କନକ ବ୍ୟୁରୋ : ଶୀତଦିନ ଆସିଲେ ହ୍ବାଟର ହିଟର ଅର୍ଥାତ୍ ଇଲେକ୍ଟ୍ରି ଇମର୍ସନ ରଡର ବ୍ୟବହାର ଅଧିକ ବଢ଼ିଥାଏ । ପାଣିକୁ ଗରମ କରିବା ପାଇଁ ବ୍ୟବହୃତ ହେଉଥିବା ଏହି ରଡ୍ ଶୀତଦିନେ ପାଣିକୁ ଗରମ ତ କରିଥାଏ କିନ୍ତୁ ସତର୍କ ଯଦି ନ ରହିବେ ତାହେଲେ କରେଣ୍ଟ ଲାଗିବାର ମଧ୍ୟ ବହୁତ ଚାନ୍ସ ରହିଛି । ତେବେ ବର୍ତ୍ତମାନ ଏମିତି ହିଁ ଏକ ଦୁଃଖଦ ଖବର ଉତ୍ତରପ୍ରଦେଶର ମୁଜଫରନଗରରୁ ସାମ୍ନାକୁ ଆସିଛି । ଏଠାରେ ଘରେ ପାଣି ଗରମ କରୁଥିବା ବେଳେ ୱାଟର୍ ହିଟରର ସଂସ୍ପର୍ଶରେ ଆସି ଜଣେ ୨୧ ବର୍ଷୀୟ ଯୁବତୀ ଏବଂ ତାଙ୍କ ସାନଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । 

Advertisment
immersion rod
immersion rod Photograph: (Google)

ପୋଡ଼ା ମୋବିଲ ଘସିଲେ ମିଳେ ପାଣି ସିଙ୍ଗଡ଼ା : ଭାରି କଷ୍ଟ ଏହି ଦାମୀ ଫଳର ଚାଷ

ପୁଲିସର କହିବାନୁସାରେ ମୃତକ ବଡ଼ ଭଉଣୀ ନିଧି ପ୍ରଥମେ ଇଲେକ୍ଟ୍ରି ଇମସର୍ଣ୍ଣ ରଡର ସଂସ୍ପର୍ଶରେ ଆସିଥିଲେ । ଯାହା ପରେ ନିଧିଙ୍କୁ କରେଣ୍ଟ୍ ଲାଗିଥିଲା । ବଡ଼ ଭଉଣୀକୁ କରେଣ୍ଟ୍ ଲାଗିଥିବା ଦେଖି ୧୯ ବର୍ଷୀୟା ସାନ ଭଉଣୀ ଲକ୍ଷ୍ମୀ ଭଉଣୀଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ । କିନ୍ତୁ ସେ ବି କରେଣ୍ଟର ସଂସ୍ପର୍ଶରେ ଆସି ଗୁରୁତର ଆହତ ହେଲେ । ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୁଲିସ ଦୁଇ ଭଉଣୀଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ୨ ଭଉଣୀଙ୍କ ଜୀବନ ଚାଲିଯାଇଥିଲା । ପୋଷ୍ଟମର୍ଟମ ପରେ ମୃତ ଭଉଣୀଙ୍କ ଶବକୁ ପରିବାରକୁ ଦିଆଯାଇଛି । ଘରର ଝିଅଙ୍କୁ ହରାଇ ପିତାମାତା ଭାଙ୍ଗି ପଡ଼ିଛନ୍ତି । ଏହି ଦୁର୍ଘଟଣା ପରେ ରାମପୁରୀ ଅଞ୍ଚଳରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି । ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ କପିଲ ଦେବ ଅଗ୍ରୱାଲ୍ ମୃତ ଭଉଣୀଙ୍କ ପରିବାରକୁ ଦେଖିବାକୁ ପହଞ୍ଚିଥିଲେ । ମନ୍ତ୍ରୀ ପରିବାର ପ୍ରତି ସମ୍ବେଦନଶୀଳ ହୋଇ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । 

ତେବେ ଏନେଇ ବିଶେଷଜ୍ଞମାନେ କୁହନ୍ତି ଯେ ପ୍ଲାଷ୍ଟିକ୍ ବାଲ୍ଟିରେ ଇମର୍ସନ ରଡ୍ କେବେବି ବ୍ୟବହାର କରିବା ଉଚିତ୍ ନୁହେଁ କାରଣ ଏହା ବିସ୍ଫୋରଣର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରେ । ଷ୍ଟିଲ୍, ଆଲୁମିନିୟମ୍ କିମ୍ବା ଅନ୍ୟାନ୍ୟ ଧାତୁ ପାତ୍ର ଏଥିପାଇଁ ବ୍ୟବହାର କରିବା ଉଚିତ । ଯଦି ପ୍ଲାଷ୍ଟିକ୍ ବାଲ୍ଟିରେ ପ୍ରଚୁର ପରିମାଣର ପାଣି ଗରମ କରାଯାଏ ତେବେ ବାଲ୍ଟି ତରଳିଯାଏ ଯାହା ଫଳରେ ବିସ୍ଫୋରଣ ହୋଇପାରେ । ଏହା ବ୍ୟତୀତ ଯଦି ବାଲ୍ଟିରେ ବହୁତ କମ୍ ପାଣି ଥାଏ ତେବେ ରଡ୍ ଜଳିପାରେ ଏବଂ ବିଦ୍ୟୁତ୍ ଆଘାତ ସୃଷ୍ଟି କରିପାରେ । ବିଶେଷଜ୍ଞମାନେ କୁହନ୍ତି ଯେ ଇମର୍ସନ ରଡ୍ ବ୍ୟବହାର କରିବା ସମୟରେ ସର୍ବାଧିକ ସତର୍କତା ଆବଶ୍ୟକ । ଅନ୍ୟ ଧାତୁ ପାତ୍ରରେ ମଧ୍ୟ ପାଣି ଗରମ କରିବା ସମୟରେ ଏହାକୁ ସିଧାସଳଖ ଭୂମିରେ ରଖିବାରୁ ବଞ୍ଚନ୍ତୁ, ପାତ୍ରକୁ କାଠ ପ୍ଲାଟଫର୍ମ ଉପରେ ରଖନ୍ତୁ । ଇମର୍ସନ ରଡ୍ ଚାଲୁ ଥିବା ସମୟରେ ବାଲ୍ଟିକୁ ଛୁଅନ୍ତୁ ନାହିଁ । ଏହାକୁ ବନ୍ଦ କରି ପ୍ଲଗ୍ କାଢ଼ିବା ପରେ ହିଁ ବାଲ୍ଟିକୁ ସ୍ପର୍ଶ କରନ୍ତୁ । ପାଣିକୁ ରଡର ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ୟ୍ୟନ୍ତ ଫୁଲ୍ କରନ୍ତୁ । ଯଦି ରଡ୍ କମ୍ ପାଣିରେ ବ୍ୟବହାର କରାଯାଏ ତେବେ ବିପଦ ଆହୁରି ବଢ଼ିଯାଏ । ଇମର୍ସନ ରଡ୍ ବ୍ୟବହାର କରିବା ସମୟରେ ଏହାକୁ ପିଲା ଏବଂ ପାଳିତ ପଶୁଙ୍କଠାରୁ ଦୂରରେ ରଖନ୍ତୁ ।