କନକ ବ୍ୟୁରୋ : ମସଲା ହାତ ଆଖିରେ ବାଜିଲେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ବେଳେବେଳେ ଆଖିରେ ଜଳାପୋଡ଼ା ହୋଇଥାଏ । ସାଧାରଣ କଥା ସେତେବେଳେ ଆମେ କାହାକୁ ଆଖିକୁ ଟିକେ ଫୁଙ୍କିଦେବା ପାଇଁ କହିଥାଉ । କେହି ଫୁଙ୍କିଲା ବେଳେ ମୁହଁରୁ ଥଣ୍ଡା ପବନ ବାହାରେ , ଯାହା ଆରାମ ଦିଏ । କିନ୍ତୁ ଶୀତ ଦିନରେ ଯେତେବେଳେ ହାତ ଅଧିକ ଥଣ୍ଡା ହେବାକୁ ଲାଗେ ସେତେବେଳେ ମୁହଁକୁ ବଡ଼ କରି ଖୋଲି ପବନ ଛାଡ଼ିଲେ ଗରମ ପବନ ବାହାରିଥାଏ । ତେବେ ଏପରି କାହିଁକି ହୁଏ , ଆସନ୍ତୁ ଜାଣିବା । 

Advertisment
mouth-is-hot-and-co
mouth-is-hot-and-co Photograph: (google)

ସୋସିଆଲ ମିଡିଆ ପ୍ଲାଟଫର୍ମ କୋରାରେ ଅନେକ ସମୟରେ ସାଧାରଣ ଲୋକ ନିଜ ପ୍ରଶ୍ନ ପଚାରନ୍ତି ଏବଂ ଅନ୍ୟ ଉପଭୋକ୍ତାମାନେ ଏହାର ଉତ୍ତର ଦିଅନ୍ତି । ଅନେକ ଥର ଉତ୍ତର ଦେଉଥିବା ଉପଭୋକ୍ତା କୌଣସି ଫିଲ୍ଡର ଜଣାଶୁଣା ବ୍ୟକ୍ତିବିଶେଷ ହୋଇଥା’ନ୍ତି । କିଛି ବର୍ଷ ପୂର୍ବେ କେହି ଜଣେ କୋରାରେ ପ୍ରଶ୍ନ ପଚାରିଥିଲେ ଯେ ଯେତେବେଳେ ଆମେ ମୁହଁରୁ ଫୁଙ୍କି ପବନ ବାହାର କରୁ ଥଣ୍ଡା ପବନ ବାହାରିଥାଏ କିନ୍ତୁ ଯେତେବେଳେ ପବନ ଭିତରକୁ ନେଉ ଏହା ଗରମ କାହିଁକି ହୁଏ ? ଏହି ରୋଚକ ପ୍ରଶ୍ନର ଉତ୍ତର କୋରାରେ ଦିଆଯାଇଛି , ଏଥିରେ ଜଣେ ଡାକ୍ତର କହିଛନ୍ତି ଯେ “ଯେତେବେଳେ ଆପଣ ନିଜର ହାତ ପାପୁଲି ପାଖରେ ମୁହଁରୁ ନିଶ୍ୱାସ ଛାଡ଼ନ୍ତି, ସେତେବେଳେ ଉଭୟ ସ୍ଥିତିରେ ଆପଣଙ୍କର ନିଶ୍ୱାସ ଗରମ ହୋଇଥାଏ । ଯଦି ଆପଣ ନିଜର ହାତ ପାପୁଲିକୁ ନିଜ ମୁହଁରୁ କିଛି ଇଞ୍ଚ୍  ଦୂରରେ ରଖି ଦୁଇ ଉପାୟରେ ନିଶ୍ୱାସ ଫୁଙ୍କନ୍ତି, ଥରେ “ହା”ର ସ୍ୱର ସହିତ ଏବଂ ଦ୍ୱିତୀୟ ଥର “ଫୁ”ର ସ୍ୱର ସହିତ- ତେବେ ଆପଣ ଅନୁଭବ କରିବେ କି “ହା” ନିଶ୍ୱାସ ଅଧିକ ଗରମ ଲାଗେ, କିନ୍ତୁ “ଫୁ” ଥଣ୍ଡା ଲାଗେ । ହେଲେ କାହିଁକି ? କାରଣ ଏହା ଭୌତିକ ବିଜ୍ଞାନର କମାଲ । ଯେତେବେଳେ ଆପଣ ଓଠକୁ ସଙ୍କୁଚିତ କରି ଫୁଙ୍କିଥା’ନ୍ତି ସେତେବେଳେ ଦ୍ରୁତ ଗତିରେ ପ୍ରବାହିତ ହେଉଥିବା ପବନର ଏକ ସ୍ରୋତ ସୃଷ୍ଟି ହୁଏ । ଯେତେବେଳେ ଦ୍ରୁତ ଗତିରେ ଚାଲୁଥିବା ପବନ ସ୍ଥିର ପବନରେ ପ୍ରବେଶ କରେ ତେବେ ଏହାଦ୍ୱାରା ବକ୍ରାକାର ଗତି ସୃଷ୍ଟି ହୁଏ । ଏହି ଗତିର ପ୍ରଭାବ ଆଖପାଖର ଥଣ୍ଡା ପବନକୁ ନିଶ୍ୱାସର ଦିଗରେ ଟାଣି ଆଣେ । ଆମ ଶରୀର ବାହାରର ପବନ ଫୁସଫୁସରୁ ବାହାରୁଥିବା ପବନ ତୁଳନାରେ ଥଣ୍ଡା ହୋଇଥାଏ । ସେଥିପାଇଁ ଯେତେବେଳେ ଥଣ୍ଡା ପବନ ଆପଣଙ୍କ ଗରମ ନିଶ୍ୱାସରେ ମିଶେ ସେତେବେଳେ ହାତ ପାପୁଲିରେ ପହଞ୍ଚୁଥିବା ପବନ ଥଣ୍ଡା ଅନୁଭୂତ ହୁଏ । 

Funk
Funk Photograph: (Google)

ଓଠକୁ ସଙ୍କୁଚିତ କରି ଫୁଙ୍କିଲେ ହାତ ପାପୁଲିରେ ଯେଉଁ ପବନ ଅନୁଭୂତ ହୁଏ ତାହା ଅଧିକାଂଶଃ ଆଖପାଖର ଥଣ୍ଡା ପବନ ହୋଇଥାଏ ।   ଯେତେବେଳେ ଆପଣ ମୁହଁକୁ ଖୋଲା ରଖି “ହା” କରନ୍ତି ସେତେବେଳେ ପବନ ଧୀର ଗତିରେ ବାହାରେ । ଏହାଦ୍ୱାରା ସେହି ଦ୍ରୁତ ପବନ ଭଳି ଗତି ସୃଷ୍ଟି ହୁଏନାହିଁ ଏବଂ ଆଖପାଖର ଥଣ୍ଡା ପବନ ମଧ୍ୟ ସେହି ଗରମ ପବନରେ କମ୍ ସାମିଲ ହୋଇଥାଏ । ଫଳସ୍ୱରୂପ ଆପଣଙ୍କ ହାତ ପାପୁଲିରେ ଯେଉଁ ପବନ ଲାଗେ ତାହା ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଫୁସଫୁସରୁ ବାହାରିଥିବା ଗରମ ପବନ ହୋଇଥାଏ । ତେବେ ଏହି ତଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ସଠିକ ବୋଲି କୁହାଯାଇଛି କାରଣ ଏକ ସାଇନ୍ସ ୱେବସାଇଟ ଦି ନେକେଡ ସାଇଣ୍ଟିଷ୍ଟରେ ମଧ୍ୟ ଏହି ତଥ୍ୟକୁ ବିସ୍ତାର କରି ବୁଝାଯାଇଛି ।