Zubeen_garg_death_case Photograph: (Kanak News)
କନକ ବ୍ୟୁରୋ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତାଙ୍କ ପତ୍ନୀ ଏବଂ ପରିବାରଙ୍କ ପକ୍ଷରୁ ତଦନ୍ତ ଦାବି ପରେ ଜୁବିନ ମୃତ୍ୟୁ ମାମଲାର ତଦନ୍ତ କରିଥିଲା ପୁଲିସ । ଏହି ମାମଲାର ପୁଲିସ ତାଙ୍କ ମ୍ୟାନେଜରଙ୍କ ସମେତ ମୋଟ୍ ୪ ଜଣଙ୍କୁ ଗିରଫ ମଧ୍ୟ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ସାମ୍ନାକୁ ଆସିଛି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବୟାନ ।
ହିମନ୍ତ ବିଶ୍ୱ ଶର୍ମା ଆସାମ ବିଧାନସଭାରେ ସୂଚନା ଦେଇଛନ୍ତି ଯେ ଗାୟକ ଜୁବିନ ଗର୍ଗଙ୍କ ହତ୍ୟା କରାଯାଇଥିଲା । ଜୁବିନଙ୍କ ମୃତ୍ୟୁ ଉପରେ ହୋଇଥିବା ଆଲୋଚନା ସମୟରେ ଶର୍ମା ଏହି ସୂଚନା ଦେଇଥିଲେ । ବିରୋଧୀ ଦଳ ଆଜି ଏଥିପାଇଁ ଏକ କାର୍ଯ୍ୟ ସ୍ଥଗିତ ପ୍ରସ୍ତାବ ଆଣିଥିଲେ, ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବାଚସ୍ପତି ଗ୍ରହଣ କରିଥିଲେ । ଚଳିତ ବର୍ଷ ୧୯ ସେପ୍ଟେମ୍ବରରେ ସିଙ୍ଗାପୁରର ଗର୍ଗଙ୍କ ମୃତ୍ୟୁ ଘଟିଥିଲା। ଆସାମ ପୁଲିସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ତାଙ୍କ ମୃତ୍ୟୁର ତଦନ୍ତ କରିଥିଲେ । ଏହା ସହ ରାଜ୍ୟ ସରକାର ଗୁୱାହାଟି ହାଇକୋର୍ଟର ଜଣେ ବର୍ତ୍ତମାନର ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ ଆୟୋଗ ଗଠନ କରିଛନ୍ତି ।
ଅଧିକ ପଢ଼ନ୍ତୁ--ଶଯ୍ୟାଶାୟୀ ସ୍ତ୍ରୀର ସେବା କରୁଛି ସ୍ବାମୀ ; ଚାଉଳ ଓ ୧୦୦୦ ଟଙ୍କା ଦେଇ ଚୁପ ବସି ପଡ଼ିଛି ପ୍ରଶାସନ
ଗତକାଲି (ମଙ୍ଗଳବାର) ବିଧାନସଭାର କାର୍ଯ୍ୟ ନିକଟରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆରମ୍ଭ ହୋଇଥିଲା । ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ନେତା ଦେବବ୍ରତ ସଇକିଆ ଏବଂ ସ୍ୱାଧୀନ ବିଧାୟକ ଅଖିଳ ଗୋଗୋଇ ଏହି ପ୍ରସଙ୍ଗରେ କାର୍ଯ୍ୟ ସ୍ଥଗିତ ପ୍ରସ୍ତାବ ପାଇଁ ଅନୁମତି ମାଗିଥିଲେ । ବାଚସ୍ପତି ବିଶ୍ୱଜିତ୍ ଦୈମାରୀ ସେମାନଙ୍କୁ କହିବାକୁ ଅନୁମତି ଦେବାକୁ ଯାଉଥିଲେ, ସେତିକିବେଳେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି କହିଥିଲେ ଯେ ସରକାର ମଧ୍ୟ ଏହି ଘଟଣା ବିଷୟରେ ଅବଗତ ଅଛନ୍ତି । ସେ ବାଚସ୍ପତିଙ୍କୁ ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଶର୍ମା ଏହା ମଧ୍ୟ କହିଥିଲେ ଯେ ଶାସକ ଦଳର କୌଣସି ସଦସ୍ୟ ଏହି ଆଲୋଚନାରେ ଭାଗ ନେବେ ନାହିଁ ଏବଂ କେବଳ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯିବ । ତଦନ୍ତରେ ବାଧା ସୃଷ୍ଟି ହେବା ଭଳି କୌଣସି ମନ୍ତବ୍ୟ ନଦେବାକୁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।
ଏହାପୂର୍ବରୁ ସୋମବାର ଦିନ ଜୁବିନ ଗର୍ଗଙ୍କ ମୃତ୍ୟୁର ତଦନ୍ତ କରୁଥିବା ଏକ ସଦସ୍ୟ ବିଶିଷ୍ଟ କମିସନ ବୟାନ ରେକର୍ଡ କରିବା ଏବଂ ପ୍ରମାଣ ଦାଖଲ କରିବାର ତାରିଖକୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜଷ୍ଟିସ୍ ସୌମିତ୍ର ସଇକିଆଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ନଭେମ୍ବର ୩ରୁ ବୟାନ ରେକର୍ଡ କରିବା ଆରମ୍ଭ କରିଥିଲେ । କମିଶନର ସଦସ୍ୟ ସଚିବ ଅରୁପ ପାଠକ ସୂଚନା ଦେଇଛନ୍ତି ଯେ ପୂର୍ବରୁ ଶେଷ ତାରିଖ ନଭେମ୍ବର ୨୧ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ପ୍ରକାଶ ଥାଉ କି,ବଲିଉଡ୍ ଓ ଆସାମୀ ଗୀତ ପାଇଁ ଜଣାଶୁଣା ଜୁବିନ୍ ସେପ୍ଟେମ୍ବର ୧୯ରେ ସିଙ୍ଗାପୁରର ଏକ ଦ୍ବୀପ ନିକଟରେ ପହଁରିବା ସମୟରେ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ ସେ ଯେଉଁ ଡଙ୍ଗାରେ ଯାଇଥିଲେ ସେଥିରେ ଉଭୟ ଗୋସ୍ଵାମୀ ଓ ମହାନ୍ତ ମଧ୍ୟ ଥିଲେ । ସିଙ୍ଗାପୁର ହୋଟେଲରେ ଜୁବିନଙ୍କ ସହ ରହୁଥିବା ଶର୍ମା ଜୁବିନଙ୍କ ମୃତ୍ୟୁ ପୂର୍ବରୁ ସନ୍ଦେହଜନକ ଆଚରଣ କରିଥିଲେ ବୋଲି ଏସ୍ଆଇଟି ରିପୋର୍ଟ ତଲବ କରିଛି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଶର୍ମା ନାବିକଙ୍କଠାରୁ ଜବରଦସ୍ତ ନୌକାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଜୁବିନଙ୍କ ମ୍ୟାନେଜର ଶର୍ମା ତନ୍ମୟ ଫୁକାନ ଆସାମ ଆସୋସିଏସନ ସିଙ୍ଗାପୁରର ସଦସ୍ୟଙ୍କୁ ପାନୀୟ ବ୍ୟବସ୍ଥା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେ ନିଜେ ଏ ବ୍ୟବସ୍ଥା କରିବେ ବୋଲି କହିଥିଲେ । ଯେତେବେଳେ ଜୁବିନ୍ ପହଁରିବା ସମୟରେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ, ସେତେବେଳେ ଶର୍ମା ଚିତ୍କାର କରିଥିଲେ । ଗୋସ୍ବାମୀ ଏହା ମଧ୍ୟ କହିଛନ୍ତି ଯେ ଜୁବିନଙ୍କ ପାଟି ଓ ନାକରୁ ଫେଣ ବାହାରୁଥିଲା, କିନ୍ତୁ ଶର୍ମା ଏହାକୁ ‘ଏସିଡ୍ ରିଫ୍ଲକ୍ସ’ ବୋଲି କହି ଅନ୍ୟମାନଙ୍କୁ ଚିନ୍ତା ନକରିବାକୁ କହିଥିଲେ । ଗୋସ୍ଵାମୀ ତଦନ୍ତକାରୀଙ୍କୁ କହିଛନ୍ତି ଯେ ତାଙ୍କୁ ଓ ଶର୍ମା ଉଭୟଙ୍କୁ ତାଲିମ ଦେଇଥିବା ଜଣେ ବିଶେଷଜ୍ଞ ସନ୍ତରଣକାରୀ କହିଛନ୍ତି, ଜୁବିନ୍ ଏକୁଟିଆ ବୁଡ଼ି ମୃତ୍ୟୁବରଣ କରିବା ସମ୍ଭବ ନୁହେଁ ।
ଆହୁରି ପଢ଼ନ୍ତୁ : ବଲିଉଡ୍ରେ ଶୋକର ଛାୟା, ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର
ଅନ୍ୟ ସାକ୍ଷୀଙ୍କ ବିବୃତି ମଧ୍ୟ ଶର୍ମାଙ୍କ ସନ୍ଦେହଜନକ ଆଚରଣକୁ ପ୍ରମାଣିତ କରିଥିଲା । ଗିରଫ ଦସ୍ତାବିଜ ଅନୁଯାୟୀ, ଶର୍ମା ତାଙ୍କ କାର୍ଯ୍ୟ ପାଇଁ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇ ନାହାନ୍ତି । ଜୁବିନଙ୍କ ପତ୍ନୀ ଗରିମା ସାଇକିଆ ଗର୍ଗ ମଧ୍ୟ କହିଛନ୍ତି ଯେ ଏହା ପଛରେ ଷଡ଼୍ଯନ୍ତ୍ର ଥିବା ସେ ସନ୍ଦେହ କରିଥିଲେ । ସେ ଆହୁରି ଦାବି କରିଥିଲେ ଯେ ଗର୍ଗଙ୍କର କେବେ ବି ହୃଦ୍ରୋଗଜନିତ ସମସ୍ୟା ନ ଥିଲା । ତେବେ ଗୋସ୍ବାମୀଙ୍କ ବୟାନ ପୁଲିସ ଅଧିକ ତଦନ୍ତ ଚଲାଇଛି ।
Follow Us