ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଅର୍ଥ ବ୍ୟାପକ । ୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯେ ସଂସାରକୁ ଆଣେ ସେ ହେଉଛି ମା’ । ସନ୍ତାନର ଅଳିଅଝଟକୁ ପୂରଣ କରି କୋଳେଇ କାଖେଇ ବଡ କରୁଥିବା ମଣିଷଟି ହେଉଛି ମା’ । ଆଜି ହେଉଛି ସେହି ମା’ର ଦିନ । ଯେ ପିଲାଟିବେଳୁ ନିଜେ ନଖାଇ ଛୁଆର ପେଟକୁ ଆଗ ଦେଖେ । ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ଜୀବନର ସବୁ ଦୁଃଖ କଷଣକୁ ମଥା ପାତି ସହିଯାଏ । ଭୋକ ଲାଗିବା ଆଗରୁ ପେଟ ଚିହ୍ନି ଖାଇବା ବାଢ଼ିଦିଏ । ଦେହପା’ ଖରାପ ହେଲେ ସାରା ରାତି ଚେଇଁ ରହେ । ସେଇଥି ପାଇଁ ତ ସେ ମା’ । ସ୍ୱର୍ଗଠାରୁ ବଡ଼, ପୁଣି ଈଶ୍ୱରଙ୍କଠୁ ମହାନ । ସେଇ ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଆଜି ଦିନଟି ଉତ୍ସର୍ଗ ।

Advertisment
mother
mother Photograph: (google)

୧୮୬୧ ରୁ ୧୮୬୫ ମସିହା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁଁ ସଂଘର୍ଷ ଲାଗି ରହିଥିଲା । ସେହି ସମୟରେ ଜଣେ ସାଧାରଣ ମହିଳା ରୁଗ୍ଣ, ଅସହାୟ ଓ ଆହତମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ସେ ସମସ୍ତଙ୍କଠାରେ ଆଦରଣୀୟା ଥିଲେ । ମହିଳାଙ୍କ  ବିୟୋଗ ପରେ ତାଙ୍କର ସୁକନ୍ୟା ଆନ୍ନା ଜାର୍ଭିସ୍ ନିଜର ସ୍ନେହମୟୀ ମାଆଙ୍କର ସ୍ମୃତି ରକ୍ଷା ନିମନ୍ତେ ପ୍ରଥମ ଥର ପାଇଁ ପାଳନ କରିଥିଲେ ‘ମାତୃ ଦିବସ’ । 

Maa 7777
Maa 7777 Photograph: (google)

୧୯୧୪ ମସିହାରେ ରାଷ୍ଟ୍ରପତି ଉଡ୍ର ଓ୍ଵିଲ୍ସନ୍ ଏହି ସେବାକାରିଣୀ ମାଆଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ‘ମାତୃ ଦିବସ’ ରୂପେ ପାଳନ ପାଇଁ ଘୋଷଣା କରିଥିଲେ । ପରେ ତାହା ଆମେରିକୀୟମାନଙ୍କ ଲାଗି ଏକ ଜାତୀୟ ଦିବସର ମାନ୍ୟତା ପାଇଥିଲା । ବିଶ୍ୱର ଏକାଧିକ ରାଷ୍ଟ୍ରରେ ଏହି ଦିବସ ପାଳନ ହେଉଥିବାବେଳେ ଆମ ଦେଶରେ ମଧ୍ୟ ମେ’ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଉଛି । ଜନ୍ମଦାତ୍ରୀ ‘ମାଆ’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ । ଶିଶୁଟିଏ ଜନ୍ମ ହେବା ମାତ୍ରେ ପ୍ରଥମେ ସେ ‘ମାଆ’ ଶବ୍ଦ ହିଁ ଉଚ୍ଚାରଣ କରିଥାଏ । ମାଆ କୋଳ ତା’ ପାଇଁ ସବୁଠାରୁ ନିରାପଦ ଆଶ୍ରୟସ୍ଥଳୀ । କଷ୍ଟ ସହି ନିଜ ଶିଶୁ ପାଇଁ ସୁଖ ଦେବାରେ ମଧ୍ୟ ମାଆର ଆନନ୍ଦ ଅତୁଳନୀୟ । ଆଜି ଦୁନିଆର ସବୁ ମାଆ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ । ଇତ୍ୟ ଅବସରରେ ମାତୃ ଦିବସ ପାଇଁ ସମସ୍ତ ମା’ଙ୍କୁ କନକ ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ।