Bull At Bus Photograph: (kanak news)
କନକ ବ୍ୟୁରୋ: ଚଳନ୍ତା ବସ୍ରେ ପଶିଗଲା ଷଣ୍ଢ । ଏମିତି ଉତ୍ପାତ କଲା ଯେ ଦେଖିବା ଲୋକ ବି ତାଜୁବ ହୋଇଗଲେ । କେଉଁ ପରିସ୍ଥିତିରେ ବସ୍ ଭିତରେ ଷଣ୍ଢ ପଶିଗଲା ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ଭିଡ଼ିଓ କିନ୍ତୁ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ରାଜସ୍ଥାନର ଜୟପୁର ସହରରୁ ଆସିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ହଠାତ୍ ଷଣ୍ଢ ପଶିଯିବା ପରେ ସ୍ଥିତି ପୁରା ଗମ୍ଭୀର ହୋଇଯାଇଥିଲା । କାରଣ ବସ୍ରେ ପଶିଯିବା ପରେ ସେ ବାହାରିବାକୁ ବାଟ ପାଇନଥିଲା। ତେଣୁ ଆକ୍ତାମାକ୍ତ ହୋଇ ବସ୍ର କାଚ ଗୁଡ଼ିକୁ ଭାଙ୍ଗିବାକୁ ଲାଗିଥିଲା । ଷଣ୍ଢର ରାଗ ରୂପ ଦେଖି ସମସ୍ତେ ଡରିଯାଇଥିବେ । ତେଣୁ ପାଖକୁ ଯିବାକୁ କେହି ସାହସ ବି କରିନଥିଲେ । ଆଉ ମନଇଚ୍ଛା କାଚ ଭାଙ୍ଗିଥିବା ଷଣ୍ଢ ତାହା ପୁଣି ରାସ୍ତା ଉପରେ ।
ବସ୍ ଭିତରେ ପଶିଗଲା ଷଣ୍ଢ
ଉତ୍ପାତ କଲା, ଯାତ୍ରୀ ଭୟଭୀତ
ଗାଡ଼ି ଛାଡ଼ି ଡିଆଁ ମାରିଲେ ଡ୍ରାଇଭର
ଜୀବନ ବଂଚାଇବାକୁ ବାହାରି ପଡ଼ିଲେ କଣ୍ଡକ୍ଟର
ଷଣ୍ଢର ଉତ୍ପାତ ଦେଖି ବସ୍ରେ ଥିବା ଡ୍ରାଇଭର ତଳକୁ ଡିଆଁ ମାରିଥିବା ବେଳେ କଣ୍ଡକ୍ଟର ବି ଜୀବନ ବଂଚାଇବାକୁ ତଳକୁ ଡିଆଁ ମାରିଲେ । ଏହି ସମୟରେ ଉପସ୍ଥିତ ଥିବା ଜଣେ ଯୁବକ ପୁରା ଘଟଣାର ଭିଡ଼ିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ସାଙ୍ଗେ ସାଙ୍ଗେ ଭିଡିଓଟି ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ୟୁଜର୍ସ ମଧ୍ୟ ଏହି ଭିଡ଼ିଓକୁ ନେଇ ଅନେକ କମେଣ୍ଟ ଦେଉଛନ୍ତି । କିଏ କିଏ ଲେଖିଛନ୍ତି ଷଣ୍ଢ ରାଗିଯାଇଛି ତ ଆଉ କିଏ କିଏ ଲେଖିଛନ୍ତି ଷଣ୍ଢ ରାଗିଲେ ପ୍ରଳୟ ହେବ ବୋଲି ।
ଏପଟେ ଷଣ୍ଢର ଉତ୍ପାତକୁ ନିୟନ୍ତ୍ରଣ କରିବାକୁ ଅନେକ ଉଦ୍ୟମ କରିଥିବା ପରେ ବି ତାହା ସମ୍ଭବ ହୋଇପାରିନଥିଲା । କାରଣ ଷଣ୍ଢ କେତେବେଳେ କାହାକୁ ଯେ ଆକ୍ରମଣ କରିଦେବ ସେନେଇ କାହା ପାଖରେ ବି ଖବର ନଥିଲା । ତେଣୁ କେହି ବି ସାହସ କରି ବସ୍ ପାଖକୁ ଯାଉନଥିଲେ । ବସ୍ ରହିଥିବା ବେଳେ ପଛକୁ ପଛକୁ ପଛ ଗାଡ଼ି ବି ରାସ୍ତାରେ ଅଟକି ରହିଥିଲା । କାରଣ ଗାଡ଼ି ହର୍ଣ୍ଣ ଓ ଲାଇଟ୍ରେ ଷଣ୍ଢ ଅଧିକ ରାଗିଯାଇପାରେ ବୋଲି ଲୋକେ କହିଥିଲେ ।
ତେଣୁ ଘଂଟା ଘଂଟା ରାସ୍ତା ଜାମ୍ ହୋଇ ରହିଥିଲା । ମୋଟ୍ ଉପରେ, ଜୟପୁର ରାସ୍ତାରେ ଦିନକୁ ଦିନ ଷଣ୍ଢଙ୍କର ଉତ୍ପାତ ବଢିବାରେ ଲାଗିଛି । ରାସ୍ତା ଉପରେ ସେମାନେ ଏମିତି ଉତ୍ପାତ କରୁଛନ୍ତି ଯେ ସାଧାରଣ ଲୋକ ଯିବାକୁ ଡରୁଛନ୍ତି । ଏମିତିରେ ବାଇକ ଆରୋହୀଙ୍କୁ ଆକ୍ରମଣ କରୁଥିବା ଖବର ତ ସାମ୍ନାକୁ ଆସୁଥିଲା ହେଲେ ଏବେ ବସ୍ରେ ପଶିଯିବା ଘଟଣାକୁ ନେଇ ସ୍ଥାନୀୟ ପୌରପାଳିକା ଉପରେ ବିଷୋଦଗାର କରିଛନ୍ତି ସାଧାରଣ ଜନତା । କହିଛନ୍ତି, ବୁଲାଷଣ୍ଢଙ୍କ ଉତ୍ପାତ ନିୟନ୍ତ୍ରଣ କରିବାରେ ପୌର ପ୍ରଶାସନ ଫେଲ୍ । ଯଦି ଏମିତି ସ୍ଥିତି ଜାରି ରହେ ଘରୁ ବାହାରିବାକୁ ବି ଡର ଲାଗିବ । ଅବଶ୍ୟ ଏନେଇ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Follow Us