କନକ ବ୍ୟୁରୋ:  ସାଇବର ଠକେଇ । ଏହାର ମାୟାଜାଲରେ ଯିଏ ପଶିଲା, ସିଏ ଫସିଲା । କିଛି ଭାବିବା ଆଗରୁ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ । ସବୁ ଦେଖୁଥିବେ, କିନ୍ତୁ କିଛି କରିପାରୁନଥିବେ। ସାରା ବିଶ୍ବରୁ ସାଇବର ଠକେଇର ଯେଉଁ ତଥ୍ୟ ସବୁ ଆସୁଛି, ତାହା ବେଶ୍ ଉଦବେଗଜନକ। ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍‌ ନୂଆନୂଆ ତରିକାରେ ଲୋକଙ୍କ ଆକାଉଣ୍ଟ ଓଳାଇଦେଉଛନ୍ତି । କେମିତି ହେଉଛି ଏସବୁ ଲୁଟ୍, କେମିତି ଏଥିରୁ ବର୍ତ୍ତିବେ। ସେ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ବି ଲୁଟର ଶିକାରୁ ବର୍ତ୍ତୁନାହାନ୍ତି ଲୋକେ । ଓଡ଼ିଶା ମଧ୍ୟ ଏବେ ସାଇବର ଲୁଟେରାଙ୍କ ହବ ପାଲଟିଯାଇଛି । ୪ ବର୍ଷ ଭିତରେ ଓଡ଼ିଶାରୁ ସାଇବର ଲୁଟେରାମାନେ ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।

Advertisment

କେବଳ ୨୦୨୪ ମସିହାରେ ଓଡ଼ିଶାରୁ ସାଇବର ଲୁଟେରାମାନେ ୩୫୦ କୋଟିରୁ ଅଧିକ ଲୁଟିଛନ୍ତି । ଏହା ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ସଂସ୍ଥା ଲାଗିପଡ଼ିଛି । କିନ୍ତୁ ସେହି ଅନୁସାରେ ସାଇବର ଠକମାନେ ମଧ୍ୟ ନୂଆନୂଆ ଫନ୍ଦି ବାହାର କରିଛନ୍ତି । ଏବେ ଡିଜିଟାଲ୍‌ ଆରେଷ୍ଟ କରି ଲୋକଙ୍କୁ ଲୁଟୁଛନ୍ତି । ଫଳରେ ୨୦୨୪ରେ ରେକର୍ଡ ୩୫୦ କୋଟି ଟଙ୍କା ଲୁଟ୍‌ ହୋଇଛି ।

ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ବିନୟତୋଷ ମିଶ୍ରଙ୍କ କହିବା କଥା ଲୋକଙ୍କୁ ସଚେତନ କରିବା ପରେ ବି କିଛି ସୁଫଳ ମିଳୁନାହିଁ । ଲୋକେ ଠକେଇର ଗୋଲ୍‌ଡେନ୍‌ ଆୱାର୍‌ ଭିତରେ ଅଭିଯୋଗ କରୁନାହାନ୍ତି । ଖୁବ୍‌ ଶୀଘ୍ର ସ୍ବତନ୍ତ୍ର ସାଇବର ଵିଙ୍ଗ୍‌ ଗଠନ କରାଯିବା ସହ ସାଇବର ହେଡ୍‌କ୍ବାର୍ଟର୍ସରେ ଜଣେ ଆଇଜି କିମ୍ବା ଏଡିଜି ରୢାଙ୍କ୍‌ର ଅଫିସର ନିୟୋଜିତ ହେବେ। ସେହିଭଳି ସବୁ ଜିଲ୍ଲାରେ ୩୦ ସାଇବର ଥାନା ପ୍ରତିଷ୍ଠ‌ା କରାଯିବ । ଏବେ ରାଜ୍ୟରେ ୧୪ଟି ସାଇବର ଥାନା ଅଛି ଏବଂ ଆଉ ୨୦ଟି ସାଇର ଥାନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି ।