କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ରାଜନୀତିରେ ନୂଆମୋଡ଼ । ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂରୁ ଆଉଟ୍ ହାତ ଚିହ୍ନ । ସୋଫିଆଙ୍କ ହୋର୍ଡିଂ, ପୋଷ୍ଟରରେ ଦଳୀୟ ଚିହ୍ନ ନାହିଁ କି କଂଗ୍ରେସ ନେତୃତ୍ୱର ଫଟୋ ବି ନାହିଁ । ପୋଷ୍ଟରରେ ରହିଛି ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଫଟୋ । କଟକର ବିଭିନ୍ନ ସ୍ଥାନରେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ନୂଆବର୍ଷ ଅଭିନନ୍ଦନ ପୋଷ୍ଟର ଦେଖିବାକୁ ମିଳିଛି । ସୋଫିଆଙ୍କ ହୋର୍ଡିଂ ସହ କଂଗ୍ରେସରୁ ମହମ୍ମଦ ମୋକିଙ୍କ ବହିଷ୍କାର ଓ ନୂଆବର୍ଷରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ଯୋଡ଼ି ଦେଖାଯାଉଛି । 

Advertisment

ଆଜି ବିଦାୟ ନେବ ବର୍ଷ ୨୦୨୫: ନୂଆବର୍ଷ ସ୍ବାଗତ ପାଇଁ ସବୁଠି ପ୍ରସ୍ତୁତି ଜୋରଦାର

କଂଗ୍ରେସ ସହ ମୋକିମ ବିବାଦ ଓ ନୂଆ ଆଞ୍ଚଳିକ ଦଳ ଗଠନ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ଏପରି ସମୟରେ ସୋଫିଆଙ୍କ ପୋଷ୍ଟର ଚର୍ଚ୍ଚାକୁ ସରଗରମ କରିଛି । କିଛି ଦିନ ତଳେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସ ନେତୃତ୍ୱ ଓ ପିସିସି ସଭାପତିଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ଏହାକୁ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମୋକିମଙ୍କୁ ବିଦା କରିଛି ଦଳ । କିଛି ଅସନ୍ତୁଷ୍ଟଙ୍କୁ ନେଇ ମୋକିମ ନୂଆ ଦଳ ଗଢ଼ିବେ ବୋଲି ଶୁଣାଯାଉଛି । ହେଲେ କଟକର ରାଜରାସ୍ତା ଗଳି କନ୍ଦିରେ ଲାଗିଥିବା ପୋଷ୍ଟର କିଏ ମାରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।