ ତାହାଲେ କଂଗ୍ରେସକୁ ଭଲ ଭୋଟ୍‌ ମିଳିଛି । ବିଜେପିର ପ୍ରବେଶ ବର୍ମା କେଜ୍ରିୱାଲଙ୍କୁ ମାତ୍ର ୪ ହଜାର ୯ ଖଣ୍ଡ ଭୋଟ୍‌ରେ ହରାଇଛନ୍ତି । ସେଠାରେ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦିକ୍ଷୀତଙ୍କୁ ୪ ହଜାର ୫୬୮ ଖଣ୍ଡ ଭୋଟ୍‌ ମିଳିଛି । 

ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ପାଇଲା କଣ ? 

ରାଜଧାନୀ ଦିଲ୍ଲୀରେ କଂଗ୍ରେସ ହାରିବା ପରେ ବି ବେଶ ଖୁସି ଅଛି । ଏ କଥା ଆମେ କହୁନୁ ବରଂ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅବଶ୍ୟ ରାହୁଲ ଗାନ୍ଧି ନିଜର ଜଲୱା ଦେଖିପାରିନଥିଲେ ଦିଲ୍ଲୀ ନିର୍ବାଚନରେ କିନ୍ତୁ ଦଳ ଲାଗି ସେ କୁଆଡ଼େ ବାଜିଗର ବନିଯାଇଛନ୍ତି । ଏହାସହ କଂଗ୍ରେସ ଇଣ୍ଡି ମେଣ୍ଟର ଅନ୍ୟ ସଦସ୍ୟଙ୍କୁ ବାର୍ତ୍ତା ଦେଇଛି କି, କଂଗ୍ରେସକୁ ଛାଡ଼ିଲେ ସେମାନେ ତାହାର କୁପରିଣାମ ଭୋଗିବେ ।  ଏମିତିରେ ବି ଆପ୍‌ ହାରିବା ପରେ କଂଗ୍ରେସ ନେତା ବେଶ ଖୁସି ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । 

କେଉଁ ସିଟ୍‌ରେ ଆପ ପାଇଁ କାଳ ହେଲା କଂଗ୍ରେସ

ନୂଆଦିଲ୍ଲୀ, ଜଙ୍ଗପୁରା, ତ୍ରିଲୋକପୁରୀ, ଗ୍ରେଟର କୈଳାସ, ଛତ୍ରପୁର, ମାଳବୀୟ ନଗର, ମାଦୀପୁର,ରାଜେନ୍ଦ୍ର ନଗର, ସଂଗମ ବିହାର, ନାଙ୍ଗଲୋଇ,ତିମାରପୁର ଆଦି ଅନେକ ଆସନରେ କଂଗ୍ରେସ ଆପ୍‌ର ନିଦ ହଜାଇ ଦେଇଥିଲା । ଏହି ସବୁ ଆସନରେ କଂଗ୍ରେସକୁ ବିଜେପିର ପ୍ରାର୍ଥୀ ଜିତିଥିବା ଭୋଟ୍‌ ସଂଖ୍ୟାଠାରୁ ଅଧିକ । ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ଯଦି ଦିଲ୍ଲୀରେ କଂଗ୍ରେସ ଓ ଆପ୍‌ ଏକାଠି ହୋଇ ନିର୍ବାଚନ ଲଢିଥାଆନ୍ତେ ତାହାଲେ ଏ ଦଶା ଭୋଗିବାକୁ ପଡ଼ିନଥାନ୍ତା । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପୂର୍ବରୁ ଏନେଇ ଜମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ଇଙ୍ଗିତ କରିଥିଲେ । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ, ଆମେ ପରସ୍ପର ସହ ଲଢେଇ କଲେ ଅନ୍ୟ ଦଳ ଫାଇଦା ନେବ । ଅର୍ଥାତ୍‌ ବିଜେପିକୁ ଇଙ୍ଗିତ କରି ସେ ଏମିତି କହିଥିବା ଚର୍ଚ୍ଚା ହେଉଥିଲା । ଆମେ ସମସ୍ତେ ଜାଣନ୍ତି ପୂର୍ବରୁ କଂଗ୍ରେସ ଓ ଆପ୍‌ ମେଣ୍ଟ କରି ନିର୍ବାଚନ ଲଢିଥିଲେ । ହେଲେ ଦିଲ୍ଲୀରେ ଉଭୟ ଅଲଗା ଅଲଗା ହୋଇ ନିର୍ବାଚନ ଲଢିଲେ । ଯାହାର ଫାଇଦା ବିଜେପି ନେଲା । ଅବଶ୍ୟ ଏନେଇ ଆପ୍‌ କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ କିନ୍ତୁ ଚର୍ଚ୍ଚା ଜୋରଦାର ହେଉଛି ।