satakosia Photograph: (KanakNews)
କନକ ବ୍ୟୁରୋ : ସାତକୋଶିଆରେ ପୁଣି ବୁଲିବେ ମହାବଳ । ଏହି ବ୍ୟାଘ୍ର ଅଭୟାରଣ୍ୟର ଗୌରବ ପୁଣି ଫେରି ଆସିବ । ଗଲା ୩ ବର୍ଷ ହେଲା ଏମିତି ସ୍ବପ୍ନ ବୁଣି ଚାଲିଛନ୍ତି ସରକାର । ବାଘ ଛାଡ଼ିବା ପାଇଁ ଅଭୟାରଣ୍ୟ ଭିତରୁ ବିସ୍ଥାପନ ପ୍ରକ୍ରିୟା ବି ଜୋର୍ସୋରରେ ଚାଲିଛି । କିନ୍ତୁ ସାତକୋଶିଆ ଜଗିବାକୁ ଆବଶ୍ୟକ ଅଧିକାରୀ କି କର୍ମଚାରୀ ନାହାନ୍ତି । ଅଭୟାରଣ୍ୟରେ କିଏ ଜଗିବେ ବାଘ ତାକୁ ନେଇ ଘାରିଛି ଚିନ୍ତା । ଏଠାରେ ଅନୁମୋଦିତ ୧୨୫ଟି ପଦରୁ ୭୧ଟି ଖାଲି ପଡ଼ିଥିବାବେଳେ ଅଛନ୍ତି ମାତ୍ର ୫୪ ଜଣ । ଜଙ୍ଗଲ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବା ଫରେଷ୍ଟ ଗାର୍ଡଙ୍କ ଭିତରୁ ଦୁଇ ତୃତୀୟାଂଶ ପଦ ଫାଙ୍କା ପଡ଼ିଛି । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ପମ୍ପାସର, ପୁରୁଣାକୋଟ, ଟିକରପଡ଼ା, ରାଇଗୁଡ଼ା ଓ ଜିଲିଣ୍ଡା ରେଞ୍ଜ ରହିଛି । କିନ୍ତୁ ଅଛନ୍ତି ମାତ୍ର ୨ ଜଣ ରେଞ୍ଜର । ଅନ୍ୟ ୩ଟି ରେଞ୍ଜ କାମଚଳାରେ ଚାଲିଛି । ବିନା ମୁରବିରେ ରେଞ୍ଜ କାର୍ଯ୍ୟାଳୟ ଚାଲୁଥିବାରୁ ଏଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାମ ଅଟକି ଯାଉଛି । କାର୍ଯ୍ୟାଳୟ ପରିଚାଳନା, ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କାମ ମଧ୍ୟ ବାଧାପ୍ରାପ୍ତ ହେଉଛି ।
କେବଳ ରେଞ୍ଜ ଅଧିକାରୀ ନୁହେଁ ଏହି ବନଖଣ୍ଡ ପାଇଁ ୩ଟି ଏସିଏଫ୍ ପଦ ରହିଥିଲେ ମଧ୍ୟ ବର୍ତ୍ତମାନ ଜଣେ ମାତ୍ର ଅଧିକାରୀ ଅଛନ୍ତି । ଗୋଟିଏ ଏଫ୍ଇଏସ୍ (ଫରେଷ୍ଟ ଏକ୍ସଟେନ୍ସନ୍ ସୁପରଭାଇଜର୍) ପଦ ଥିବାବେଳେ ଏଥିରେ ବି କାହାକୁ ନିଯୁକ୍ତି ମିଳିନାହିଁ । ସେହିପରି ଗ୍ରେଡ୍ ‘ଏ’ ଓ ଗ୍ରେଡ୍ ‘ବି’ରେ ସମୁଦାୟ ୯ଟି ପଦରୁ ୬ଟି ଫାଙ୍କା ପଡ଼ିଛି । ବନଖଣ୍ଡରେ ୫୯ଟି ଫରେଷ୍ଟ ଗାର୍ଡ ପଦ ରହିଥିଲା ବେଳେ ଅଛନ୍ତି ମାତ୍ର ୧୯ ଜଣ । ୪୦ଟି ପଦ ଖାଲି ପଡ଼ିଛି । ୨୫ଟି ଫରେଷ୍ଟର୍ ପଦରୁ ୬ଟି ଫାଙ୍କା । ୩ଟି ଡେପୁଟି ରେଞ୍ଜର ପଦବି ରହିଥିଲା ବେଳେ ଅଛନ୍ତି ୨ ଜଣ । ଗୋଟିଏ ଜୁନିୟର ଭେଟ୍ନାରି ଅଫିସର ପଦ ରହିଥିଲେ ମଧ୍ୟ ଏଥିରେ କାହାକୁ ନିଯୁକ୍ତ ମିଳିନି । ଅନୁମୋଦିତ ପଦ ଥାଇ ମଧ୍ୟ ଷ୍ଟେନୋ, ଡ୍ରାଇଭର୍, ଅମିନ, ମାହୁନ୍ତ ଓ ପମ୍ପମ୍ୟାନ୍ ନାହାନ୍ତି । ଆବଶ୍ୟକ ଅନୁସାରେ ମାଳି, ଚୌକିଦାର, ୱାଚର ପଦ ବି ପୂରଣ ହୋଇନି ।
ସାତକୋଶିଆରେ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ନ ଥିବାରୁ ଯାବତୀୟ ସମସ୍ୟା ହେଉଛି । ଜଣେ ଜଣେ ରେଞ୍ଜ ଅଧିକାରୀଙ୍କୁ ଏକାଧିକ ରେଞ୍ଜର ଅତିରିକ୍ତ ଦାୟିତ୍ବ ଦିଆଯାଉଛି । ଅସ୍ଥାୟୀ ୱାଚର୍ଙ୍କ ହାତରେ ଏହି ବିଶାଳ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ଛାଡ଼ି ଦିଆଯାଇଛି । ଏ ସଂପର୍କରେ ସାତକୋଶିଆ ଡିଏଫ୍ଓ ଗଦାଧର ପାତ୍ରଙ୍କୁ ପଚରାଯିବାରୁ ସେ କର୍ମଚାରୀ ଅଭାବକୁ ସ୍ବୀକାର କରିବା ସହିତ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା କଥା କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ବଦଳୁଛି ସାତକୋଷିଆର ଚିତ୍ର ।
Follow Us