କନକ ବ୍ୟୁରୋ : ବଢୁଛି ସାଇବର ଠକେଇ , ସାଇବର ଠକଙ୍କ ଟାର୍ଗେଟରେ ସରଳ ନିରୀହ ଲୋକେ । ଚତୁରତାର ସହ ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ନେଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ବାଲେଶ୍ବରରେ ସାମ୍ନାକୁ ଆସିଛି ଏମିତି କିଛି ଠକେଇ ମାମଲା । ବାଲେଶ୍ବର ଫାଣ୍ଡି ଛକରେ ଫୁଲ ଦୋକାନଟେ କରିଛନ୍ତି ଲିଲି ଭୂୟାଁ। । ସେଥିରୁ ଯାହା ରୋଜଗାର ହୁଏ ତାଙ୍କ ପରିବାର ଚଳେ। ମାତ୍ର ସେ ଏବେ ପଡ଼ିଛନ୍ତି ସାଇବର ଠକଙ୍କ ଜାଲରେ । ରଘୁ ଜେନା ନାମକ ଜଣେ ଯୁବକ ତାଙ୍କ ଫୋନ୍‌ରେ ଫୋନ୍‌ ପେ ଆକାଉଣ୍ଟ ଖୋଲିବା ବାହାନାରେ ଲୁଟି ନେଇଛି ୪୬ ହଜାର ଟଙ୍କା । ଏହା ଜାଣିବା ପରେ ଲିଲି ଏବେ ବାରମ୍ବାର ଥାନାକୁ ଦୌଡୁଛନ୍ତି । 

Advertisment

ସେହିପରି ସାଇବର ଠକଙ୍କ ହାବୁଡରେ ପଡିଛନ୍ତି ଶଶିକାନ୍ତ ତ୍ରିପାଠୀ । ସେ ପେସାରେ ଜଣେ ପୂଜକ । ୧୫ ଦିନ ତଳେ ତାଙ୍କୁ ଏକ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଏସ୍‌ବିଆଇ କର୍ମଚାରୀ ପରିଚୟ ଦେଇ ତାଙ୍କୁ କ୍ରେଡିଟ୍ କାର୍ଡ ନମ୍ବର, ଆଧାର କାର୍ଡ ନମ୍ବର ଏବଂ ଓଟିପି ମାଗିଥିଲା । ନ ଦେଲେ ମାସକୁ ୧୮ ହଜାର ଟଙ୍କା କିସ୍ତି କଟିବ ବୋଲି କହିଥିଲେ । ଏହା ଶୁଣି ପୂଜକ ଜଣକ ସବୁ ତଥ୍ୟ ଦେଇ ଦେଇଥିଲେ । ଆଉ ତା ପରେ ତାଙ୍କ କ୍ରେଡିଟ୍ କାର୍ଡରୁ ୫୫ ହଜାର ଏବଂ ଫୋନ୍‌ ପେ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟିଯାଇଛି ।