ଦେବଭୂମିର ଆରାଧ୍ୟ ଶ୍ରୀ କେଦାରନାଥ ଧାମର କପାଟ ଖୋଲିଯାଇଛି । ମେ’୨ ତାରିଖରେ ଭକ୍ତଙ୍କ ଦର୍ଶନ ପାଇଁ ବାବାଙ୍କ କପାଟ ଖୋଲିଯାଇଛି । କେଦାରନାଥ ଧାମ ଦେବ ଦେବ ମହାଦେବଙ୍କ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏକ ହୋଇଥିବା ବେଳେ ପଞ୍ଚକେଦାର ତୀର୍ଥସ୍ଥଳୀ ମଧ୍ୟରୁ ସର୍ବପ୍ରଥମ । ଯେଉଁଠି ଭୋଳାନାଥ ପର୍ବତ ମଧ୍ୟଭାଗରେ ବିଦ୍ୟମାନ । ପ୍ରବଳ ତୁଷାରପାତ ମଧ୍ୟରେ ବାବାଙ୍କୁ ଦର୍ଶନ କରିବାକୁ ଭିଡ଼ ଲଗାନ୍ତି ଶ୍ରଦ୍ଧାଳୁ । ପୌରାଣିକ କଥାବସ୍ତୁ ଅନୁସାରେ, ଏହି ମନ୍ଦିର ୧୨ ଜ୍ୟୋର୍ତିଲିଙ୍ଗ ଭିତରେ ସବୁଠାରୁ ଉଚ୍ଚ । ହିନ୍ଦୁ କିମ୍ବଦନ୍ତୀ ଅନୁସାରେ, ବର୍ଷର ୬ ମାସ ବରଫରେ ଘୋଡ଼ାଇ ହୋଇ ରହୁଥିବା ଏହି ପବିତ୍ର ଧାମକୁ ଭଗବାନ ଶିବଶଙ୍କରଙ୍କ ନିବାସ ସ୍ଥଳ ବୋଲି ମଧ୍ୟ କୁହାଯାଏ । ଏହି ଧାମର ଶିବଲିଙ୍ଗଙ୍କ ଆକାର ଅନ୍ୟ ଜ୍ୟୋର୍ତିଲିଙ୍ଗଙ୍କ ଆକାର ମଧ୍ୟରୁ ଭିନ୍ନ । କେଦାରନାଥ ଧାମ ଜ୍ୟୋର୍ତିଲିଙ୍ଗଙ୍କ ଆକାର ତ୍ରିକୋଣ । ଯାହାର ପରିଧି ୧୨ ଫୁଟ୍ ଏବଂ ଉଚ୍ଚତା ମଧ୍ୟ ପାଖାପାଖି ୧୨ ଫୁଟ୍ । ମନ୍ଦିର ସାମ୍ନାରେ ମାତା ପାର୍ବତୀ ଏବଂ ପଞ୍ଚୁପାଣ୍ଡବଙ୍କ ଚିତ୍ର ପୂଜା ପାଉଛନ୍ତି । କେଦାରନାଥ ଧାମ ଶିବଲିଙ୍ଗଙ୍କ ଆକାର ବୃଷଭଙ୍କ ପିଠି ସଦୃଶ ଦେଖାଯାଏ । ଯାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ମଧ୍ୟ ଉଙ୍କି ମାରେ । ତେବେ ବାବାଙ୍କ ଏଭଳି ଆକାର ପଛରେ କ’ଣ ରହିଛି ପୌରାଣିକ ଗାଥା , ଆସନ୍ତୁ ଜାଣିବା । 

Advertisment
kedarnath Mahadev
kedarnath Mahadev Photograph: (google)

ପୌରାଣିକ କଥା ଅନୁସାରେ , ମହାଭାରତ ଯୁଦ୍ଧ ସମାପ୍ତ ପରେ କୁନ୍ତୀପୁତ୍ର ଯୁଧିଷ୍ଠିର ହସ୍ତିନାପୁରର ରାଜା ହୋଇ ସାରିଥିଲେ ଏବଂ ମାତା କୁନ୍ତୀଙ୍କ ସମେତ ଧୃତରାଷ୍ଟ୍ର , ଗାନ୍ଧାରୀ ମଧ୍ୟ ସନ୍ନ୍ୟାସ ନେଇ ସାରିଥିଲେ । ସେତେବେଳେ ହସ୍ତିନାପୁରରେ ଚାଲିଥିବା ଏକ ସଭାରେ ବ୍ରାହ୍ମଣମାନେ ପାଣ୍ଡବଙ୍କୁ ଭାତୃହତ୍ୟାର ପାପକୁ ଲାଘବ କରିବା ପାଇଁ ଭଗବାନ ଶିବଙ୍କ ଉପାସନା କରିବାକୁ କହିଥିଲେ । ବ୍ରାହ୍ମଣଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ପଞ୍ଚୁପାଣ୍ଡବ ଏବଂ ଯାଜ୍ଞସେନୀ ମହାଦେବଙ୍କ ଉପାସନା କରିବାକୁ ପାହାଡ଼ ଶିଖରକୁ ଚାଲିଗଲେ । ପ୍ରଭୁ ବିଶ୍ବନାଥ ପାଣ୍ଡବ ଭ୍ରାତାଙ୍କ ପରୀକ୍ଷା କରିବା ପାଇଁ ତାଙ୍କଠାରୁ ଦୂରେଇ ଯିବାର ନିଷ୍ପତ୍ତି ନେଲେ । ଏହାପରେ ପାଣ୍ଡବ ଯୁଆଡ଼େ ଯୁଆଡ଼େ ଗଲେ ପ୍ରଭୁ ସେଠାରୁ ଅନ୍ତର୍ଦ୍ଧାନ ହେଲେ । ଶେଷରେ ପାଣ୍ଡବଙ୍କୁ ହିମାଳୟରେ ପ୍ରଭୁଙ୍କ ଦର୍ଶନ ହେଲା କିନ୍ତୁ ଶମ୍ଭୁନାଥ ସେଠାରେ ମଧ୍ୟ ବୃଷଭ ରୂପ ଧାରଣ କଲେ । ପାଣ୍ଡବ ଭ୍ରାତା ଯେତେବେଳେ ବୃଷଭଙ୍କୁ ଧରିବାକୁ ଗଲେ ବାବା ପାତାଳ ଲୋକ ଗମନ କଲେ । କିନ୍ତୁ ବଳଶାଳୀ ଭୀମ ବୃଷଭଙ୍କ କୁଜକୁ ଧରିବାରେ ସଫଳ ହୋଇଗଲେ ଏବଂ ବାବା ସେଠାରେ ହିଁ ଲିଙ୍ଗ ରୂପ ଧାରଣ କଲେ ଏବଂ ସେହି ସ୍ଥାନରେ ହିଁ ସ୍ଥାପନ ହୋଇଗଲେ । କୁହାଯାଏ ପାଣ୍ଡବ ଏହିଠାରେ ଭଗବାନଙ୍କ ପୂଜାର୍ଚ୍ଚନା କରିଥିଲେ ଏବଂ ମହାଦେବ ପାଣ୍ଡବଭ୍ରାତାଙ୍କ ସବୁ ପାପକୁ ଏହିଠାରେ ହିଁ କ୍ଷୟ କରିଥିଲେ ।