କନକ ବ୍ୟୁରୋ : ଓଡ଼ିଶା ହେଉଛି ଏମିତି ଏକ ରାଜ୍ୟ ଯେଉଁଠିକାର ପର୍ଯ୍ୟଟନସ୍ଥଳୀ ଯେତେ ପ୍ରସିଦ୍ଧ ଏହାର ନାଁ ମଧ୍ୟ ସେତେ ଚର୍ଚ୍ଚିତ । ଏଇ ଯେମିତି ମାଙ୍କଡ଼ଡ଼ିଆଁ ଝରଣା,ଖସଡ଼ା ଝରଣା ,ଘୋଡ଼ାହାଡ଼ ଡ୍ୟାମ୍ ଏପରି ଅନେକ । ତେବେ ବର୍ତ୍ତମାନ ଆଉ ଏକ ଝରଣା ଏହି ତାଲିକାରେ ସାମିଲ୍ ହୋଇଯାଇଛି । ଆପଣ ଆଗରୁ ଚାଉଳ ଭଜା ଖାଇଥିବେ କିନ୍ତୁ କେବେ ଚାଉଳଭଜା ବୁଲିବାକୁ ଯାଇଛନ୍ତି କି ? ଦର୍ଶକବନ୍ଧୁ ହଁ , ଶୀତ ଆସିଲେ ପର୍ଯ୍ୟଟନ ଋତୁ ଚଳଚଞ୍ଚଳ ହୋଇପଡ଼େ । ପାହାଡ଼, ଝରଣା,ଜଙ୍ଗଲ ଘେରା ପର୍ଯ୍ୟଟନ ସ୍ଥାନ ବର୍ଷସାରା ଖାଁ ଖାଁ ରହିଥିଲେ ବି ଶୀତରେ ପ୍ରବଳ ଘୋ ଘା’ ଦେଖେ । କିନ୍ତୁ ଏହାରି ଭିତରେ ଏମିତି କିଛି ସ୍ଥାନ ରହିଛି ଯାହା ଏବେ ବି ସମସ୍ତଙ୍କ ନଜର ଆଢୁଆଳରେ ରହିଛି । ଆଉ ଏମିତି ଏକ ପିକନିକ୍ ସ୍ପଟ୍ ହେଉଛି ଚାଉଳ ଭଜା । ନାଁ ଶୁଣିବାକୁ ଯେତିକି ମଜା , ଝରଣା ପାଖରେ ପହଞ୍ଚିବା ସେତିକି ସଜା ।
ସ୍ବାଗତ କରୁଛି ଓଡ଼ିଶାର ମିନି ତିବ୍ଦତ : ଜିରାଙ୍ଗରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼
ଉଚ୍ଚ ପାହାଡ଼ର ବୁକୁ ଚିରି ବହି ଯାଉଛି ଝରଣା, ଆଉ ଝରଣା ପାଲଟିଛି ବଡ଼ ଜଳପ୍ରପାତ । ପ୍ରକୃତି କୋଳରୁ ହସି ହସି ବୋହି ଆସିଥିବା ଏହି ଜଳପ୍ରପାତର ମଜା ପାଇବାକୁ ହେଲେ ଆପଣଙ୍କୁ ବହୁତ ଚାଲିବାକୁ ପଡ଼ିବ । ହେଲେ ଝରଣା ପାଖରେ ପହଂଚିବା ମାତ୍ରେ ପ୍ରକୃତିର ସୁନ୍ଦର ଦୃଶ୍ୟ ଦେଖି ଭୁଲିଯିବେ ସବୁ କଷ୍ଟ । ସେଥିପାଇଁ ତ ଏହି ପର୍ଯ୍ୟଟନ ସ୍ଥଳୀର ନାମ ଚାଉଳଭଜା - ଯେତିକି ମଜା, ସେତିକି ସଜା। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ସପନଚୁଆ ପଞ୍ଚାୟତ ଅଧୀନରେ ଥିବା ଏହି ଜଳପ୍ରପାତ ଜାତୀୟ ଉଦ୍ୟାନ ଶିମିଳିପାଳ ଭିତରେ ରହିଛି । ଏହି ଜଳପ୍ରପାତ ନିକଟରେ ପହଂଚିବାକୁ ହେଲେ ଆପଣଙ୍କୁ ଗୋଟିଏ ପାହାଡ଼ ଚଢ଼ି ତାହାର ଶିଖରରେ ପହଂଚିବାକୁ ପଡ଼ିବ । ଖୁଣ୍ଟା ବ୍ଲକ ତାଡକି ଗ୍ରାମରୁ କିଛି ଦୂର ଯିବା ପରେ ସେହିଠାରେ ହିଁ ବାଇକ କିମ୍ବା କାର୍ ସବୁ ରଖି ଆପଣଙ୍କୁ ଜଙ୍ଗଲ ଭିତରକୁ ଯିବାକୁ ପଡ଼ିବ । ଆଉ ସେହି ଜଙ୍ଗଲ,ପାହାଡ଼ ଭିତରେ ପଥର ସନ୍ଧିରେ ଝରଣା ପାଣିରେ ଚାଲି ଚାଲି ଯିବାକୁ ପଡ଼ିବ ୩ ରୁ ୪ କିଲୋମିଟର । ଯାହା ଅତ୍ୟନ୍ତ କଷ୍ଟଦାୟକ । ହେଲେ ଏହା ଯେତିକି କଷ୍ଟଦାୟକ ସେତିକି ଆଡଭେଞ୍ଚର ମଧ୍ୟ । ଶିମିଳିପାଳର ସବୁଜିମା ଏବଂ ଶାନ୍ତ ସବୁଜ ସୁନ୍ଦର ପରିବେଶକୁ ଅତି ପାଖରୁ ଉପଭୋଗ କରିପାରିବେ । ଜଙ୍ଗଲ ଭିତରେ କେଉଁଠି ବଡ଼ ପଥର ଉପରେ ଚଢି ଉପରକୁ ଯିବେ ତ ପୁଣି କେଉଁଠି ବିପଦପୂର୍ଣ୍ଣ ଭାବେ ଉପରୁ ତଳକୁ ଓହ୍ଲାଇବେ । ଦୁଇଟି ଛୋଟ ଝରଣା ପାର ହେବା ପରେ ଶେଷରେ ପହଁଚିବେ ଚାଉଳ ଭଜା ଜଳପ୍ରପାତ ନିକଟରେ । ଯାହା ଯେତିକି ସୁନ୍ଦର ସେତିକି ମନଲୋଭା ମଧ୍ୟ । ଏହି ଜଳପ୍ରପାତ ଵା ପର୍ଯ୍ୟଟନସ୍ଥଳୀ ଆଜି ବି ଲୋକଲୋଚନକୁ ଆସିନଥିବାରୁ ବହୁତ କମ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ହେଲେ ଯେଉଁମାନେ ଆସୁଛନ୍ତି ବେଶ ମନ ଭରି ଉପଭୋଗ କରୁଛନ୍ତି ।
ଶିମିଳିପାଳର କୋର ଅଞ୍ଚଳରେ ରହିଛି ଏହି ପର୍ଯ୍ୟଟନ ସ୍ଥଳୀ ଚାଉଳଭଜା । ହେଲେ ବଡ଼ କଥା ଏଠି ଆପଣ ଯଦି ପଥର ଉପରେ ଦିଆଯାଇଥିବା ତୀର ଚିହ୍ନ ନ ଦେଖି ଯିବେ ତେବେ ଜଙ୍ଗଲ ଭିତରେ ବାଟବଣା ହୋଇଯିବାର ଶତପ୍ରତିଶତ ସମ୍ଭାବନା ଅଛି । କିଛି ସ୍ଥାନୀୟ ଯୁବକ ଏଠାକୁ ଯିବା ପାଇଁ ରାସ୍ତାରେ ଚିହ୍ନ ଦେଇଥିବା ବେଳେ ଏହାର ବିକାଶ ହୋଇପାରିଲେ ନିଶ୍ଚୟ ଏହା ଏକ ବଡ଼ ପର୍ଯ୍ୟଟନସ୍ଥଳୀ ହୋଇପାରିବ ବୋଲି କହିଛନ୍ତି ପର୍ଯ୍ୟଟକ । ଚାଉଳ ଭଜା ଜଳପ୍ରପାତରେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ, ବନ ବିଭାଗ ଵା ପର୍ଯ୍ୟଟନ ବିଭାଗ ନଜର ଦେଲେ ମୟୁରଭଞ୍ଜ ପର୍ଯ୍ୟଟନ କ୍ଷେତ୍ରର କଳେବର ବୃଦ୍ଧି ପାଇପାରନ୍ତା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/07/chaulabhaja-2026-01-07-13-46-04.jpg)