କନକ ବ୍ୟୁରୋ: ଆସାମର ଚର୍ଚ୍ଚିତ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ନୁହେଁ ହୋଇଛି ହତ୍ୟା । ସାମନାକୁ ଆସିଲା ଜୁବିନଙ୍କ ମୃତ୍ୟୁ ପଛର ସାଙ୍ଘାତିକ ସତ । ଜୁବିନଙ୍କ ମ୍ୟୁଜିକାଲ୍ ଟିମର ବନ୍ଧୁ ଶେଖର ଜ୍ୟୋତି ଗୋସ୍ଵାମୀ ଅଭିଯୋଗ ପରେ ଆସାମ ପୁଲିସ ଆରମ୍ଭ କରିଛି ତନାଘନା ।
ଗୋସ୍ବାମୀ କହିଛନ୍ତି ଯେ ଜୁବିନଙ୍କ ମ୍ୟାନେଜର ଓ ସିଙ୍ଗାପୁର କାର୍ଯ୍ୟକ୍ରମର ଆୟୋଜକ ତାଙ୍କୁ ବିଷ ଦେଇଥିଲେ । ଜୁବିନଙ୍କ ମୃତ୍ୟୁ ମାମଲାରେ ଆସାମ ପୁଲିସ ଦ୍ଵାରା ଗିରଫ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ଗୋସ୍ୱାମୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ଏହି ଘଟଣାକୁ ଲୁଚାଇବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ଏକ ବିଦେଶ ଗନ୍ତବ୍ୟସ୍ଥଳ ବାଛିଥିଲେ । ଗୋସ୍ଵାମୀଙ୍କ ବ୍ୟତୀତ ପୁଲିସ ଦ୍ଵାରା ଗିରଫ ହୋଇଥିବା ବ୍ୟକ୍ତିଙ୍କ ଭିତରେ ଅଛନ୍ତି ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ଇଭେଣ୍ଟ ମ୍ୟାନେଜର ଶ୍ୟାମକାନୁ ମହାନ୍ତ ଓ ସଙ୍ଗୀତଜ୍ଞ ଅମୃତପ୍ରଭା ମହାନ୍ତ । ଏହି ମାମଲାରେ ହତ୍ୟା ଅଭିଯୋଗ ଯୋଡ଼ାଯାଇଛି ।
ବଲିଉଡ୍ ଓ ଆସାମୀ ଗୀତ ପାଇଁ ଜଣାଶୁଣା ଜୁବିନ୍ ସେପ୍ଟେମ୍ବର ୧୯ରେ ସିଙ୍ଗାପୁରର ଏକ ଦ୍ବୀପ ନିକଟରେ ପହଁରିବା ସମୟରେ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ ସେ ଯେଉଁ ଡଙ୍ଗାରେ ଯାଇଥିଲେ ସେଥିରେ ଉଭୟ ଗୋସ୍ଵାମୀ ଓ ମହାନ୍ତ ମଧ୍ୟ ଥିଲେ । ସିଙ୍ଗାପୁର ହୋଟେଲରେ ଜୁବିନଙ୍କ ସହ ରହୁଥିବା ଶର୍ମା ଜୁବିନଙ୍କ ମୃତ୍ୟୁ ପୂର୍ବରୁ ସନ୍ଦେହଜନକ ଆଚରଣ କରିଥିଲେ ବୋଲି ଏସ୍ଆଇଟି ରିପୋର୍ଟ ତଲବ କରିଛି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଶର୍ମା ନାବିକଙ୍କଠାରୁ ଜବରଦସ୍ତ ନୌକାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଜୁବିନଙ୍କ ମ୍ୟାନେଜର ଶର୍ମା ତନ୍ମୟ ଫୁକାନ ଆସାମ ଆସୋସିଏସନ ସିଙ୍ଗାପୁରର ସଦସ୍ୟ)ଙ୍କୁ ପାନୀୟ ବ୍ୟବସ୍ଥା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେ ନିଜେ ଏ ବ୍ୟବସ୍ଥା କରିବେ ବୋଲି କହିଥିଲେ । ଯେତେବେଳେ ଜୁବିନ୍ ପହଁରିବା ସମୟରେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ, ସେତେବେଳେ ଶର୍ମା ଚିତ୍କାର କରିଥିଲେ, ‘ଯାଗେ ଦେ, ଯାବୋ ଦେ’ । ଗୋସ୍ବାମୀ ଏହା ମଧ୍ୟ କହିଛନ୍ତି ଯେ ଜୁବିନଙ୍କ ପାଟି ଓ ନାକରୁ ଫେଣ ବାହାରୁଥିଲା, କିନ୍ତୁ ଶର୍ମା ଏହାକୁ ‘ଏସିଡ୍ ରିଫ୍ଲକ୍ସ’ ବୋଲି କହି ଅନ୍ୟମାନଙ୍କୁ ଚିନ୍ତା ନକରିବାକୁ କହିଥିଲେ । ଗୋସ୍ଵାମୀ ତଦନ୍ତକାରୀଙ୍କୁ କହିଛନ୍ତି ଯେ ତାଙ୍କୁ ଓ ଶର୍ମା ଉଭୟଙ୍କୁ ତାଲିମ ଦେଇଥିବା ଜଣେ ବିଶେଷଜ୍ଞ ସନ୍ତରଣକାରୀ କହିଛନ୍ତି, ଜୁବିନ୍ ଏକୁଟିଆ ବୁଡ଼ି ମୃତ୍ୟୁବରଣ କରିବା ସମ୍ଭବ ନୁହେଁ ।
ଅନ୍ୟ ସାକ୍ଷୀଙ୍କ ବିବୃତି ମଧ୍ୟ ଶର୍ମାଙ୍କ ସନ୍ଦେହଜନକ ଆଚରଣକୁ ପ୍ରମାଣିତ କରିଛି । ଗିରଫ ଦସ୍ତାବିଜ ଅନୁଯାୟୀ, ଶର୍ମା ତାଙ୍କ କାର୍ଯ୍ୟ ପାଇଁ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇ ନାହାନ୍ତି । ଜୁବିନଙ୍କ ପତ୍ନୀ ଗରିମା ସାଇକିଆ ଗର୍ଗ ମଧ୍ୟ କହିଛନ୍ତି ଯେ ଏହା ପଛରେ ଷଡ୍ଯନ୍ତ୍ର ଥିବା ସେ ସନ୍ଦେହ କରୁଛନ୍ତି । ସେ ଆହୁରି ଦାବି କରିଛନ୍ତି ଯେ ଗର୍ଗଙ୍କର କେବେ ବି ହୃଦ୍ରୋଗଜନିତ ସମସ୍ୟା ନ ଥିଲା । ତେବେ ଗୋସ୍ବାମୀଙ୍କ ବୟାନ ପରେ ଏବେ ଉଭୟ ମ୍ୟାନେଜର ଓ ଆୟୋଜକ ପୁଲିସ ରାଡାରରେ ।