କନକ ବ୍ୟୁରୋ : ପ୍ରତିବର୍ଷ ଦେଶରେ କିଛି ହେଉ କି ନହେଉ ରାଜନୀତିକୁ ନେଇ ଘଟଣା ଓ ଦୁର୍ଘଟଣା କିନ୍ତୁ ଅଧିକ ହୋଇଥାଏ । ଏହାକୁ ନେଇ ସାରା ଦେଶରେ ବିବାଦ, ବିତର୍କ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ହେଲେ ୨୦୨୫ ରେ ସବୁଠାରୁ ଅପରେସନ ସିନ୍ଦୂରକୁ ନେଇ ରାଜନୀତିରେ ବଡ଼ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସଡ଼କ ଠାରୁ ନେଇ ସଂସଦ ପର୍ଯ୍ୟନ୍ତ ପ୍ରତିଟି କଥାରେ ତର୍କ ବିତର୍କ କରୁଥିବା ବେଳେ ଅପରେସନ ସିନ୍ଦୂର ବେଳେ କିନ୍ତୁ ଏହାର ଓଲଟା ଦେଖିବାକୁ ମିଳିଥିଲା । ପାକିସ୍ତାନ ବିରୋଧରେ ସାରା ଭାରତ ବର୍ଷର ରାଜନୈତିକ ଦଳମାନେ ଏକାଠି ହୋଇଥିଲା । ଯଦି ଆପେ ଅସ୍ତ୍ର ବିରତିକୁ ନେଇ ଦେଖାଦେଇଥିବା ତର୍କ ବିତର୍କକୁ ଦୂରେଇ ଦେବା ତାହାହେଲେ ଆରୋପ ପ୍ରତ୍ୟାରୋପ ଭିତରେ ସବୁ ରାଜନୈତିକ ଦଳରୁ ବଛା ବଛା ନେତୃତ୍ୱଙ୍କୁ ଯେଭଳି ଆତଙ୍କବାଦ ବିରୋଧରେ ବୁଝାଇବାକୁ ବିଶ୍ୱର ଭିନ୍ନ ଭିନ୍ନ କୋଣକୁ ପଠାଗଲା ତାହା ଭାରତୀୟ ଗଣତନ୍ତ୍ରର ସୁନ୍ଦରତାକୁ ଦ୍ୱିଗୁଣିତ କରିଥିଲା ।
ଅଧିକ ପଢ଼ନ୍ତୁ : ନୂଆବର୍ଷ ପୂର୍ବରୁ ରାଜନୀତିରେ ନୂଆମୋଡ଼: ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂରେ ନାହିଁ ହାତ ଚିହ୍ନ
ଉପରାଷ୍ଟ୍ରପତି ଥିବା ଜଗଦୀପ ଧନଖଡଙ୍କ ଇସ୍ତଫା । ଭୋଟ ଚୋରିକୁ ନେଇ ବିରୋଧୀ ବିଜେପି ଓ ନିର୍ବାଚନ ଆୟୋଗଙ୍କ ଉପରେ ସଂଗୀନ ଅଭିଯୋଗ ଆଣିବା । ଏସଆଇଆରକୁ ବିରୋଧ କରି ବିରୋଧୀଦଳମାନେ ରାଲି ଓ ସଭା କରିବାକୁ ନେଇ ବିବାଦ ଜୋର ଧରିଥିଲା । କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଯେଭଳି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି ଭୋଟ ଚୋର ଗଦି ଛୋଡ଼ ଅଭିଯାନ ଚଳାଇଥିଲେ ତାହା ବି ଭାରତ ଇତିହାସରେ ଏକ ବଡ଼ ଘଟଣା ଭାବେ ଦେଖାଯାଇପାରେ । ସେହିଭଳି ନ୍ୟାୟପାଳିକାର କିଛି ଘଟଣାକୁ ନେଇ ବିବାଦ ମଧ୍ୟ ଚର୍ଚ୍ଚାରେ ରହିଥିଲା ।
ଅପରେସନ ସିନ୍ଦୂର : ଅପରେସନ ସିନ୍ଦୂର ୨୦୨୫ରେ ଏଭଳି ଏକ ଘଟଣା, ଯାହା କି ଦେଶ ସହିତ ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । କୁହାଯାଉଛି କି, ବିଜେପି ଶାସନ କାଳରେ ଏହା ତୃତୀୟ ସର୍ଜିକାଲ ଷ୍ଟ୍ରାଇକ୍ ଥିଲା । ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପାଖାପାଖି ୩୦ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ଭାରତୀୟ ସେନା ତରଫରୁ ଅପରେସନ୍ ସିନ୍ଦୂର କରାଯାଇଥିଲା । ଏଥିରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିଲେ । ଗୁଇନ୍ଦା ସୂଚନା ମୁତାବକ ଏଥିରେ ୧୨୫ ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ : ପହଲଗାମ ଘଟଣା ଦୋହରାଇଲେ ପରିଣାମ ଭୋଗିବ ପାକିସ୍ତାନ ; ଆହୁରି ଘାତକ ହେବ ଅପରେସନ ସିନ୍ଦୂର ୨.୦
ବିଧାନସଭା ନିର୍ବାଚନ : ୨୦୨୫ ରେ ଦେଶର ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଯାକ ରାଜ୍ୟର ନିର୍ବାଚନ ଫଳାଫଳ କିନ୍ତୁ ଅପ୍ରତ୍ୟାଶିତ ରହିଥିଲା । ଦିଲ୍ଲୀ ଓ ବିହାରରେ ହୋଇଥିବା ବିଧାନସଭା ନିର୍ବାଚନରେ ଏନଡିଏ ଏକତରଫା ବିଜୟୀ ହୋଇଥିଲା ।
ଟ୍ରମ୍ପଙ୍କ ଟାରିଫ: ଦ୍ୱିତୀୟ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଟାରିଫ୍ ୱାର ଆରମ୍ଭ କରିଥିଲେ । ବିଭିନ୍ନ ଦେଶ ଉପରେ ଟାରିଫ୍ ବୃଦ୍ଧି କରିଥିଲେ ଟ୍ରମ୍ପ ସରକାର । କିନ୍ତୁ ଭାରତ କଥା ଅଲଗା ଥିଲା । ଅପରେସନ ସିନ୍ଦୂରକୁ ନେଇ ଟ୍ରମ୍ପ ବାରମ୍ବାର ଦାବି କରିଥିଲେ କି, ତାଙ୍କ ମଧ୍ୟସ୍ଥତାରେ ଭାରତ ଅସ୍ତ୍ରବିରତି କରିଥିଲା । ଏନେଇ ଟ୍ରମ୍ପ ୫୦ ରୁ ଅଧିକ ଥର ଦାବି କରିବା ପରେ ବି ଭାରତ ସରକାର ସିଧାସଳଖ ଏହାର ଜବାବ ଦେଇନଥିଲେ । ଏହାପରେ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ପ୍ରଥମେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲା । ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ସଂପର୍କକୁ ନେଇ ଭାରତରେ ବିରୋଧୀଦଳଗୁଡିକ ମୋଦୀ ସରକାରଙ୍କୁ କଟାକ୍ଷ କରିଥିଲେ ।
ଅଧିକ ପଢ଼ନ୍ତୁ : ଭାରତ ଉପରେ ଅତିରିକ୍ତ ୨୫% ପ୍ରତିଶତ ଶୁଳ୍କ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ :୨୭ ଅଗଷ୍ଟରୁ ହେବ ଲାଗୁ
ୱାକଫ୍ ସଂଶୋଧନ : ଏପ୍ରିଲ ୮ ତାରିଖରେ ସାରା ଦେଶରେ ୱକଫ୍ ସଂଶୋଧନ ଅଧିନିୟମ ୨୦୨୫ ଲାଗୁ କରିଦେଇଥିଲେ । ଏହି ବିଧେୟକ ଏପ୍ରିଲ ୨ ତାରିଖରେ ଲୋକସଭା ଓ ୩ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । ଏପ୍ରିଲ ୫ ତାରିଖରେ ଏହି ବିଧେୟକକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଏହା ଆଇନରେ ପରିଣତ ହୋଇଥିଲା । ହେଲେ ଏହାକୁ ନେଇ ଉଭୟ ଗୃହରେ ତୁମ୍ଭିତୋଫାନ କରିଥିଲେ ବିରୋଧୀ । ଶେଷରେ ମାମଲା ନ୍ୟାୟାଳୟରେ ପହଂଚିଥିଲା । ନ୍ୟାୟାଳୟରେ ଗଣ୍ଡା ଗଣ୍ଡା ଅଭିଯୋଗ ପଡ଼ିଥିଲେ ବି ସେପ୍ଟେମ୍ବର ୧୫ ତାରିଖରେ ସଂଶୋଧନ ବିଲ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟ ମନା କରିଦେଇଥିଲେ ।
ଉପରାଷ୍ଟ୍ରପତିଙ୍କ ଇସ୍ତଫା : ଉପରାଷ୍ଟ୍ରପତି ପଦରୁ ଯେଭଳି ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିଲେ ତାହାକୁ ନେଇ ଦେଶର ରାଜନୀତି ଜୋର ଧରିଥିଲା । ଜୁଲାଇ ୨୧ ତାରିଖରେ ହଠାତ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ । ହେଲେ ସରକାରଙ୍କୁ ସମାଲୋଚନା କରିଥିବାରୁ ଜଗଦୀପ ଧନଖଡ଼ଙ୍କ ଉପରେ ଇସ୍ତଫା ପାଇଁ ଚାପ ପଡ଼ିଥିବା ବିରୋଧୀ ଅଭିଯୋଗ କରିଥିଲେ ।
ଅଧିକ ପଢ଼ନ୍ତୁ : ଭିବି-ଜି ରାମ-ଜି ବିଲ୍ ଆଇନରେ ପରିଣତ ; ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରି
ଭୋଟ ଚୋରୀ ଓ ଏସଆଇଆର ବିବାଦ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ଏସଆଇଆର ଆରମ୍ଭ ହୋଇଥିଲା । ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ବିଜେପି ଜାଣିଶୁଣି ବିରୋଧୀଦଳଙ୍କ ଭୋଟ କାଟିବାକୁ ଏସଆଇଆର କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ଏନେଇ ବିହାର ମହାମେଣ୍ଟ ତରଫରୁ ଦୀର୍ଘଦିନ ଧରି ସଡ଼କରେ ପ୍ରତିବାଦ କରିବା ସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭୋଟ ଚୋରୀ ଓ ଏସଆଇଆରକୁ ନେଇ ବିଜେପି ସରକାର ବିରୋଧରେ ବିହାର ଯାତ୍ରା କରାଯାଇଥିଲା ।
ବିବାଦରେ ନ୍ୟାୟପାଳିକା ।
୨୦୨୫ ରେ ଭାରତୀୟ ନ୍ୟାୟପାଳିକା ଅନେକ ମାମଲାରେ ବିବାଦକୁ ଆସିଥିଲା । ଏହା ମଧ୍ୟରେ ଏଭଳି ଏକ ବିବାଦ ଥିଲା, ଯାହାକୁ ନେଇ ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିରୋଧୀଦଳ ମହାଭିଯୋଗ ଚଳାଇବାକୁ ପ୍ରସ୍ତାବ ଦେଇଥିଲେ । ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ୟଶୱନ୍ତ ବର୍ମାଙ୍କ ଘରୁ ବସ୍ତା ବସ୍ତା ପୋଡ଼ା ନୋଟ ବାହାରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଏହାସହ ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର ଗବାଇଙ୍କୁ ଜଣେ ଓକିଲ ଜୋତା ଫିଙ୍ଗିଥିଲେ । ହେଲେ ମୁଖ୍ୟ ବିଚାରପତି ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ।
ଅଧିକ ପଢ଼ନ୍ତୁ : ନ୍ୟାୟପାଳିକାକୁ ନେଇ ପୁଣି ଉପରାଷ୍ଟ୍ରପତିଙ୍କ ବୟାନ । କହିଲେ, ସଂସଦ ଉପରେ କେହି ନୁହନ୍ତି ବଡ଼
ସର୍ବଶେଷରେ କହିବାକୁ ଗଲେ ୨୦୨୫ ରାଜନୀତି ବିଶେଷ କରି ପ୍ରତିଶୋଧମୂଳକ ରହିଥିଲା । ଦିଲ୍ଲୀ ନିର୍ବାଚନ ପୂର୍ବରୁ ସରକାରରେ ଥିବା ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ, ନେତା ଏଭଳି କି ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଥିଲା । ସେହିଭଳି ୨୦୨୪ ଶେଷଭାଗରେ ଝାଡ଼ଖଣ୍ଡ ନିର୍ବାଚନର କିଛି ଦିନ ପୂର୍ବରୁ ମଧ୍ୟ ସେଠାରେ ଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନଙ୍କୁ ବି ଜମି ଦୁର୍ନୀତି ମାମଲାରେ ଜେଲରେ ଭର୍ତ୍ତି କରାଯାଇଥିଲା । ଏହାକୁ ବିରୋଧୀଦଳମାନେ ପ୍ରତିଶୋଧ ରାଜନୀତି ବୋଲି କହିଥିଲେ ।
Follow Us