ବଲିଉଡ୍ ସିନେମା ଏବଂ ଗୀତର ପାଗଳପଣ କେବଳ ଭାରତରେ ନୁହେଁ ସାରା ବିଶ୍ବରେ ଦେଖିବାକୁ ମିଳେ । ହିନ୍ଦୀ ସିନେମାର ଗୀତରେ ସାରା ଦୁନିଆ ନାଚେ କହିଲେ କିଛି ଭୁଲ୍ ହେବନି । ସୋସିଆଲ୍ ମିଡିଆରେ ବିଦେଶୀ କ୍ରିକେଟରଙ୍କଠାରୁ ଆରମ୍ଭ କରି ନାମୀଦାମୀ ଚେହେରା ସଭିଁଏ ଯେମିତି ବଲିଉଡ୍ ସଂଗୀତର ମାୟାରେ ବାୟା । ବଲିଉଡ୍ ସଂଗୀତର ଲୋକପ୍ରିୟତା କେତେ ଆପଣ ଏହିଠାରୁ ଅନୁମାନ ଲଗାଇପାରୁଥିବେ ଯେ ବ୍ରିଟେନରେ ରାଜପରିବାରର ସ୍ବାଗତ ବେଳେ ବଲିଉଡ୍ ଗୀତର ଧୁନ୍ ବାଜିଥିଲା । କିଙ୍ଗ୍ ଚାର୍ଲସ୍ ଏବଂ କ୍ବିନ୍ କେମିଲାଙ୍କ ସ୍ବାଗତ ବେଳେ ବଲିଉଡର ସୁପରହିଟ୍ ସିନେମା ‘ଧୁମ୍’ ର ଗୀତ ‘ଧୁମ୍ ମଚାଲେ’ ର ଧୁନ୍ ବାଜିଥିଲା । କେବଳ ଏତିକି ନୁହେଁ ସିନେମା ‘ବଡିଗାର୍ଡ’ ର ଗୀତ ‘ତେରୀ ମେରୀ ପ୍ରେମ୍ କାହାନୀ’ ର ଧୁନ୍ ମଧ୍ୟ ବାଜିଥିଲା । ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ କିଛି ଦିନ ହେଲା ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ବ୍ରିଟେନର ରାଜପରିବାରର ସ୍ବାଗତ ସମୟରେ ବଲିଉଡ୍ ଗୀତର ଧୁନ୍ ବାଜୁଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓଟି କିଛି ଦିନ ତଳର ହୋଇଥିଲେ ମଧ୍ୟ ବର୍ତ୍ତମାନ ଭାଇରାଲ୍ ହେଉଛି । ଭିଡ଼ିଓଟିକୁ ଦେଖିବା ପରେ ବଲିଉଡ୍ ସିନେପ୍ରେମୀଙ୍କ ଖୁସି କହିଲେ ନସରେ । ସୋସିଆଲ୍ ମିଡିଆରେ ୟୁଜର୍ସ ଏହି ଭିଡିଓଟିକୁ ଖୁବ୍ ପସନ୍ଦ କରୁଛନ୍ତି ।
ଭିଡ଼ିଓଟି ୨୦୨୫ , ମାର୍ଚ୍ଚ ୧୦ ତାରିଖର ବୋଲି କୁହାଯାଉଥିବା ବେଳେ ଏହା ୬୦ ତମ Commonwealth Day 2025 ସେଲିବ୍ରେସନ୍ ବେଳର ବୋଲି କୁହାଯାଉଛି । ପ୍ରତିବର୍ଷ ବ୍ରିଟେନର ରାଜପରିବାର କମନୱେଲ୍ଥ ଦିବସ ସମାରୋହରେ ସାମିଲ୍ ହୁଅନ୍ତି । ଭିଡିଓଟି ଲଣ୍ଡନର ୱେଷ୍ଟମିନଷ୍ଟର୍ ଏବେର ବୋଲି ଜଣାପଡୁଛି । ସମାରୋହ ସ୍ଥଳରେ ଯେତେବେଳେ କିଙ୍ଗ୍ ଚାର୍ଲସ୍ ଏବଂ କ୍ବିନ୍ କେମିଲା ପହଞ୍ଚୁଛନ୍ତି ସେତେବେଳେ ‘ଶ୍ରୀ ମୁକ୍ତଜୀବନ ସ୍ବାମୀବାପ୍ପା ପାଇପ୍ ବ୍ୟାଣ୍ଡ୍’ ରାଜପରିବାରର ସ୍ବାଗତ ପାଇଁ ଧୁମ୍ ମଚାଲେ , ତେରୀ ମେରୀ ପ୍ରେମ କାହାନୀ ଭଳି ହିନ୍ଦୀ ଗୀତର ଧୁନ୍ ବଜାଉଛନ୍ତି । ଏହି ବ୍ୟାଣ୍ଡ୍ ପୂର୍ବରୁ ମଧ୍ୟ ରାଜପରିବାର ସାମ୍ନାରେ ସଂଗୀତର ଧୁନ୍ ପ୍ରଦର୍ଶନ କରିଛନ୍ତି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସ ମଜାଦାର୍ କମେଣ୍ଟ୍ ଦେବା ସହ ବଲିଉଡ୍ ସଂଗୀତକୁ ବେଷ୍ଟ୍ ବୋଲି କହୁଛନ୍ତି ।
ଏହି ଭିଡିଓଟି ଭାଇରାଲ୍ ହେବା ସହ ବଲିଉଡ୍ ସୁପରଷ୍ଟାର ହ୍ରିତିକ୍ ରୋଶନ୍ ମଧ୍ୟ ଚର୍ଚ୍ଚାରେ ଆସିଛନ୍ତି । ହ୍ରିତିକ୍ ‘ଧୁମ୍-୨’ ରେ ଲିଡ୍ ରୋଲରେ ନଜର ଆସିଥିଲେ । ଯେଉଁଥିରେ ସେ ଜଣେ ବୃଦ୍ଧ ମହିଳାଙ୍କ ଗେଟଅପରେ ନଜର ଆସିଥିଲେ । ଏବେ ତାଙ୍କର ଏହି ଲୁକ୍ ର ତୁଳନା କ୍ବିନ୍ କେମିଲାଙ୍କ ଲୁକ୍ ସହ ତୁଳନା କରାଯାଉଛି ।