କୁହାଯାଏ, ସ୍ବାମୀ ଏବଂ ସ୍ତ୍ରୀର ସଂପର୍କ ୭ ଜନ୍ମର । କିନ୍ତୁ ଆଜିର ଯୁଗରେ ଏହି ସଂପର୍କର କୌଣସି ଗ୍ୟାରେଣ୍ଟି ନାହିଁ । ବିବାହର ବନ୍ଧନ କେତେ ଦିନ ତିଷ୍ଠିବ କହିବା କାଠିକର ପାଠ । ବର୍ତ୍ତମାନ ସମୟରେ ବାହାଘରଠାରୁ ଅଧିକ ଛାଡ଼ପତ୍ରର ଖବର ସାମ୍ନାକୁ ଆସୁଛି । ସରଳ ଭାଷାରେ କହିଲେ, ଛାଡ଼ପତ୍ର ଏବେ ଟ୍ରେଣ୍ଡରେ ଚାଲିଛି । ଏହାରି ଭିତରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଲୋମ ଟାଙ୍କୁରି ଉଠୁଛି । କେଉଁଠି ସ୍ବାମୀକୁ ମାରି ସ୍ତ୍ରୀ ଡ୍ରମରେ ଭର୍ତ୍ତି କଲାଣି ତ ଆଉ କେଉଁଠି ବିବାହର ମାତ୍ର ୧୫ ଦିନ ଭିତରେ ହିଁ ସ୍ବାମୀକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ସୁପାରି କିଲରକୁ ଟଙ୍କା ଦେଲାଣି । ଏସବୁ ଖବର ଦେଖି ଅବିବାହିତଙ୍କ ମନରୁ ମଧ୍ୟ ବିବାହ କରିବାର ଇଚ୍ଛା ମରି ମରି ଯାଉଛି । ତେବେ ଏସବୁ ଭିତରେ ଉତ୍ତରପ୍ରଦେଶରୁ ଏମିତି ଏକ ଖବର ଆସୁଛି ଯାହା ସୋସିଆଲ୍ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି କହିଲେ କିଛି ଭୁଲ୍ ହେବନି ।
/kanak/media/media_files/2025/03/27/MguLCQTh03GgTdeVey59.jpg)
ଉତ୍ତରପ୍ରଦେଶର ସନ୍ଥକବୀରନଗରରେ ରହୁଥିବା ଜଣେ ସ୍ବାମୀ ନିଜ ବିବାହିତା ପତ୍ନୀକୁ ତାଙ୍କ ପ୍ରେମିକ ସହ ବାହାଘର କରାଇଛନ୍ତି । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସନ୍ଥକବୀରନଗରରେ ବବଲୁ ନିଜ ସ୍ତ୍ରୀ ରାଧିକା ଏବଂ ୨ ସନ୍ତାନଙ୍କ ସହ ରହୁଥିଲେ । ୭ ବର୍ଷୀୟ ପୁଅ ଏବଂ ୨ ବର୍ଷର ଝିଅକୁ ନେଇ ବବଲୁଙ୍କ ବୈବାହିକ ଜୀବନ ଖୁସିରେ ଚାଲିଥିଲା । ଦିନମଜୁରିଆ ବବଲୁଙ୍କ ସୁଖର ସଂସାରରେ ସେତେବେଳେ ଗ୍ରହଣ ଲାଗିଲା ଯେତେବେଳେ ଗାଁର ବିକାଶ ଏବଂ ରାଧିକାଙ୍କ ପ୍ରେମ ସମ୍ବନ୍ଧ ବିଷୟରେ ସେ ଜାଣିବାକୁ ପାଇଲେ । ରାଧିକାଙ୍କୁ ବାରମ୍ବାର ବୁଝାଇବା ସତ୍ତ୍ବେ ମଧ୍ୟ କିଛି ସୁଫଳ ମିଳିନଥିଲା ବରଂ ଘରେ ପ୍ରତିଦିନ କଳହ ସୃଷ୍ଟି ହେଉଥିଲା । ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଏବଂ ସ୍ତ୍ରୀର ଖୁସିକୁ ସମ୍ମାନ ଦେଇ ବବଲୁ ଏଭଳି ନିଷ୍ପତ୍ତି ନେଇଥିଲେ । ନିଜେ ବାହାଘରର ଆୟୋଜନ କଲେ, ମନ୍ତ୍ର ପାଠ କରିବା ପାଇଁ ପଣ୍ଡିତଙ୍କୁ ନିମନ୍ତ୍ରଣ କଲେ । ସମସ୍ତଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହେଲା । ସ୍ବାମୀ ଆଗରେ ପ୍ରେମିକର ହାତ ଧରିଲା ସ୍ତ୍ରୀ । ବିଦାୟ ହେଲା ବେଳେ ରାଧିକାଙ୍କୁ ସ୍ବାମୀ ବବଲୁ କହିଲେ,‘୨ ପିଲାଙ୍କୁ ମୁଁ ସମ୍ଭାଳିନେବି । ତୁମେ ନୂଆ ସ୍ବାମୀ ସହ ଖୁସିରେ ରୁହ ।’ ଏହି କଥା ଶୁଣି ରାଧିକା ଭୋ’ଭୋ ହୋଇ କାନ୍ଦି ପକାଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
/kanak/media/media_files/2025/03/27/AvCWFzu8VTJb3EBiW82V.jpg)
ସୂଚନା ଅନୁସାରେ , ବବଲୁ ଏବଂ ରାଧିକାଙ୍କ ବିବାହ ୨୦୧୭ ରେ ହୋଇଥିଲା । ବିକାଶଙ୍କ ସହ ପରକୀୟା ପ୍ରୀତି ଖବର ଜାଣିବା ପରେ ବବଲୁ ନିଜକୁ ସମ୍ଭାଳି ପାରିନଥିଲେ ଏବଂ ପ୍ରତିଦିନ ସ୍ବାମୀ,ସ୍ତ୍ରୀଙ୍କ ମଧ୍ୟରେ ଏହି କଥାକୁ ନେଇ ଝଗଡ଼ା ହେଉଥିଲା । କିନ୍ତୁ ଶେଷରେ ବବଲୁ ସ୍ତ୍ରୀର ବିବାହ କରିବା ହିଁ ଉଚିତ୍ ଭାବି ଶିବ ମନ୍ଦିରରେ ଦୁହିଁଙ୍କ ବିବାହ କରାଇଥିଲେ । ସ୍ତ୍ରୀ ଯେତେବେଳେ ବିଦାୟ ସମୟରେ ଭୋ’ଭୋ ହୋଇ କାନ୍ଦିଥିଲେ ଉପସ୍ଥିତ ଗାଁଲୋକ କହିଲେ ଏବେ ତ ବାହାଘର ହୋଇଗଲା । ଆଉ କାନ୍ଦି ଲାଭ କ’ଣ ।