କନକ ବ୍ୟୁରୋ :ଅଭ୍ୟାସ ନବଦଳାଇଲେ ପରିଣାମ ଭୋଗିବ ପାକିସ୍ତାନ । ଶତ୍ରୁ ଦେଶକୁ ଏମିତି କିଛି ଚେତାବନୀ ଦେଇଛି ଭାରତୀୟ ସେନା । ପହଲଗାମ ଭଳି ଘଟଣା ଦୋହରାଇଲେ ଭୟଙ୍କର ହେବ ଅପରେସନ ସିନ୍ଦୂର ୨.୦ । ଭାରତୀୟ ସେନା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ ଏବଂ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ସେନା ଚେତାବନୀ ଦେଇଛି । ପଶ୍ଚିମ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର କହିଛନ୍ତି ଯେ ଅପରେସନ ସିନ୍ଦୂର ୨.୦ ପୂର୍ବ ଅପେକ୍ଷା ଅଧିକ ଘାତକ ଏବଂ ଶକ୍ତିଶାଳୀ ହେବ । ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ଭାରତ ସହିତ ଯୁଦ୍ଧ କରିବା ସ୍ଥିତିରେ ନାହିଁ । କିନ୍ତୁ ପାକିସ୍ତାନ ଯଦି ପହଲଗାମ ପରି ଆଉ ଏକ କାପୁରୁଷ କାର୍ଯ୍ୟ ଚେଷ୍ଟା କରିବାକୁ ଚେଷ୍ଟା କରେ ତେବେ ଏଥର କାର୍ଯ୍ୟାନୁଷ୍ଠାନ ପୂର୍ବ ଅପେକ୍ଷା ଅଧିକ ଘାତକ ହେବ, ଏଥିରେ କୌଣସି ସନ୍ଦେହ ନାହିଁ । ପାକିସ୍ତାନ ଅନେକ ଉପାୟରେ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି ତଥାପି ଭାରତୀୟ ସେନା ଏହାର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ଜେନେରାଲ କଟିୟାରଙ୍କ କହିଛନ୍ତି , "ଅପରେସନ ସିନ୍ଦୂର ସମୟରେ ଆମେ ଅନେକ ପାକିସ୍ତାନୀ ପୋଷ୍ଟ ଏବଂ ଏୟାରବେସ୍ ଧ୍ୱଂସ କରିଦେଇଥିଲୁ । କିନ୍ତୁ ସେମାନେ ପୁଣି କିଛି ଷଡ଼ଯନ୍ତ୍ର କରିପାରନ୍ତି । ଆମକୁ ସତର୍କ ରହିବାକୁ ପଡ଼ିବ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡିବ ।" ପାକିସ୍ତାନ ତା'ର ପୂର୍ବ କାର୍ଯ୍ୟକୁ ପୁନରାବୃତ୍ତି କରିବାକୁ ଚେଷ୍ଟା କରୁଛି, କିନ୍ତୁ ଖୋଲାଖୋଲି ଭାବରେ ଆମକୁ ମୁକାବିଲା କରିବା ପାଇଁ ତା'ର ସାହସ ନାହିଁ । ଭାରତୀୟ ସେନା ସମ୍ପୂର୍ଣ୍ଣ ସଜାଗ ଏବଂ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆମେ ପ୍ରସ୍ତୁତ । ସେ ପୁଣି କହିଛନ୍ତି ଯେ ପାକିସ୍ତାନର ଚିନ୍ତାଧାରା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଏପରି ଘଟଣା ଜାରି ରହିବ, କିନ୍ତୁ ଭାରତୀୟ ସେନା ପ୍ରତ୍ୟେକ ସ୍ତରରେ ଉଚିତ୍ ଜବାବ ଦେବାକୁ ପ୍ରସ୍ତୁତ ।
ସେନା ସର୍ବଦା ଜନସାଧାରଣଙ୍କ ସୁରକ୍ଷା ପାଇଁ ତତ୍ପର ଏବଂ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଲେଫ୍ଟିନାଣ୍ଟ ଜେନେରାଲ କହିଛନ୍ତି । ଏହି ଘୋଷଣା ପରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ସେନା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଯେଉଁ ନରସଂହାର ହୋଇଥିଲା ତାକୁ ଭୁଲିନି ଭାରତ । ଲୁଚିଛପି ଭାରତ ଭିତରେ ପ୍ରବେଶ କରି ଭାରତୀୟ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଅତି ନିର୍ମମ ଭାବେ ହତ୍ୟା କରିଥିଲା ପାକ୍ ଆତଙ୍କୀ । ଏହାର ଜବାବ ପାକିସ୍ତାନ ଅପରେସନ ସିନ୍ଦୂର ମାଧ୍ୟମରେ ପାଇ ସାରିଛି । ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଭିତରେ ପଶି ଏୟାର ଷ୍ଟ୍ରାଇକରେ ଅନେକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା । ଆଉ ଏହି ଘଟଣା ପରେ ପାକିସ୍ତାନ ସହ ସମସ୍ତ ରାଜନୈତିକ ଓ କୂଟନୈତିକ ସମ୍ପର୍କ ଛିନ୍ନ ହୋଇଛି ।
ତେବେ ଆଗାମୀ ଦିନରେ ପାକିସ୍ତାନ ପହଲଗାମ ଭଳି ଘଟଣା ଦୋହରାଇବାକୁ ଯୋଜନା କରୁଛି । ଯଦି ପାକିସ୍ତାନ ଏଭଳି କିଛି ଷଡ଼ଯନ୍ତ୍ର କରୁଛି ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ ବୋଲି ଭାରତୀୟ ସେନା ଚେତାବନୀ ଦେଇଛି । ପାକିସ୍ତାନ ବର୍ତ୍ତମାନ ଆଫଗାନିସ୍ତାନ ଓ ବାଲୁଚିସ୍ତାନର ଆକ୍ରମଣରେ ବେହାଲ ହୋଇ ସାରିଛି । ଆଉ ଭାରତ ଯଦି ଆକ୍ରମଣ କରେ ପାକିସ୍ତାନର ସର୍ବନାଶ ନିଶ୍ଚିତ ।