ବିବାହ ଭଳି ପବିତ୍ର ବନ୍ଧନ କେବଳ ବର-କନିଆଁଙ୍କ ମଧ୍ୟରେ ସୀମିତ ତାହା ନୁହଁ ୨ ପରିବାର ମଧ୍ୟରେ ସଂପର୍କର ସୂତା ବାନ୍ଧୁଥିବା ଅନୁଷ୍ଠାନକୁ କୁହାଯାଏ ବିବାହ । ଘରେ କନ୍ୟାସନ୍ତାନ ଜନ୍ମ ହେଲେ ପିତାମାତା ଝିଅର ଭବିଷ୍ୟତ ପାଇଁ କେତେ ସ୍ବପ୍ନ ବୁଣନ୍ତି । ଏମିତିକି ଛୋଟବେଳରୁ ହିଁ ଝିଅ ବିବାହ ପାଇଁ ଟଙ୍କା ସଞ୍ଚୟ କରନ୍ତି ଯେମିତିକି ଆଗକୁ ବିବାହରେ କିଛି ଉଣା ରହିନଯାଏ । ତେଣୁ ପ୍ରତିଟି ବାପା , ମା’ ଚାହାଁନ୍ତି ସେମାନଙ୍କ ଝିଅ ଯେମିତି ଭଲ ବର, ଭଲ ଶାଶୁଘରକୁ ଯାଉ ଆଉ କନ୍ୟାଦାନ କରି ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରନ୍ତୁ । କିନ୍ତୁ ବିବାହ ଭଳି ପବିତ୍ର ବନ୍ଧନ ବେଳେବେଳେ ଛୋଟ ଛୋଟ କଥାକୁ ନେଇ ଦୋଛକିରେ ଆସି ପହଞ୍ଚିଯାଏ । ଖାଇବାକୁ ନେଇ , ଆତିଥ୍ୟକୁ ନେଇ , ଉପହାରକୁ ନେଇ ବାହାଘରରେ ଝଗଡ଼ା ଲାଗୁଥିବାର ଦୃଶ୍ୟ ଆପଣ ଅନେକ ସମୟରେ ଦେଖିଥିବେ । ଛୋଟ ଛୋଟ କଥାକୁ ନେଇ ବରପକ୍ଷ , କନ୍ୟାପକ୍ଷଙ୍କ ଭିତରେ ତୁ ତୁ ମେଁ ମେଁ ହେଲା ଭଳି ଦୃଶ୍ୟ ଆପଣଙ୍କ ସାମ୍ନାକୁ ଆସିଥିବ । ଏମିତି ହିଁ ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ରାମପୁର ଅଞ୍ଚଳରେ । ଯେଉଁଠି ଯୌତୁକକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ ତାପରେ ପଡିଲା ଚାପୁଡ଼ା ଉପରେ ଚାପୁଡ଼ା । 

Advertisment
bride 100
bride 100 Photograph: (google)

ରାମପୁର ଅଜିମନଗରର ଏକ କଲ୍ୟାଣ ମଣ୍ଡପରେ ଧୁମଧାମରେ ଚାଲିଥିଲା ବାହାଘର । ବ୍ୟାଣ୍ଡବାଜା ବଜାଇ ନାଚିଗାଇ ମଣ୍ଡପରେ ପହଁଞ୍ଚିଲେ ବରଯାତ୍ରୀ । ସବୁକିଛି ରୀତିନୀତି ଅନୁସାରେ ଠିକ୍ ଚାଲିଥିଲା କିନ୍ତୁ ବିବାହ ପୂର୍ବରୁ ବର ଶ୍ବଶୁରଘରକୁ ମାଗିଦେଲେ ୧୦ ଲକ୍ଷ ଟଙ୍କାର ଯୌତୁକ । ରାତି ୧୧ ଟା ବେଳକୁ ଆରମ୍ଭ ହେବାକୁ ଥିବା ବିବାହ ବରର ଜିଦ୍ ଯୋଗୁଁ ବିଳମ୍ବ ହୋଇଗଲା ଏବଂ ଭୋର ୪ ଟା ବେଳକୁ ବର ବିବାହ ପାଇଁ ରାଜି ହେଲା । କିନ୍ତୁ ସେତେବେଳକୁ କନିଆଁ କାନରେ ପଡ଼ିଯାଇଥିଲା ବର ଯୌତୁକ ମାଗିବା କଥା । ଫୁଲମାଳ ପକାଇବାକୁ ଆସିଥିବା କନିଆଁଙ୍କ ରାଗ ଯେମିତି ପଞ୍ଚମ ହେଲା ଏବଂ ବରକୁ ମଣ୍ଡପ ଉପରେ ଫୁଲମାଳ କ’ଣ ପିନ୍ଧାଇବେ ଢୋ ଢା କରି ଦୁଇ ଚାପୁଡ଼ା ଲଗାଇଦେଲେ କନିଆଁ । ଆଉ ତା’ପରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଆରେମ୍ଭ ହେଲା ପିଟାପିଟି । ବିବାହର ସାହାନାଇ ବାଜୁଥିବା କଲ୍ୟାଣ ମଣ୍ଡପରେ ଉଡିଲା ଚେୟାର୍ । ଯିଏ ଯାହାକୁ ପାରିଲେ ପିଟିଲେ । ଏମିତିକି ମାରପିଟ୍ ଅନେକ ଲୋକ ଆହତ ମଧ୍ୟ ହେଲେ । 

groom bride
groom bride Photograph: (google)

ମାମଲା ଏତେ ଗମ୍ଭୀର ହେଲା ଯେ କେହି ଜଣେ ପୁଲିସକୁ ଏନେଇ ସୂଚନା ଦେଲେ ଏବଂ କିଛି ସମୟ ଭିତରେ ହିଁ ବିବାହ ସ୍ଥଳରେ ପହଁଞ୍ଚିଗଲେ ପୁଲିସ୍ ବାବୁ । ଏପଟେ ପୁଲିସକୁ ଆସୁଥିବା ଦେଖି ବରଯାତ୍ରୀ ଏବଂ ବର ଉକ୍ତ ସ୍ଥାନରୁ ଚମ୍ପଟ ମାରିଥିଲେ । ପୁଲିସ୍ ବରର ପିତାଙ୍କୁ ଗିରଫ କରି ଥାନାକୁ ନେଇଥିବା ବେଳେ ଘଟଣାସ୍ଥଳରେ ୧୨ ଅଧିକ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ୍ ନେଲେ ପୁଲିସ୍ । ତେବେ ଏହା ପୂର୍ବରୁ ମଧ୍ୟ ଯୌତୁକକୁ ନେଇ ମାରପିଟ୍ ହେବାର ଅନେକ ମାମଲା ସାମ୍ନାକୁ ଆସିଛି । ପ୍ରଶ୍ନ ଉଠୁଛି , ସମାଜରୁ ଯୌତୁକ ନାମକ ଜହରର କେବେ ଅନ୍ତ ଘଟିବ ।