କନକ ବ୍ୟୁରୋ : ଶୀତଦିନରେ ବଜାରରେ ବିଭିନ୍ନ କିସମର ଫଳର ଚାହିଦା ବଢ଼େ । ଯାହାକୁ ସିଜନାଲ୍ ଫ୍ରୁଟ୍ କୁହାଯାଏ । ବର୍ଷସାରା ଶୀତଳ ଭଣ୍ଡାରରେ ଫଳ ରହୁଥିଲେ ହେଁ ଶୀତରେ ତଟକା ମିଠା ଫଳ ଖାଇବାର ମଜା ହିଁ କିଛି ଅଲଗା । ଯେଉଁଥିରେ କମଳା,ସାକରକନ୍ଦା,ଅଙ୍ଗୁର ବିଭିନ୍ନ ପ୍ରକାର କୋଳୀ ମଧ୍ୟ ସାମିଲ୍ ଥାଏ । କିନ୍ତୁ ଏହି ସମୟରେ ପାଣି ସିଙ୍ଗଡା ମଧ୍ୟ ଖୁବ୍ ବିକ୍ରି ହୁଏ । ଯାହା ପାଟିକୁ ଖାଇବାକୁ ତ ଭଲଲାଗେ କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ପାଣି ସିଙ୍ଗଡ଼ାରେ ଥିବା ପ୍ରୋଟିନ୍ , ଫାଇବର୍ , ପୋଟାସିୟମ୍ ଏବଂ ଭିଟାମିନ୍ ବି୬ ଭଳି ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଏହି ଫଳକୁ ପାଣି ଫଳ ବୋଲି ମଧ୍ୟ କୁହାଯାଏ । ଯାହା ନିୟମିତ ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ଦୂର ହେବା ସହ ଓଜନ କମିବା ଏବଂ ଥାଇରଏଡ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ । ଏହା ଚୁଟି ଝଡ଼ିବା ସମସ୍ୟା କମ୍ କରେ ,ବର୍ଦ୍ଧିତ ଓଜନକୁ ମଧ୍ୟ କମାଏ । ତେବେ ଲୋକ ଫଳ ସିନା ଖାଆନ୍ତି କିନ୍ତୁ ପାଣି ସିଙ୍ଗଡ଼ା ଚାଷ କରିବା କେତେ କଷ୍ଟକର ଆପଣ ଜାଣିଛନ୍ତି କି ? କୁହନ୍ତି କଷ୍ଟ କଲେ କୃଷ୍ଣ ମିଳେ ଠିକ୍ ସେମିତି ଏହି ସୁସ୍ବାଦୁ ଫଳ ଚାଷ କରିବାକୁ ହେଲେ ଚାଷୀଙ୍କୁ ନିଜ ଦେହରେ ପୋଡ଼ା ମୋବିଲ ମାଲିସ୍ କରି ପାଣି ଭିତରକୁ ଯିବାକୁ ପଡ଼େ । ତେବେ ଏମିତି କାହିଁକି କରନ୍ତି ଚାଷୀ ଆସନ୍ତୁ ଜାଣିବା ।

Advertisment
fruit
fruit Photograph: (google)

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ପାଣି ସିଙ୍ଗଡ଼ା ଚାଷୀଙ୍କ ପାଣି ଜୀବନ ଘାତକ ଚାଷର ରୂପ ନେବାକୁ ବସିଛି । ମଧ୍ୟପ୍ରଦେଶର ଚାଷୀମାନେ ଦେହରେ ପୋଡ଼ା ଇଞ୍ଜିନ୍ ଅଏଲ୍ ଲଗାଇ ପୋଖରୀ ଭିତରକୁ ଯାଇଥା’ନ୍ତି । ତେବେ ଏହା କେବଳ ଦିନେ କି ଦୁଇଦିନ ପାଇଁ ନୁହେଁ ଶୀତଦିନ ଅର୍ଥାତ ୩ ମାସ ପାଇଁ ଚାଷୀଙ୍କୁ ଏଭଳି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ୩ ମାସରେ ପ୍ରସ୍ତୁତ ହୋଇଯାଉଥିବା ପାଣି ସିଙ୍ଗଡ଼ାର ଫସଲ ରୋଜଗାର ତ ଭଲ ଦେଇଥାଏ କିନ୍ତୁ ଏଥିପାଇଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ପାଣିରେ ବୁଡ଼ି କାମ କରିବାକୁ ପଡ଼ିଥାଏ । ଏହି ଫଳ ପାଣି ଭିତରେ ଫଳୁଥିବାରୁ ଚାଷୀଙ୍କୁ ଅଧିକ କଷ୍ଟ କରିବାକୁ ପଡ଼େ । ଯେମିତିକି ପାଣି ଭିତରେ ଥିବା ବିଷଧର ସାପ,କଙ୍କଡ଼ା ଏବଂ ଅନ୍ୟ ପୋକଙ୍କ ଆକ୍ରମଣ ମଧ୍ୟ ଚାଷୀଙ୍କୁ ସହିବାକୁ ପଡ଼େ । ପାଣିରେ ଅଧା ଦିନ ରହିବା କାରଣରୁ ଦେହରେ ଯାଦୁ,କୁଣ୍ଡିଆ,ଫଙ୍ଗସ୍ ଇନଫେକ୍ସନ୍ ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ଚାଷୀ । ବେଳେବେଳେ ଏମିତି ବି ହୁଏ ହାତ ପାଦର ଆଙ୍ଗୁଠି ସଢ଼ିବାକୁ ଲାଗେ । ଗରିବ କୃଷକଙ୍କ ପାଖରେ ଏତେ ଟଙ୍କା ବି ନଥାଏ ଯେ ସେମାନେ ଚିକିତ୍ସା କରାଇ ପାରିବେ । ତେଣୁ ଅଳ୍ପ ଟଙ୍କାରେ ଯାହା ଔଷଧ ଆସିଲା ଖାଇ ଭଲ ହୋଇଯା’ନ୍ତି କିନ୍ତୁ ଏହା କେବଳ ସ୍ବଳ୍ପ ସମୟ ପାଇଁ କାମ କରେ । 

ତେବେ ପ୍ରତିଦିନର ଔଷଧ ଖର୍ଚ୍ଚରୁ ବଞ୍ଚିବା ପାଇଁ ଗରିବ ଚାଷୀ ଦେହରେ ପୋଡ଼ା ମୋବିଲ୍ ଅର୍ଥାତ ଇଞ୍ଜିନ୍ ଅଏଲ୍ ଲଗାଇ ପାଣିକୁ ଓହ୍ଲାଇଥା’ନ୍ତି । ପାଣିରେ ଶରୀରକୁ କୁଣ୍ଡାଇ ହେବାରୁ ବଞ୍ଚାଇବା ପାଇଁ ଏହା ଏକ ସରଳ ଏବଂ ଶସ୍ତା ଉପାୟ ରୂପେ ନେଇଛନ୍ତି ମଧ୍ୟପ୍ରଦେଶର ପାଣି ସିଙ୍ଗଡ଼ା ଚାଷୀ । ତେବେ ଏନେଇ ଚାଷୀ କୁହନ୍ତି ଯେ ମୋବିଲ୍ ନ ଲଗାଇଲେ ଦେହର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼େ । ତ୍ବଚା ସଢ଼ିବାର ପରିସ୍ଥିତି ମଧ୍ୟ ବେଳେବେଳେ ଉପୁଜେ । ପାଣି ସିଙ୍ଗଡ଼ା ଫଳ ଯାହାକୁ ଆମେ ଏତେ ଆନନ୍ଦର ସହ ଖାଇଥାଉ ତାହା କେତେ କଷ୍ଟରେ ଚାଷ ହେଉଥିବାର ଜାଣିଲେ ସତରେ ଚାଷୀଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଏ ।