କନକ ବ୍ୟୁରୋ : ଗରିବ ଜନ ସାଧାରଣ ଓ ଛାତ୍ରମାନଙ୍କୁ ଟାର୍ଗେଟ୍‌ କରୁଥିଲେ ସାଇବର ଠକ । ଗେମିଂରୁ ଟଙ୍କା ରୋଜଗାର ଲୋଭ ଦେଖାଉଥିଲେ ଆଉ ସହଜରେ ସେମାନଙ୍କ ଜାଲରେ ଫସି ଯାଉଥିଲେ ନିରୀହ ଲୋକମାନେ । ବିଭିନ୍ନ ଆଳ ଦେଖାଇ ଲୋକଙ୍କ ଆକାଉଣ୍ଟ ଖୋଲାଉଥିଲେ ସାଇବର ଲୁଟେରା । ଆକାଉଣ୍ଟ ଖୋଲିଲେ ଏଟିଏମ୍‌ କାର୍ଡ ସହିତ ଟଙ୍କା ବି ଦେଉଥିଲେ । ପରେ ସବୁ ତଥ୍ୟ ନେଇ ପୂରା ଆକାଉଣ୍ଟ ଖାଲି କରିଦେଉଥିଲେ । ଏ ସବୁ କିଛି ଅପରେଟ୍‌ ହେଉଥିଲା ଝାରସୁଗୁଡ଼ା ଜିଲ୍ଲାରୁ , ଏକ ବଡ଼ ଧରଣର ସାଇବର ଠକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ପୁଲିସ ।  

Advertisment

ସବୁଠାରୁ ବଡ଼ କଥା ହେଉଛି ସାଇବର ଠକେଇ ଅଭିଯୁକ୍ତ ମଧ୍ୟରେ ନାବାଳକମାନେ ମଧ୍ୟ ସାମିଲ ରହିଛନ୍ତି । ଝାରସୁଗୁଡାରୁ ଜାମତରା, ବିହାର, ରାଜସ୍ଥାନକୁ ଲମ୍ବିଛି ଏହି ସାଇବର ଠକେଇ ଚେର । ଝାରସୁଗୁଡ଼ାରେ ଦୀର୍ଘଦିନ ଧରି ସାଇବର ଠକେଇ ରାକେଟ ଚାଲିଥିଲା । ଏହି ଘଟଣାରେ ୧୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ୬୧ରୁ ଅଧିକ ପାସବୁକ, ୪୧ଟି ଏଟିଏମ୍‌, ୯୦ଟି ମୋବାଇଲ, ଏକ କାର୍‌ ଜବତ କରିଛି ପୁଲିସ । ତଦନ୍ତ ଜାରି ରହିଥିବା ବେଳେ ଏହି ମାମଲାରେ ଆହୁରି ଅଧିକ ଲୋକ ଗିରଫ ହୋଇପାରନ୍ତି ବୋଲି କହିଛନ୍ତି ଝାରସୁଗୁଡ଼ା ଏସ୍‌ପି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ମଧ୍ୟ ରହିଛନ୍ତି ।  

ଆହୁରି ପଢ଼ନ୍ତୁ : ବିହାରରେ ଆସନ୍ତାକାଲି ନୂଆ ସରକାରର ଶପଥ ଗ୍ରହଣ

ବିଭିନ୍ନ ସାଇବର ଠକେଇ ଗ୍ୟାଙ୍ଗ ପାଇଁ ଝାରସୁଗୁଡାରୁ ନିୟନ୍ତ୍ରିତ ହେଉଥିଲେ ଏଜେଣ୍ଟ । ଗେମିଂରୁ ଟଙ୍କା ମିଳିବ କହି ସାଧାରଣ ଲୋକଙ୍କ ନାଁରେ ବ୍ୟାଙ୍କ ପାସ୍‌ବୁକ ଖୋଲାଉଥିଲେ । ପ୍ରତିଟି ପାସବୁକ ପାଇଁ ଆକାଉଣ୍ଟ ହୋଲଡରଙ୍କୁ ୫ ହଜାର ଟଙ୍କା, ଏକ ସିମ୍‌ କାର୍ଡ ଦିଆଯାଉଥିଲା । ଝାରସୁଗୁଡ଼ାର ଅନେକ ଲୋକଙ୍କ ପାସ୍‌ବୁକ ବିହାର, ରାଜସ୍ଥାନ, ଝାଡ଼ଖଣ୍ଡକୁ ବସ୍‌ ଓ ଟ୍ରେନ ଯୋଗେ ପଠା ଯାଉଥିଲା । ସାଇବର ଠକେଇରୁ ମିଳିଥିବା ଟଙ୍କାକୁ ଝାରସୁଗୁଡାର ବିଭିନ୍ନ ଏଟିଏମରୁ ଉଠାଣ କରାଯିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହୁଥିବା ଆକାଉଣ୍ଟରେ କ୍ୟାସ୍ ଡିପୋଜିଟ କରାଯାଉଥିଲା । ସେଠାରୁ ପୁଣି ଟଙ୍କା ଉଠାଣ କରି ସାଇବର ଲୁଟେରା ନଗଦ ଟଙ୍କା ନିଜ ପାଖକୁ ନେଇଯାଉଥିଲେ ବୋଲି ପୁଲିସ କହିଛି । ଏକ ଚୋରି ମାମଲାରେ ତଦନ୍ତ ବେଳେ ମିଳିଥିବା ସୁରାକ ଆଧାରରେ ଝାରସୁଗୁଡ଼ା ପୁଲିସକୁ ଏହି ସଫଳତା ମିଳିଛି । ଏବେ ବି ଘଟଣାର ତଦନ୍ତ ଜାରି ରହିଛି...ଏଥିରେ ଅନ୍ୟ କେତେକ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରୁଛି ପୁଲିସ ।  

ଆହୁରି ପଢ଼ନ୍ତୁ : ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଚେତନ ହେବେ ଲୋକେ, କମିବ ଦୁର୍ଘଟଣା ହାର

ସାଇବର ଠକେଇକୁ ନେଇ ବାରମ୍ବାର ସଚେତନ କରାଉଛି ପୁଲିସ ପ୍ରଶାସନ । ହେଲେ ଅଧିକ ଟଙ୍କା ଲୋଭରେ ସାଇବର ଠକଙ୍କ ଜାଲରେ ଫସି ଯାଉଛନ୍ତି ଲୋକମାନେ । ଫଳରେ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଇ ବସୁଛନ୍ତି । ନିକଟରେ ହିଁ କଟକରେ ଜଣେ ଚାକିରି ଆଶାୟୀ ଇନ୍‌ଷ୍ଟାଗ୍ରାମ୍‌ରେ ଚାକିରି ଖୋଜି ଠକେଇର ଶିକାର ହୋଇଥିଲେ ।