କନକ ବ୍ୟୁରୋ: ଆଶାରାମ ବାପୁଙ୍କୁ ନେଇ ଥମୁନି ଚର୍ଚ୍ଚା । ଦୁଷ୍କର୍ମ ମାମଲାରେ ଫଶିବା ପରେ ଜେଲ୍‌ରେ ଆଶାରାମ । ଜେଲ୍‌ ଯିବା ପୂର୍ବରୁ ନିଇତି ପ୍ରବଚନ ଦେବା ସହିତ ଆଶ୍ରମ ବି ଚଲାଉଥିଲେ । ଯାହାଦ୍ବାରା କୋଟି କୋଟି ଟଙ୍କା ରୋଜଗାର ବି ହେଉଥିଲା । ଏହି ସମୟରେ ଆଶାରାମଙ୍କର ପୁରା ଦେଶରେ ପୋଷ୍ଟର ଲଗାଯାଇଥିଲା । ଖାଲି ରାସ୍ତାରେ ନୁହେଁ ବରଂ ରେଲୱେ ଷ୍ଟେସନ, ବିମାନ ବନ୍ଦର ଓ ବସ୍‌ଷ୍ଟାଣ୍ଡରେ ବି ପୋଷ୍ଟର ଦେଖିବାକୁ ମିଳେ । ଏହାରି ଭିତରେ ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ବି ଆଶାରାମଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା । କିନ୍ତୁ ଏହାକୁ ନେଇ ବିବାଦ ଦେଖାଯିବା ପରେ ଦିଲ୍ଲୀ ମେଟ୍ରୋରୁ ଆଶାରାମଙ୍କ ପୋଷ୍ଟର ହଟାଇ ଦିଆଯାଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Advertisment

ଅଭିଯୋଗ ପରେ ଚେତିଲା ଡିଏମଆରସି
ହଟିଲା ଆଶାରାମଙ୍କ ବିଜ୍ଞାପନ

ରାଜଧାନୀ ଦିଲ୍ଲୀ ମେଟ୍ରୋରେ ନିଇତି ଲକ୍ଷାଧିକ ଲୋକ ଯାତ୍ରା କରନ୍ତି । ତେଣୁ ଏଠାରେ ଯିଏ ବିଜ୍ଞାପନ ଦିଅନ୍ତି ତାହା ଅନେକ ଦେଖନ୍ତି । ହେଲେ ଆଶାରାମଙ୍କ କେଳଙ୍କାରୀର ଗୋଟିଏ ପରେ ଗୋଟିଏ ପୃଷ୍ଠା ଖୋଲିବା ପରେ ସର୍ବସାଧାରଣ ସ୍ଥାନରେ ତାଙ୍କ ଫଟୋ ରହିବା ଉଚିତ୍‌ ନୁହେଁ ବୋଲି ଅନେକ ଅଭିଯୋଗ କରିଛନ୍ତି । ତେଣୁ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଜନତାଙ୍କ ଭାବାବେଗକୁ ନଜରରେ ରଖି ବିଜ୍ଞାପନ ହଟାଇ ଦେଇଛି । ସେପଟେ ବିବାଦ ବଢିବା ପରେ ମେଟ୍ରୋ କର୍ତ୍ତୃପକ୍ଷ ଜବାବ ରଖିଛନ୍ତି । କହିଛନ୍ତି, ପୋଷ୍ଟର ନଜରକୁ ଆସିବା ପରେ ତୁରନ୍ତ ହଟାଇ ଦେବା ଲାଗି ଆମେ ନିର୍ଦ୍ଦେଶ ଦେଇଛୁ । ଯେଉଁମାନେ ମେଟ୍ରୋ ଷ୍ଟେସନ କିମ୍ବା ଟ୍ରେନ୍‌ରେ ବିଜ୍ଞାପନ ଦିଅନ୍ତୁ ସେମାନଙ୍କ ଲାଗି ବି ଏକ ନିୟମ ରହିଛି । ସେହି ଅନୁସାରେ, ବିଜ୍ଞାପନ ଦିଆଯାଏ । ହେଲେ ବିଜ୍ଞାପନ ମେଟ୍ରୋରେ କେମିତି ଲାଗିଲା ସେନେଇ ତଦନ୍ତ ଚାଲିଛି ।  ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ମେଟ୍ରୋରେ ଦୁଇଟି ଭିନ୍ନଭିନ୍ନ ବିଜ୍ଞାପନ ଲାଗିଥିଲା । ଯେଉଁଥିଲେ ଆଶାରାମଙ୍କ ସମ୍ପର୍କରେ ଅନେକ କଥା ଲେଖା ହୋଇଥିଲା । 

୧୧ ବର୍ଷ ହେଲାଣି ଜେଲ୍‌ରେ ଆଶାରାମ

ଦୁଷ୍କର୍ମ ମାମଲାରେ ଗାନ୍ଧିନଗର କୋର୍ଟ ଆଶାରାମଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ।  ୧୧ ବର୍ଷ ହେଲାଣି ଆଶାରାମ ଜେଲ୍‌ରେ ଅଛନ୍ତି ଅବଶ୍ୟ କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ତାଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । କିନ୍ତୁ ଦୁଷ୍କର୍ମ ମାମଲାରେ ସେସନ୍‌ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏଠାରେ କହିରଖୁଛୁ କି, ୨୦୧୩ରେ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଦୁଷ୍କର୍ମ ୨୦୦୧ରୁ ୨୦୦୬ ମଧ୍ୟରେ ହୋଇଥିଲା । ପୀଡ଼ିତାଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅ ବି ଦୁଷ୍କର୍ମ କରିଥିଲେ । ଯେଉଁଥି ଲାଗି କୋର୍ଟ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହତ ଦଣ୍ଡାଦେଶ ଦେଇଛନ୍ତି ।

ବିଜ୍ଞାପନ ପୂର୍ବରୁ ବହିକୁ ନେଇ ବିବାଦୀୟ ହୋଇଥିଲେ ଆଶାରାମ

ଆଶାରାମ ବାପୁଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଯୌନ କେଳଙ୍କାରୀ ମାମଲାରେ ଦୀର୍ଘଦିନ ଜେଲରେ ରହିବା ପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଥିଲେ । ହେଲେ ଆଶାରାମଙ୍କ ସମର୍ଥକମାନେ ଉତ୍ପାତ ହେବା ଆରମ୍ଭ କରିଦେଲେଣି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ସତ୍ୟର କାହାଣୀ ଓ ସତ୍ୟର ଯୁବାନୀ ବହିକୁ ନେଇ ବିବାଦ ବଢିବାରେ ଲାଗିଛି । କାରଣ ଏହି ବହିରେ ଆଶାରାମଙ୍କ ସମ୍ପର୍କରେ ଅନେକ କଥା ଲେଖାଯାଇଛି । ଖାଲି ଲେଖାଯାଇଛି ତାହା ନୁହେଁ ଘଟଣାକୁ ନେଇ ପ୍ରଶ୍ନ ବି ଉଠିଲାଣି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଗୁଜୁରାଟ ମାମଲାରେ ସୁପ୍ରିମକୋର୍ଟ ଆଶାରାମଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ସେପଟେ ଯୋଧପୁର ମାମଲାରେ ହାଇକୋର୍ଟ ଆଶାରାମଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବି ଅନ୍ତରୀଣ ଜାମିନ ଦେଇଥିଲେ । ତେଣୁ ଜେଲର ଅନ୍ଧାରଘରୁ ବାହାରିଥିଲେ ଆଶାରାମ । କିନ୍ତୁ ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକମାନେ ଯେଉଁପରି ଭାବରେ ବାର୍ତ୍ତା ଦେଉଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ଅନେକ କହିଲେଣି । ତାଙ୍କ ଉପରେ ଲେଖାଯାଇଥିବା ବହିରେ କୁହାଯାଇଛି , କୁଆଡ଼େ ଆଶାରାମଙ୍କୁ ଜାଣିଶୁଣି ଫସେଇ ଦିଆଯାଇଛି । ଖାଲି ଏତିକି ନୁହେଁ ବରଂ ଏକା ସାଙ୍ଗରେ ଗୁଜୁରାଟ ଓ ରାଜସ୍ଥାନରେ ଦାୟର ହୋଇଥିବା ଦୁଇଟି ମାମଲାରେ ହୀନ ଚକ୍ରାନ୍ତ ଥିବା କୁହାଯାଉଛି । ଏହାସହ ସମୟ ଆସିଲେ ସବୁ ସତ ସାମ୍ନାକୁ ଆସିବ ବୋଲି ବି ବହିରେ ଲେଖାଯାଇଛି ।

ବହିରେ ଲେଖାଯାଇଛି ସୁପ୍ରିମକୋର୍ଟ କଥା

ଆଶାରାମ ବାପୁଙ୍କ ଉପରେ ଲେଖାଯାଇଥିବା ଏହି ବହିରେ ସୁପ୍ରିମକୋର୍ଟ ପ୍ରସଙ୍ଗରେ ବି ଅନେକ କଥା ଲେଖାଯାଇଛି । କୁହାଯାଇଛି, ଜଣେ ନିର୍ଦ୍ଦୋଶଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଯାଇପାରେ । ଏମିତି ଅନେକ ମାମଲା ସାମ୍ନାକୁ ବି ଆସିଛି । ଏହାସହ ବହିର ମଲାଟରେ ସୁପ୍ରିମକୋର୍ଟର ଫଟୋ ବି ରହିଛି । ଠିକ୍‌ ସେହିପରି ବହିର ଶେଷ ପୃଷ୍ଠାରେ ଆଶାରାମ ବାପୁଙ୍କ ଫଟୋ ଛପା ଯାଇଛି । ସେପଟେ ତାଙ୍କ କର୍ମୀ କହୁଛନ୍ତି, ଆଜିକା ସମୟରେ ଆଶାରମ କେବଳ ବହିରେ ରହିନାହାନ୍ତି ବରଂ ସାଧାରଣ ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ଅଛନ୍ତି । 

ବହିରେ ରହିଛି ଟୋଲ ଫି ନମ୍ୱର

ଆଶାରାମ ବାପୁଙ୍କୁ ନେଇ ବହି ଛପା ଯିବା ପରେ ଏବେ ପୁରା ଦେଶରେ ଭାରି ଚର୍ଚ୍ଚା । କାରଣ ବହିରେ ଆଶାରାମଙ୍କ ସମ୍ପର୍କରେ ଅନେକ ତଥ୍ୟ ଦିଆଯିବା ସହିତ ଟୋଲ ଫି ନମ୍ୱର ମଧ୍ୟ ଜାରି କରାଯାଇଛି । ଆଉ କୁହାଯାଉଛି କି, ଏହି ଟୋଲ ଫି ନମ୍ବରରେ ମିସ୍ଡ କଲ କରି ଆଶାରାମଙ୍କୁ ସମର୍ଥନ ଦିଅନ୍ତୁ । ଏହାସହ ନ୍ୟାୟ ପାଇଁ ଯେଉଁ ଲଢେଇ ହେଉଛି ସେଥିରେ ଆପଣ ସମର୍ଥନ ଆବଶ୍ୟକ ବୋଲି କୁହାଯାଇଛି । ହେଲେ ଆଶାରାମ ବାପୁଙ୍କ ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିବା ପରେ ପୁରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି ବି କରାଯାଇଥିଲା । ଏହାପରେ ବି ଯେଉଁପରି ଭାବରେ ତାଙ୍କ ନାଁରେ ବହି ଛପାଗଲା ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।