Delhi Accident Photograph: (kanak News)
କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀ ଷ୍ଟେସନରେ ଯେଉଁ ବଡ଼ ଦୁର୍ଘଟଣା ହେଲା ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । ମହାକୁମ୍ଭମେଳାକୁ ଯିବାକୁ ପୁରା ଦେଶର ରେଲୱେ ଷ୍ଟେସନରେ ଅସମ୍ଭବ ପ୍ରକାର ଭିଡ଼ ଦେଖିବାକୁ ମିଳୁଛି । ଏହି ଭିତ୍ତିରେ ଦିଲ୍ଲୀରେ ବି ପ୍ରବଳ ଜାମ ଦେଖିବାକୁ ମିଳିଥିଲା । ହେଲେ ଦୁର୍ଘଟଣା କେମିତି ହେଲା ସେନେଇ ଏବେ ବଡ଼ ଅପଡେଟ୍ ଆସିଛି । କୁହାଯାଉଛି କି ଷ୍ଟେସନରେ ଛିଡ଼ା ହୋଇଥିବା ଦୁଇଟି ଟ୍ରେନ୍ର ନାଁ ଏକାପରି ଥିବାରୁ ଯାତ୍ରୀମାନେ କନଫ୍ୟୁଜ୍ ହୋଇଥିବେ । ଆଉ ଦୌଡ଼ା ଦୌଡ଼ି ହୋଇଥିଲେ । ଷ୍ଟେସନରେ ଲୋକ ସଂଖ୍ୟା ଅଧିକ ଥିବାରୁ ଧାଁ ଦୌଡ଼ ପରିସ୍ଥିତି ଉପୁଜିଥିଲା । ଆଉ ଚାହୁଁ ଚାହୁଁ ୧୫ ଜଣଙ୍କ ଜୀବନ ଯାଇଥିଲା ।
କାହିଁକି ଦିଲ୍ଲୀ ଷ୍ଟେସନ୍ରେ ହେଲା ବଡ଼ ଦୁର୍ଘଟଣା
ସାମ୍ନାକୁ ଆସିଲା କାରଣ
ଦୁଇଟି ଟ୍ରେନ୍ର ନାଁ ଗୋଟିଏ ପରି ଥିବାରୁ…
୧୪ ନମ୍ବର ପ୍ଲାର୍ଟଫର୍ମରେ
ଛିଡ଼ା ହୋଇଥିଲା ପ୍ରୟାଗରାଜ ଏକ୍ସପ୍ରେସ୍
ଘୋଷଣା ହେଲା ୧୬ ନଂ ପ୍ଲାର୍ଟଫର୍ମରୁ ଛାଡ଼ିବ ପ୍ରୟାଗରାଜ ସ୍ପେଶାଲ ଟ୍ରେନ୍
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଷ୍ଟେସନରେ ୧୪ ନମ୍ବର ପ୍ଲାର୍ଟଫର୍ମରେ ଛିଡ଼ା ହୋଇଥିବା ପ୍ରୟାଗରାଜ ଏକ୍ସପ୍ରେସ । ଏହା ନିତିଦିନିଆ ଟ୍ରେନ୍ । ଅର୍ଥାତ୍ ପ୍ରତିଦିନ ଏହି ଟ୍ରେନ୍ ଯାତ୍ରା କରେ । ହେଲେ ଏହି ସମୟରେ ଷ୍ଟେସନରେ ଘୋଷଣା ହୋଇଥିଲା କି, ୧୬ ନଂ ପ୍ଲାର୍ଟଫର୍ମରୁ ଛାଡ଼ିବ ପ୍ରୟାଗରାଜର ସ୍ବତନ୍ତ୍ର ଏକ୍ସପ୍ରେସ୍ । ଘୋଷଣା ହେବା ପରେ ସାଙ୍ଗେ ସାଙ୍ଗେ ୧୬ ନମ୍ବର ପ୍ଲାର୍ଟଫର୍ମକୁ ଯାତ୍ରୀମାନେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ ପୋଲିସର କହିବା ଅନୁସାରେ ହଠାତ୍ ୧୪ ନମ୍ବର ପ୍ଲାର୍ଟଫର୍ମରୁ ୧୬ ନମ୍ବର ପ୍ଲାର୍ଟଫର୍ମକୁ ଭିଡ଼ ଲାଗିଥିଲା । ତରତରରେ ଯାତ୍ରୀମାନେ ସ୍ପେଶାଲ ଟ୍ରେନ୍ର ନାଁ ଶୁଣିନଥିଲେ । ଯାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ପୂର୍ବରୁ ୧୩ ଓ ୧୪ ନମ୍ବର ଷ୍ଟେସନରୁ ଛାଡ଼ିବାକୁ ଥିବା ଟ୍ରେନ୍ ବିଳମ୍ବ ହେତୁ ଜାମ ଥିଲା । ପରବର୍ତ୍ତୀ ସମୟରେ ଦ୍ବନ୍ଦ୍ବ ଉପୁଜିବାରୁ ପ୍ରବଳ ଭିଡ଼ ହୋଇଥିଲା । ୧୬ ନମ୍ବର ପ୍ଲାର୍ଟଫର୍ମରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହାସହ ଦିଲ୍ଲୀ ପୋଲିସ କହିଛି, ଗୋଟିଏ ନାଁ ପରି ଦୁଇଟି ଟ୍ରେନ୍ ଏବଂ ପୂର୍ବରୁ ବିଳମ୍ବ ହୋଇଥିବା ଟ୍ରେନ୍ରେ ଯିବା ପାଇଁ ଯାତ୍ରୀ ତରତର ହୋଇଥିଲେ । ଦଳାଚକଟା କାରଣରୁ ଦିଲ୍ଲୀ ଷ୍ଟେସନରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
ଷ୍ଟେସନରେ ସୃଷ୍ଟି ହୋଇଥିଲା ଦଳାଚକଟା ସ୍ଥିତି
ମିଳିଥିବା ସୂଚନା ଅନୁସାରେ, ହଠାତ୍ ଟ୍ରେନ୍ ଷ୍ଟେସନ ପରିବର୍ତ୍ତନ କଥା ଘୋଷଣା ହେବାରୁ ଯାତ୍ରୀମାନେ ଦ୍ବନ୍ଦ୍ବରେ ପଡ଼ିବେ । ଧାଁ ଦୌଡ଼ି କରିଥିଲେ । ଏହାସହ ଏମିତି ଭିଡ଼ ପୂର୍ବରୁ କେବେ ହୋଇନଥିଲା ବୋଲି ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ପ୍ରୟାଗରାଜ ଯିବା ପାଇଁ ଅସମ୍ଭବ ଭିଡ଼
ପ୍ରୟାଗରାଜ ଯିବା ଲାଗି ଏବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ଆଗାମୀ ଦିନରେ ମହାଶିବରାତ୍ରୀ ପଡ଼ୁଥିବାରୁ ପ୍ରବଳ ଭିଡ଼ ହେବା ନେଇ ସୂଚନା ରହିଛି । ଏହାପୂର୍ବରୁ ଦିଲ୍ଲୀରେ ଯେଉଁ ଅଘଟଣ ହେଲା ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମୋଟ୍ ଉପରେ, ଆଗାମୀ ଦିନରେ ପ୍ରୟାଗରାଜରେ ଭିଡ଼ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
Follow Us