ପ୍ରେମ ଏମିତି ଏକ ନିଃଶୁଳ୍କ ଅନୁଭବ , ଯାହାର ମୂଲ୍ୟ ହୀରାଠାରୁ ବି ଅଧିକ । ଗର୍ବ , ଅହଙ୍କାରକୁ ଗିଳି ସାତଦରିଆ ପାର୍ ହୋଇ ପ୍ରେମିକ ଯେତେବେଳେ ପ୍ରିୟତମା ପ୍ରେମିକାର ଗୋଟିଏ ଝଲକ୍ ଦେଖିବାକୁ  ପହଞ୍ଚେ ସେତେବେଳେ ବେରଙ୍ଗ ଜୀବନ ବି ସାତରଙ୍ଗର ତରଙ୍ଗରେ ଉବୁଟୁବୁ ହୁଏ । ପ୍ରେମ ଯେତେବେଳେ ମୁଣ୍ଡରେ ଚଢେ ମଣିଷ କ’ଣ ମହାବଳର ବି ମୁଣ୍ଡ ନୁଆଁଇଦିଏ । ଆଜ୍ଞା ହଁ ଏଇଠି ଆମେ ଗୋଟିଏ ମହାବଳ ବାଘର ପ୍ରେମକାହାଣୀ ବିଷୟରେ କହିବାକୁ ଯାଉଛୁ ଯେ ପ୍ରେୟସୀ ବାଘୁଣୀକୁ ଦେଖିବା ପାଇଁ ୩୦୦ କି.ମି. ଚାଲି ଚାଲି ଆସିଛି । 

Advertisment

Tiger

ଏହି ମଜନୁ ବାଘର ନାଁ ‘ଜନି’ ବୋଲି ଜଣାପଡ଼ିଛି । ତେଲେଙ୍ଗାନାର କବଲ୍ ଟାଇଗର୍ ରିଜର୍ଭ (କେଟିଆର) କୁ ଆସିଛି ମହାରାଷ୍ଟ୍ରର ମହାବଳ ‘ଜନି’ । ନିର୍ମଳ ଜିଲ୍ଲା ସ୍ଥିତ କେଟିଆରରେ ଗତ କିଛି ମାସ ହେଲା ଏହି ବାଘକୁ ବୁଲୁଥିବାର ଦେଖିବାକୁ ମିଳିଛି । ରୋଚକପୂର୍ଣ୍ଣ କଥା ହେଉଛି ମହାରାଷ୍ଟ୍ରର ଟିପେଶ୍ୱର ୱାଇଲ୍ଡ ଲାଇଫ୍ ସେଞ୍ଚୁରୀରୁ ଜନି ତେଲେଙ୍ଗାନାକୁ ଚାଲିଆସିଛି । ଜଙ୍ଗଲ ଏବଂ ବିଲ ଭିତରେ ଚାଲି ଚାଲି ୩୦୦ କି.ମି. ପାର୍ କରି ଆସିଛି ବାଘ ଜନି । ବାଘର ସଂପୂର୍ଣ୍ଣ ଯାତ୍ରାକୁ ରେଡିଓ କଲର୍ ସାହାଯ୍ୟରେ ଟ୍ରାକ୍ କରାଯାଇଛି । 

Tiger Joney

ବନ୍ୟ ଅଧିକାରୀଙ୍କ କହିବାନୁସାରେ , ବାଘ ନିଜ ସାଥୀକୁ ଖୋଜିବା ପାଇଁ ଲମ୍ବା ସମୟ ଧରି ପ୍ରତୀକ୍ଷା କରିପାରେ । ବାଘୁଣୀ ଯେଉଁ ବାଟ ଦେଇ ଯାଇଥାଏ ବାଘ ପ୍ରେୟସୀର ସୁଗନ୍ଧକୁ ୧୦୦ କି.ମି. ପର୍ଯ୍ୟନ୍ତ ସୁଘିଂବାର ସକ୍ଷମ ରଖିଥାଏ । ସୂଚନା ଅନୁସାରେ , ଜନି ନିଜ ଯାତ୍ରାକାଳରେ ୫ ଟି ମଇଁଷୀର ଶିକାର ମଧ୍ୟ କରିସାରିଛି । ଜନିକୁ ଉଟନୁରର ଲାଲଟେକଡି ଗାଁ ରାସ୍ତାରେ ସଡ଼କ ପାର୍ କରୁଥିବା ଦେଖି ସ୍ଥାନୀୟ ଲୋକ ଆତଙ୍କରେ ଅଛନ୍ତି । ତେବେ ବନ ଅଧିକାରୀ ଗାଁ ଲୋକଙ୍କୁ ବୁଝାଇଛନ୍ତି ଯେ ସାଥୀ ଖୋଜୁଥିବା ବାଘ ମଣିଷକୁ କେବେ ଆକ୍ରମଣ କରେନାହିଁ । ବାଘକୁ ଦେଖି ଆକ୍ରମଣାତ୍ମକ ନ ହେବା ପାଇଁ ଗାଁଲୋକଙ୍କୁ ଅନୁରୋଧ କରିଛନ୍ତି ବନ୍ୟ ଅଧିକାରୀ । 

ଶୀତଋତୁଟି ହେଉଛି ବାଘଙ୍କ ପ୍ରଜନନ କରିବା ଋତୁ । ଏହି ସମୟରେ ବାଘ ନିଜ ସାଥୀକୁ ଖୋଜିବା ପାଇଁ ଅନେକ ବାଟ ଅତିକ୍ରମ କରେ । କିନ୍ତୁ ୭ ବର୍ଷୀୟ ‘ଜନି’ ପ୍ରେମ ପାଇଁ ୩୦୦ କି.ମି. ପାର୍ କରିଦେବ ଏହା ଜାଣି ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ଚଳିତବର୍ଷ ଅକ୍ଟୋବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥିôବା ଜନିର ଯାତ୍ରା କେବେ ତା ଜାନୁ ବାଘୁଣୀ ପାଖରେ ଶେଷ ହେବ ଦେଖିବାକୁ ବାକି ରହିଲା । ତେବେ ଏହି ଘଟଣାଟିକୁ ସୋସିଆଲ୍ ମିଡ଼ିଆରେ ମଜାଳିଆ ଢଙ୍ଗରେ ଉପସ୍ଥାପନ କରାଯାଉଛି । କିଏ କହୁଛି ଜନି ଭାଇ ତ ମଜନୁ ପାଲଟିଗଲେ ଆଉ କିଏ କହୁଛି ଜନି ଭାଇଙ୍କ ଭାଉଜ ଭାରି ଲକି ।