କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲ ଏବଂ ତାଙ୍କ ରାଜନୈତିକ ଦଳ ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି । ଏକ ଦଶନ୍ଧି ଧରି ରାଜଧାନୀ ଦିଲ୍ଲୀରେ ଶାସନ କରିବା ପରେ କେଜ୍ରିୱାଲଙ୍କ ଦଳ ନିର୍ବାଚନରେ ବିଜେପିଠୁ ହାରିଯାଇଛି । ଦଳର ୨୨ ଜଣ ବିଧାୟକ ବିରୋଧୀ ଦଳ ଭାବେ ଦିଲ୍ଲୀ ବିଧାନସଭାରେ ପହଞ୍ଚିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଏବେ ବିରୋଧୀ ଦଳ ନେତା ଅଛନ୍ତି । ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ନିଜ ଆସନ ବଞ୍ଚାଇ ପାରିନଥିଲେ । ସମାନ ଘଟଣା ମଧ୍ୟ ତାଙ୍କ ବନ୍ଧୁ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସହ ମଧ୍ୟ ହୋଇଛି ।

Advertisment

ଦିଲ୍ଲୀରେ ଶୋଚନୀୟ ପରାଜୟ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ସାର୍ବଜନୀନ କାର୍ୟ୍ୟକ୍ରମରେ ଦେଖିବାକୁ ମିଳିନାହିଁ । ତାଙ୍କ ଅନୁପସ୍ଥିତି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ କେଜ୍ରିୱାଲ ରାଜ୍ୟସଭା ସିଟ୍ ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର । ଦଳ ଘୋଷଣା କରିଛି ଯେ ପଞ୍ଜାବର ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରା ଲୁଧିଆନା ପଶ୍ଚିମରୁ ବିଧାନସଭା ଉପନିର୍ବାଚନ ଲଢ଼ିବେ।

ଏହା ପରେ ଉଭୟ କଂଗ୍ରେସ ଏବଂ ବିଜେପି ଦାବା କରୁଛି ଯେ,ବିଧାନସଭା ପାଇଁ ଅରୋରାଙ୍କ ପ୍ରାର୍ଥୀତ୍ୱ କେଜ୍ରିୱାଲଙ୍କ ରାଜ୍ୟସଭା ଆସନ ପାଇଁ ବାଟ ସଫା କରିଦେଲା । ଆପ୍ ତୁରନ୍ତ ଏକ ବୟାନ ଦେଇ ଏ ସବୁକୁ ଖଣ୍ଡନ କରିଛି, କିନ୍ତୁ ଏହା ମଧ୍ୟ ପ୍ରଶ୍ନ ଉଠାଇଛି ଯେ ଯଦି ଅରୋରା ଆଗାମୀ ଉପନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ପଞ୍ଜାବରୁ ଆପର ନୂଆ ଚେହେରା କିଏ ହେବ,ଯିଏ କି ରାଜ୍ୟସଭା ଯିବ ।

କେଜ୍ରିଓ୍ଵାଲ କେଉଁଠି ନିଖୋଜ ଅଛନ୍ତି?

ସବୁଠାରୁ ବଡ ପ୍ରଶ୍ନ ଏବେ ବି ଘୂରି ବୁଲୁଛି ଯେ ଅରବିନ୍ଦ କେଜ୍ରିୱାଲ କେଉଁଠି ଅଛନ୍ତି ? ତାଙ୍କୁ ଶେଷ ଥର ପାଇଁ ଆପ୍ ବିଧାୟକ ଦଳ ବୈଠକରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଆତିଶୀଙ୍କୁ ବିରୋଧି ଦଳ ନେତା ଭାବରେ ଘୋଷଣା କରାଯାଥିଲା । ଦଳର ସୂତ୍ରରୁ ପ୍ରକାଶ ଯେ,କେଜ୍ରିୱାଲ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି । ଯେଉଁଠାରେ ତାଙ୍କ ଦଳର ମୂଳଦୁଆ ମଜବୁତ ରହିଛି । ସତ୍ତାରେ ବଞ୍ଚି ରହିବା ପାଇଁ ବର୍ତ୍ତମାନ ପଞ୍ଜାବ ଏକମାତ୍ର ରାଜ୍ୟ । ଆମ୍ ଆଦମୀ ପାର୍ଟି ଆଗାମୀ ବିହାର ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରୁଛି ।

ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ଫୋକସ ଲୁଧିଆନା ପଶ୍ଚିମ ବିଧାନସଭା ଉପନିର୍ବାଚନ ଜିତିବା ଏବଂ ପରେ ୨୦୨୭ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ରହିଛି । ପଞ୍ଜାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଦଳୀୟ ନେତାମାନଙ୍କ ସହ ନିୟମିତ ବୈଠକ କରୁଛନ୍ତି କେଜ୍ରିୱାଲ । ସୂଚନା ଅନୁସାରେ,ଅରବିନ୍ଦ କେଜ୍ରିୱାଲ ରାଜ୍ୟର ତୃଣମୂଳ ସ୍ତରର କର୍ମୀଙ୍କ ଠାରୁ ମତାମତ ମଧ୍ୟ ନେଉଛନ୍ତି ।