ମଣିଷ ଯଦି ଅଧିକ କାହାକୁ ଡରେ ତା’ହେଲେ ସେ ହେଉଛି ସାପ । ସର୍ପ ଦଂଶନରେ କେତେ ଯେ ଜୀବନ ଯାଇଛି ତାହାର ହିସାବ ନାହିଁ । ପୁରାତନ କାଳରେ ଲୋକ ଏହାକୁ ସର୍ପଦୋଷ କହୁଥିଲେ । ସାପ କାମୁଡ଼ି ଦେଲେ ପାଖରେ ଯଦି ଚିକିତ୍ସାଳୟ ଥିବ ତା’ହେଲେ ତ ଭଲ କିନ୍ତୁ ଯଦି ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନ ମିଳିଲା ଜୀବନ ଯିବାଟା ଥୟ । ଏମିତି ଅନେକ ଉଦାହରଣ ଆପଣ ଦେଖିଥିବେ ଯେଉଁଠି ସର୍ପ ଦଂଶନରେ ତତକ୍ଷଣାତ୍ ଚିକିତ୍ସା ନ ମିଳିବା କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । କିନ୍ତୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କୁ ଚକିତ କରୁଛି । 

Advertisment

ଭିଡ଼ିଓଟି କିଛି ଦିନ ପୁରୁଣା ହୋଇଥିଲେ ହେଁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖାଯାଉଛି କି ଜଣେ ଯୁବକ ଫୋନରେ କଥା ହେଉଛନ୍ତି । ଆଉ ଠିକ୍ ସେତିକି ବେଳେ ଗୋଟିଏ ବିଷଧର ସାପ ତାଙ୍କ ମୁଣ୍ଡକୁ କାମୁଡ଼ିବାକୁ ଚେଷ୍ଟା କରୁଛି । କିନ୍ତୁ କଥାରେ ଅଛି ନା’ ଯାହାକୁ ରଖିବେ ଅନନ୍ତ , କେ କରିପାରେ ବଳବନ୍ତ । ସାପ କାମୁଡ଼ିବା ସତ୍ତ୍ବେ ଯୁବକଙ୍କୁ କୌଣସି କ୍ଷତି ପହଞ୍ଚୁନାହିଁ ଆଉ ଏହାରି ପଛରେ ରହିଛି ଟୋପି । ଆଜ୍ଞା ହଁ ଯୁବକ ଜଣକ ମୁଣ୍ଡରେ ପିନ୍ଧିଥିବା ଟୋପି ହିଁ ତାଙ୍କ ରକ୍ଷାକବଚ ସାଜିଛି । ବାରମ୍ବାର ଦଂଶନ ଫଳରେ ସାପର ଦାନ୍ତରେ ଯୁବକଙ୍କ ଟୋପିଟି ଲାଖିଯାଉଛି ଆଉ ସାପଟି ଟୋପିକୁ ହିଁ ଭିଡି ନେଉଛି । ଯୁବକ ଫୋନରେ ଏତେ ବ୍ୟସ୍ତ ରହୁଛନ୍ତି ଯେ କେତେବେଳେ ତାଙ୍କୁ ସାପ ଚୋଟ ମାରୁଛି ସେ ଜାଣି ମଧ୍ୟ ପାରୁନାହାନ୍ତି । ଆଉ ମୁଣ୍ଡରୁ ଟୋପି ଯିବା ପରେ ଯୁବକଙ୍କୁ ଅନୁଭବ ହେଉଛି ଯେ ତାଙ୍କ ପଛରେ ଗୋଟିଏ ବିଷଧର ସାପ ଅଛି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକ ବିଭିନ୍ନ କମେଣ୍ଟ୍ ଦେଉଛନ୍ତି । କିଏ କହୁଛନ୍ତି ଭଗବାନ ଟୋପି ବେଶରେ ଯୁବକଙ୍କୁ ବଞ୍ଚାଇଦେଲେ ତ ଆଉ କିଏ କହୁଛନ୍ତି ଫୋନ୍ ଭିତରେ ପଶିଗଲେ ଏମିତି ହିଁ ହୁଏ । ତେବେ ସେ ଯାହା ହେଉ ଭାଇରାଲ୍ ଭିଡିଓଟି ୟୁଜର୍ସଙ୍କୁ ସଚେତନ କରିଛି କହିଲେ କିଛି ଭୁଲ୍ ହେବନି ।