ଅହିନକୂଳ ସଂପର୍କ ରଖୁଥିବା ଭାରତ ଓ ପାକିସ୍ତାନର ସଂପର୍କ ଗତ କିଛି ଦିନ ଧରି ଆହୁରି ଅଧିକ ଉଗ୍ର ରୂପ ନେଇଥିଲା । ଆଉ ଏହାର ଆରମ୍ଭ ହୋଇଥିଲା ପହଲଗାମ୍ ଆତଙ୍କୀ ଆକ୍ରମଣରୁ । ଯେତେବେଳେ ଧର୍ମ ପଚାରି ୨୬ ଜଣ ନିରୀହ ଭାରତୀୟ ନାଗରିକଙ୍କ ପ୍ରାଣ ନେଇଥିଲେ ଆତଙ୍କବାଦୀ । ଏହାର ମୁହଁଭଙ୍ଗା ଜବାବ୍ ଦେବା ପାଇଁ ସାରା ଦେଶରୁ ଦାବି ଉଠିଲା । ଏଭଳି ପରିସ୍ଥିତିରେ ଭାରତ ସରକାର ଏକ ଦୃଢ଼ ସାମରିକ ରଣନୀତି ଅନୁସରଣ କରି ‘ଅପରେସନ୍ ସିନ୍ଦୂର’କୁ କାର୍ଯ୍ୟକାରୀ କଲେ । ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେ ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଦେଲେ । ଭାରତର ଏ କାର୍ଯ୍ୟାନୁଷ୍ଠାନ ଏତେ ପ୍ରଭାବଶାଳୀ ଥିଲା ଯେ ପାକିସ୍ତାନ ନିଜେ ଆଗକୁ ଆସି ଭାରତକୁ ଫୋନ୍ କରି ଯୁଦ୍ଧବିରତି ପାଇଁ ନିବେଦନ କଲା । ଶନିବାର ପାକିସ୍ତାନର ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନ୍ସ (DGMO) ଭାରତୀୟ DGMOଙ୍କୁ ଫୋନ୍ କରି ସମସ୍ତ ସ୍ଥାନରେ ଗୁଳିଗୋଳା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ । ଭାରତ ଏହାକୁ ଗ୍ରହଣ କରି ସନ୍ଧ୍ୟା ୫ ଟାରୁ ଯୁଦ୍ଧବିରତି ଲାଗୁ କରିଥିଲା । ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଆଲୋଚନାର ପରିସର କେବଳ ଯୁଦ୍ଧବିରତି ପର୍ଯ୍ୟନ୍ତ ସୀମିତ ରହିବ ଏବଂ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରାଯିବ ନାହିଁ ।
/kanak/media/media_files/2025/05/10/8kUYGopSCukHXIqxzplN.jpg)
ଅପରେସନ ସିନ୍ଦୂରରେ ଭାରତକୁ କ’ଣ ହାସଲ ହେଲା ?
୧ . ୯ ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଧ୍ୱଂସ :
ଭାରତ ପାକିସ୍ତାନ ଏବଂ POK ରେ ଅବସ୍ଥିତ ୯ ଟି ବଡ଼ ଆତଙ୍କବାଦୀ ଘାଟିକୁ ଟାର୍ଗେଟ କରିଥିଲା । ଏହି ଘାଟିଗୁଡ଼ିକ ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର କାର୍ଯ୍ୟ ଏବଂ ତାଲିମ କେନ୍ଦ୍ର ଥିଲା । ଏହି ଆକ୍ରମଣ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗି ଦେଇଛି ।
୨ . ପାକିସ୍ତାନ ଭିତରେ ଗଭୀର ଷ୍ଟ୍ରାଇକ୍ :
ଭାରତ କେବଳ PoK ରେ ନୁହେଁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଭଳି ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଛି । ବାହାୱାଲପୁର ଭଳି ଘାଟିକୁ ଟାର୍ଗେଟ କରାଯାଇଥିଲା, ଯାହା ଜୈଶର ମୁଖ୍ୟାଳୟ ବୋଲି କୁହାଯାଏ । ଏହା ସେହି ସ୍ଥାନ ଯେଉଁଠାରେ ଆମେରିକା ମଧ୍ୟ ନିଜର ଡ୍ରୋନ ପଠାଇନାହିଁ ।
୩ . ପାକିସ୍ତାନର ଏୟାର ଡିଫେନ୍ସର ମୁଖା ଖୋଲିଲା :
ଭାରତୀୟ ବାୟୁସେନା ଅପରେସନ୍ ସମୟରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବେ ଚକମା ଦେଇଥିଲା । ମାତ୍ର ୨୩ ମିନିଟରେ ଅପରେସନ୍ ଶେଷ ହୋଇଥିଲା ଏବଂ ଏଥିରେ କୌଣସି ଭାରତୀୟ ବିମାନ କ୍ଷତିଗ୍ରସ୍ତ ହୋଇନଥିଲା । ରାଫେଲ୍ ଜେଟ୍ସ ମାଧ୍ୟମରେ SCALP ଏବଂ HAMMER କ୍ଷେପଣାସ୍ତ୍ର ବ୍ୟବହାର କରି ସଠିକ୍ ଆକ୍ରମଣ କରାଯାଇଥିଲା ।
/kanak/media/media_files/2025/05/10/ynAM1zMrSricrfjRyND4.jpg)
୪ . କେବଳ ଆତଙ୍କବାଦୀ ଘାଟି ଉପରେ ଟାର୍ଗେଟ୍ :
ଭାରତ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଏହି ଲଢ଼େଇ କେବଳ ଆତଙ୍କବାଦ ବିରୁଦ୍ଧରେ, ପାକିସ୍ତାନର ଜନତା କିମ୍ବା ସେନା ବିରୁଦ୍ଧରେ ନୁହେଁ ।
୫ . ଟପ୍ ଆତଙ୍କବାଦୀ ସଫା :
ଏହି ଅପରେସନରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ସାମିଲ ଥିବା ଅନେକ ଆତଙ୍କବାଦୀଙ୍କୁ ସଫା କରାଯାଇଛି । ଏହି ଆତଙ୍କବାଦୀଙ୍କ ଉପରେ ଭାରତରେ ଅନେକ ଆକ୍ରମଣର ଯୋଜନା କରିବାର ଅଭିଯୋଗ ଥିଲା । ଗୋଟିଏ ରାତିରେ ଏହି ସଂଗଠନଗୁଡ଼ିକର ନେତୃତ୍ୱ ଶେଷ ହୋଇଗଲା ।
୬ . ତିନି ସେନାର ମିଳିତ କାର୍ଯ୍ୟାନୁଷ୍ଠାନ :
ଅପରେସନ୍ ସିନ୍ଦୂରକୁ ସଫଳ କରିବାରେ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାର ଏକତା ଦେଖିବାକୁ ମିଳିଥିଲା । ଏହା ଭାରତର ମିଳିତ ସାମରିକ ରଣନୀତି ଏବଂ ଯୁଦ୍ଧ କୌଶଳର ଜୀବନ୍ତ ଉଦାହରଣ ।
୭ . ଅନ୍ତର୍ଜାତୀୟ ସ୍ତରରେ ଭାରତର ବାର୍ତ୍ତା :
ଭାରତ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ସେ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କାହାର ଅନୁମତିକୁ ଅପେକ୍ଷା କରିବ ନାହିଁ । ଏହି ବାର୍ତ୍ତା କେବଳ ପାକିସ୍ତାନ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଯେ ଭାରତ ନିଜ ନାଗରିକଙ୍କ ସୁରକ୍ଷା ସହିତ କୌଣସି ସାଲିସ କରିବ ନାହିଁ ।