କନକ ବ୍ୟୁରୋ : ‘ମାନବିକତା’ ପାଞ୍ଚ ଅକ୍ଷରର ଏହି ଛୋଟ ଶବ୍ଦଟିର ମହତ୍ତ୍ବ କେତେ ଯେ ଭାରି ତାହା ସମସ୍ତେ ଜାଣିଛନ୍ତି । ମଣିଷ ଭିତରୁ ମାନବିକତା ମରିଗଲେ ପଶୁ ହେବାକୁ ବେଶି ସମୟ ଲାଗେନାହିଁ । ଏଣୁ ମଣିଷ ଭିତରେ ସାହାଯ୍ୟ,ସହାୟତା,କରୁଣା,ସହାନୁଭୂତି ରହିବା ନିତାନ୍ତ ଆବଶ୍ୟକ । ଆଉ ଏହିଭଳି ମାନବିକତାର ମିଶାଲ୍ ଦେଇଛନ୍ତି ଜଣେ ୨୪ ବର୍ଷୀୟ ଯୁବକ । ନାଁ ତାଙ୍କର କନ୍ନନ ତମିଜସେଲ୍ବନ୍ । ତାମିଲନାଡୁର ଚେନ୍ନାଇରେ ଏପ୍ରିଲ୍ ୧୬ ତାରିଖରେ ଜୋରଦାର ବର୍ଷା ହୋଇଥିଲା । ଯେଉଁଥିପାଇଁ ରାସ୍ତାଘାଟରେ ପାଣି ଜମିଥିଲା । ଆଉ ଏହି ବର୍ଷା ପାଣିରେ ବିଜୁଳି ତାର ଛିଡ଼ି ପଡ଼ିଥିଲା । ସେହି ରାସ୍ତାରେ ଜଣେ ସ୍କୁଲ୍ ପିଲା କାଦୁଅ ପାଣିରେ ଖେଳି ଖେଳି ଘରକୁ ଫେରୁଥିବା ବେଳେ ଦୁର୍ଭାଗ୍ୟବଶତଃ ବିଜୁଳି ତାର ସଂସ୍ପର୍ଶରେ ଚାଲି ଆସିଥିଲେ । ଚେନ୍ନାଇ ଅରୁବକ୍କମ ଅଞ୍ଚଳରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜ୍ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।
#Kannan is the young man who bravely saved a boy who was drowning in the water due to an electric shock. He is the young man who risked his life to save the boy.⛑️
— Shashi Kumar Reddy Vura (@vurashashi) April 20, 2025
He is a true hero. An inspiration to all.🫡
Everyone should admire him.🫡#Chennai#Tamilnadupic.twitter.com/PopgnYDUGp
ଭାଇରାଲ୍ ଭିଡିଓରେ ସ୍କୁଲ୍ ପିଲାଟି ପାଣିରେ ପଡ଼ି ଛଟପଟ ହେଉଥିବାର ନଜର ଆସୁଛି । ଆଉ ଠିକ୍ ସେତିକି ବେଳେ ସେହି ବାଟରେ ବାଇକରେ ଯାଉଥିବା ତମିଜସେଲ୍ବନ୍ ହିରୋ ଭଳି ଏଣ୍ଟ୍ରି ମାରି ମୃତ୍ୟୁର ଆଁରୁ ପିଲାଟିକୁ ଟାଣି ଆଣିବାର ନଜର ଆସୁଛନ୍ତି । ପିଲାଟିକୁ ଏଭଳି ଅବସ୍ଥାରେ ଦେଖି ତମିଜସେଲ୍ବନ୍ କିଛି ନ ଭାବି ବାଇକକୁ ତଳେ ପକାଇ ସାହାଯ୍ୟ କରିବାକୁ ଦୌଡୁଛନ୍ତି ଏବଂ ପିଲାଟିର ଗୋଟିଏ ହାତକୁ ଟାଣି ଆଣି ଜୀବନ ବଞ୍ଚାଉଛନ୍ତି । ନିଜ ଜୀବନକୁ ଖାତିର ନକରି ପିଲାଟିର ଜୀବନ ବଞ୍ଚାଇଥିବାରୁ ଏବେ ସୋସିଆଲ୍ ମିଡିଆରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି । @vurashashi ନାମକ ଏକ୍ସ ହ୍ୟାଣ୍ଡେଲରେ ଏହି ଭିଡିଓଟି ସେୟାର୍ କରାଯାଇଛି । ଯାହାକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ କମେଣ୍ଟ୍ ସେକ୍ସନ୍ ଯୁବକଙ୍କ ପ୍ରଶଂସାରେ ପୋତି ହୋଇଯାଇଛି । କିଏ ଯୁବକଙ୍କୁ ଦେବଦୂତ କହୁଛନ୍ତି ତ ଆଉ କିଏ ହିରୋ । ପ୍ରତିଟି ମଣିଷ କନ୍ନନ ତମିଜସେଲ୍ବନଙ୍କ ଭଳି ହେବା ଦରକାର ବୋଲି ଲୋକେ କହୁଛନ୍ତି ।