China Mrg Photograph: (KanakNews)
କନକ ବ୍ୟୁରୋ : ବିବାହ ଏକ ଏମିତି ସମ୍ପର୍କର ଆରମ୍ଭ ଯେଉଁଠି କେବଳ ବର,କନ୍ୟାଙ୍କ ମଧ୍ୟରେ ନୁହେଁ ଦୁଇ ପରିବାର ମଧ୍ୟରେ ବନ୍ଧନର ସୂତ୍ର ବାନ୍ଧି ହୁଏ । କାହିଁ କେତେ ରୀତିନୀତିକୁ ପାଳନ କରି ସମ୍ପର୍ଣ୍ଣ ହୁଏ ବିବାହ । ଭାରତରେ ଯେମିତି ହାତଗଣ୍ଠି,ସାତଫେରେ,ବରଧରା,କଉଡ଼ିଖେଳ ଭଳି ରୀତିକୁ ପାଳନ କରାଯାଏ । ସେମିତି ଅନେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରାକୁ ପାଳନ କରି ବିବାହ ସମ୍ପର୍ଣ୍ଣ କରାଯାଏ । କିନ୍ତୁ ଚୀନରେ ଏମିତି ଏକ ଜନଜାତି ସମୂହ ରହିଛି ଯାହାଙ୍କ ବିବାହରେ କନ୍ୟା ପିତାଙ୍କ ପାଇଁ ନିଆରା ବିଧି ମଧ୍ୟ ରହିଛି । ବାଓଆନ୍ ଜନଜାତି ନାମରେ ଖ୍ୟାତ ଏହି ଟ୍ରାଇବର ସାଂସ୍କୃତିକ ପରମ୍ପରା ପରସ୍ପରଠୁ ଭିନ୍ନ । କିଛି ସମୂହର ରୀତିନୀତି ଅତ୍ୟନ୍ତ ଅଜବ । ଏମାନଙ୍କ ବିବାହ ସମୟରେ ଏକ ନିୟମ ପାଳନ କରାଯାଏ । ଯେଉଁଥିରେ କନ୍ୟା ପିତାଙ୍କୁ ବର ବାପା ଚାବୁକରେ ମାଡ଼ ମାରନ୍ତି ।
ଚାଲ ବୁଲିଯିବା ଚାଉଳଭଜା : ଯେତିକି ମଜା , ସେତିକି ସଜା
ସାଉଥ୍ ଚାଇନା ମର୍ଣ୍ଣି ପୋଷ୍ଟର ରିପୋର୍ଟ ଅନୁସାରେ ଚୀନର ବାଓଆନ୍ ଜାତୀୟ ସମୂହରେ ‘ଶ୍ଵଶୁରଙ୍କୁ ଚାବୁକ୍ ମାଡ଼’ ନାମକ ନିଆରା ବିବାହ ପରମ୍ପରା ରହିଛି । ଏଥିରେ ବରର ପରିବାର ପ୍ରତୀକାତ୍ମକ ରୂପେ କନ୍ୟା ପିତାଙ୍କୁ ଚାବୁକ୍ ମାଡ଼ ମାରନ୍ତି । ବର ବାପା ୨୦ ଥର ଚାବୁକ୍ ପାହାର ମାରିଥା’ନ୍ତି । ବିବାହର ୩ ଦିନ ଭିତରେ ବର ଘର ଅଗଣାରେ କନ୍ୟା ପିତାଙ୍କୁ ଆଣ୍ଠେଇ ବିଧି ପୂର୍ବକ ଚାବୁକ୍ ପାହାର ଦିଆଯାଏ । ଏହି ସମୟରେ କନ୍ୟା ପିତା ନିଜ ଝିଅକୁ ଠିକରେ ଅନୁଶାସନ ଶିଖାଇବାରେ ବିଫଳ ହେବା ପାଇଁ କ୍ଷମା ପ୍ରାର୍ଥନା କରନ୍ତି । ଏହି ସମୟରେ ବର ପିତା ମୁହଁରେ କଳା ବୋଳିବାର ପରମ୍ପରା ମଧ୍ୟ ରହିଛି । ଝିଅର ଶାଶୁ-ଶ୍ବଶୁର,ଦେଢ଼ଶୂର-ଯା’,ସ୍ବାମୀ,ଦିଅର,ନଣନ୍ଦ ସମସ୍ତେ ମିଶି ଝିଅ ବାପା ମୁହଁରେ କଳା ବୋଳିଥା’ନ୍ତି ।
ତେବେ ଉତ୍ତର-ପଶ୍ଚିମ ଚୀନ୍ର ଗଂସୃ ପ୍ରାନ୍ତରେ ରୁହନ୍ତି ଏହି ଜନଜାତି । ଏମାନଙ୍କ ସଂଖ୍ୟା ପ୍ରାୟ ୨୪ ହଜାର ହେବ । ଏମାନେ ଇସ୍ଲାମ ଧର୍ମ ପାଳନ କରନ୍ତି ଏବଂ ବାନାନ ଭାଷା କୁହନ୍ତି ଯାହା ଅତାଇ ଭାଷା ସମୂହର । ଏହି ଜନଜାତି ଅନେକ ପାରମ୍ପରିକ ମୁସଲିମ୍ ପର୍ବପର୍ବାଣି ଓ ବିବାହ ସମ୍ବନ୍ଧୀୟ ବିଧିବିଧାନ ପାଳନ କରନ୍ତି । ପାରମ୍ପରିକ ପ୍ରଥା ଅନୁସାରେ ଝିଅ ବାପାଙ୍କୁ ମାଡ଼ ଖାଇବା ସହ ମୁହଁରେ କଳା ବୋଳିବାକୁ ପଡ଼େ । ଏହି ସମୂହର ପାରମ୍ପରିକ ବିବାହ ବିଧି ୩ ଦିନ ଧରି ଚାଲେ। ତନ୍ମଧ୍ୟରେ କନ୍ୟା ପିତାଙ୍କୁ ଚାବୁକ୍ ପାହାର ସବୁଠୁ ନିଆରା । ତେବେ ଖାଲି ଚୀନ୍ କାହିଁକି ଭାରତରେ ମଧ୍ୟ ଏମିତି ଅନେକ ଜାଗା ରହିଛି ଯେଉଁଠି ଆଦିବାସୀ ଜନଜାତିର ପରମ୍ପରାରେ ବିବାହର ରୀତିନୀତି ଭିନ୍ନ ରହିଛି ।
Follow Us