କନକ ବ୍ୟୁରୋ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାଖାପାଖି ୫ ବର୍ଷ ପରେ ହ୍ବାଇଟ୍ ହାଉସ୍ରେ ମୋଦୀ-ଟ୍ରମ୍ପ ଦ୍ବିପାକ୍ଷିକ ଆଲୋଚନା ହେଉଛି । ତେଣୁ ଏହି ବୈଠକ ଉପରେ ପୁରା ବିଶ୍ବର ନଜର ରହିଛି । କଥାହେଲା, ଦ୍ବିତୀୟଥର ଲାଗି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ହେବା ପରେ ମୋଦୀଙ୍କୁ ଫୋନ୍ କରିଥିଲେ ଏବଂ ଆମେରିକା ଯିବାକୁ କହିଥିଲେ । ମୋଦୀ ବି ଟ୍ରମ୍ପଙ୍କ କଥାକୁ ରଖି ଆମେରିକା ଗସ୍ତରେ ଅଛନ୍ତି । ଆଉ ଯେବେ ହ୍ବାଇଟ୍ ହାଉସ୍ରେ ମୋଦୀ ପହଞ୍ଚିଥିଲେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖୋଦ୍ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମୋଦୀଙ୍କୁ ଚେୟାର ଟାଣି ବସାଇଥିଲେ । କହିଥିଲେ, ଡିଅର ପ୍ରାଇମିନିଷ୍ଟର ୟୁ ଆର ଗ୍ରେଟ୍ । ମୋଦୀଙ୍କ ପ୍ରତି ଟ୍ରମ୍ପ ଦେଖାଇଥିବା ବ୍ୟବହାର ୧୪୦ କୋଟି ଭାରତୀୟଙ୍କ ଦିଲ୍ ଜିତିନେଇଥିବା କୁହାଯାଉଛି ।
ହ୍ବାଇଟ୍ ହାଉସ୍ରେ ମୋଦୀ-ଟ୍ରମ୍ପ ୱାନ ଟୁ ୱାନ
୫ ବର୍ଷ ପରେ ହ୍ବାଇଟ୍ ହାଉସ୍ରେ ଦୁଇ ନେତା
ମୋଦୀଙ୍କୁ ଦେଖି ଟ୍ରମ୍ପ କହିଲେ…
ପୁଣି ଆରମ୍ଭ ହେଲା ନୂଆ ବନ୍ଧୁତା
ଯେଉଁଠୁ ଛାଡ଼ିଥିଲେ ସେଇଠୁ ଆରମ୍ଭ
ଆମେରିକାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ନୀତି ଉପରେ ପୁରା ବିଶ୍ବର ନଜର ରହିଥିଲା । ଯେହେତୁ ଆମେରିକା ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର, ତେଣୁ ଟ୍ରମ୍ପଙ୍କ ନୀତି ଉପରେ ପୁରା ବିଶ୍ବର ନଜର । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଟ୍ରମ୍ପ ମୋଦୀଙ୍କୁ କହିଥିଲେ ଆମେ ଆପଣଙ୍କୁ ବହୁତ ମିସ୍ କରିଛୁ । ମୋଦୀ ପ୍ରତିଉତ୍ତରରେ କହିଥିଲେ ଆପଣଙ୍କୁ ଭେଟି ମୁଁ ବହୁତ ଖୁସି । ପରେ ପରେ ମୋଦୀଙ୍କୁ ହ୍ବାଇଟ୍ ହାଉସ୍ ଭିତରେ ନିଜେ ଚେୟାର ଟାଣି ବସାଇଲେ । ଏହାପରେ ମୋଦୀ ବିଜନେସ୍ ଡାଏରୀରେ ଦସ୍ତଖତ କରିଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭାବରେ ଉଭୟେ ଉଭଙ୍କୁ ଶେଷଥର ଲାଗି ୨୦୨୦ ଫେବୃଆରୀ ମାସରେ ସାକ୍ଷାତ କରିଥିଲେ । ଟ୍ରମ୍ପ ଯେବେ ଭାରତ ଗସ୍ତରେ ଆସିଥିଲେ ନମସ୍ତେ ଟ୍ରମ୍ପର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜୋରଦାର ସ୍ବାଗତ କରିଥିଲେ ଭାରତ ସରକାର । ଗୁରୁତ୍ବପୂର୍ଣ୍ଣ କଥା ହେଲା, ମୋଦୀଙ୍କୁ ସାକ୍ଷାତ କରିବା ସମୟରେ ଟ୍ରମ୍ପ ଏକ ଡାଏରୀ ମୋଦୀଙ୍କୁ ଦେଇଥିଲେ । ସେଠାରେ ଲେଖାଥିଲା ମୋଦି ୟୁ ଆର୍ ଗ୍ରେଟ୍ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ଏହି ଡାଏରୀକୁ ନେଇ ଟ୍ରମ୍ପଙ୍କ ପ୍ରଥମ ପାଳିରେ ବେଶ ଚର୍ଚ୍ଚା ହୋଇଥିଲା । ହାଉଡି ମୋଦୀ କାର୍ଯ୍ୟକ୍ରମରେ ଏହି ଡାଏରୀ ମଧ୍ୟ ସାମିଲ ଥିଲା ।
ଦୁଇନେତା କଲେ ପ୍ରେସମିଟ୍
ବିଶ୍ବର ଦୁଇ ନେତା ପରସ୍ପରକୁ ଭେଟିବା ପରେ ପ୍ରେସମିଟ୍ କରିଥିଲେ । ଏହି ପ୍ରେସମିଟ୍ରେ ଟ୍ରମ୍ପ କହିଥିଲେ, ମୁଁ ପୁଣି ଥରେ ମୋର ମିତ୍ର ମୋଦୀଙ୍କୁ ସ୍ବାଗତ କରି ବେଶ ଖୁସି । ସେ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହେଁ ମୋର ଭଲ ବନ୍ଧୁ ମଧ୍ୟ । ଆମର ଚିନ୍ତାଧାରା ଅନେକାଂଶରେ ସମାନ । ଆମେ ପରସ୍ପରର ବହୁତ ଭଲ ବନ୍ଧୁ । ଏହି ବନ୍ଧୁତା ଆଗାମୀ ଦିନରେ ବି ଜାରି ରହିବ । ଦୁଇଦେଶର ବିକାଶ ହେବ । ଏହି ଆଲୋଚନା ସମୟରେ ପ୍ରତିରକ୍ଷା, ପ୍ରୟୋଗିକା, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ଅନେକ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ମୋଟ୍ ଉପରେ ଆମେରିକାରେ ମୋଦୀଙ୍କ ଗସ୍ତକୁ ନେଇ ପୁରା ବିଶ୍ବର ନଜର ରହିଛି । କେଉଁ କେଉଁ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କଲେ ସେନେଇ ବି ଚର୍ଚ୍ଚା ହେଉଛି । ହେଲେ ମୋଦୀଙ୍କୁ ଯେଉଁପରି ଭାବରେ ସ୍ବାଗତ କଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ କି, ଆମେରିକା-ଭାରତ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେଉଛି ।